କେନ୍ଦ୍ରାପଡ଼ା, ୧୨/୦୩/୨୦୨୪ (ଓଡ଼ିଶା ସମାଚାର)- ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିଜିତ ବୋଷ ମଙ୍ଗଳବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅନ୍ତରୀଣ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା କଲେଜରେ ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଅଶୋକ ମିଶ୍ର ଡବ୍ଲୁପିସି ନମ୍ବର- ୩୮୩୯୧/୨୦୨୩ରେ ଏକ ମାମଲା ରୁଜୁ କରିଥିଲେ । ସେହି କେଶର ଶୁଣାଣୀ ସମୟରେ ଓଡିଶା ଉଚ୍ଚ ନ୍ୟାୟାଳୟ ଗତ ମାର୍ଚ୍ଚ ୧ତାରିଖରେ କେନ୍ଦ୍ରାପଡା କଲେଜର ନିକଟବର୍ତୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ସର୍ବବରିଷ୍ଠ ଅଧ୍ୟାପକଙ୍କୁ କେନ୍ଦ୍ରାପଡା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ୧୦ଦିନ ମଧ୍ୟରେ ନିଯୁକ୍ତି ଦେବାକୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦେଇଥିଲେ । ସେହି ନିର୍ଦେଶ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ବିରୂପା କଲେଜ ଅଧ୍ୟକ୍ଷ ଅଭିଜିତ ବୋଷଙ୍କୁ କେନ୍ଦ୍ରାପଡା କଲେଜର ଅନ୍ତରୀଣ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଅଧ୍ୟାପକ ଶ୍ରୀ ବୋଷ ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଯୋଗଦେଇଥିବା ଜଣାପଡିଛି ।