ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଆଇଆଇଟି ମଧ୍ୟରେ ବୁଝାମଣା

                                                  ଦୃଷ୍ଟିବାଧିତଙ୍କ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ଗୁରୁତ୍ୱ

ଭୁବନେଶ୍ୱର, ୦୪/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି-ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଲେ ଯେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କ୍ରମେ, ବିଶେଷ କରି,  କମ୍ପ୍ୟୁଟର, ଟାବ୍‌ଲେଟ୍‌ ଓ ସ୍ମାର୍ଟଫୋନ ଇତ୍ୟାଦି ସାହାଯ୍ୟରେ ଦୃଷ୍ଟିବାଧିତମାନେ ସାଧାରଣ ଲୋକଙ୍କ ଭଳି ଲେଖାପଢ଼ା କରିପାରିଲେଣି ।

ପରଦାରେ ପଢ଼ିବା ପାଇଁ ଉପଯୁକ୍ତ ସଫଫେୱୟାର ଏବଂ   କମ୍ପ୍ୟୁଟରରେ କେତେକ ସଫଫେୱୟାର ଉପଯୋଗ କରି ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନେ ଡିଜିଟାଲ ପୁସ୍ତକ ଏବଂ ଅନ୍‌ଲାଇନ୍‌ ପାଠ୍ୟବସ୍ତୁ ନିଜ ପସନ୍ଦ ମୁତାବକ ଭାଷାରେ ପଢ଼ିଲେଖି ପାରିବେ । ଏପରି ବୁଝାମଣା ଫଳରେ ରାଜ୍ୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଉପାୟରେ ବୈଷୟିକ ଜ୍ଞାନକୌଶଳ ସହିତ ଗୁଣାତ୍ମକ ତଥା ଅନ୍ତର୍ଭୁକ୍ତି ଶିକ୍ଷା ସଶକ୍ତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।

ବୁଝାମଣାପତ୍ରରେ ଛାତ୍ରଛାତ୍ରୀମାନଙ୍କୁ କୋଡିଂ, ମାଇକ୍ରୋବିଟ୍‌, ଥ୍ରୀ-ଡି ପେଣ୍ଟିଂ, ଗେମସ୍‌ ଓ ଆନିମେସନ୍‌, ମୋବାଇଲ୍‌ ଆପ୍‌, ଯାନ୍ତ୍ରିକ ଶିକ୍ଷଣ, କୃତି୍ରମ ବୁଦ୍ଧିମତ୍ତା ଓ ରୋବୋଟିକ୍ସ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ଉଲ୍ଲେଖ ରହିଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟାବ୍‌ ଓ ସ୍ମାର୍ଟଫୋନ୍‌ ସାଙ୍ଗକୁ ଅନ୍‌ଲାଇନ୍‌ ଶ୍ରେଣୀର ବନ୍ଦୋବସ୍ତ ରହିବ । ଏହା ବ୍ୟତୀତ ବୃତ୍ତି ନିମନ୍ତେ ପରାମର୍ଶ, ସଫଫ ସ୍କିଲ୍‌, କର୍ମଶାଳା, ବ୍ୟକ୍ତିତ୍ୱ ବିକାଶ, ଡିଜିଟାଲ୍‌ ପାଠାଗାର, ଅଡ଼ିଓ ବୁକ୍‌ ବିତରଣ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ କିବୋର୍ଡ ଡିଭାଇସ୍‌ ଉପଯୋଗ କରାଯିବ । ଏହି ବୁଝାମଣାପତ୍ର ୫ ବର୍ଷ ନିମନ୍ତେ ବଳବତ୍ତର ରହିବ ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କହିଲେ ଯେ ବୁଝାମଣାପତ୍ରରେ ଉଲ୍ଲିଖିତ ପ୍ରକଳ୍ପର ରୂପାୟନ ପାଇଁ ନିୟମିତ ତଦାରଖ କରାଯିବ । ଆଇଆଇଟି-ଭୁବନେଶ୍ୱର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚିହ୍ନଟ ହୋଇଥିବା ଆବଶ୍ୟକତା ଅନୁସାରେ ବିଭିନ୍ନ ସହାୟତା ଯୋଗାଇଦେବାରେ ବୈଷୟିକ ପରାମର୍ଶ ଦେବେ । ଅନ୍ତର୍ଭୁକ୍ତି ଶିକ୍ଷା ପାଇଁ ବୃତ୍ତିଗତ ବିକାଶର ବିଭିନ୍ନ ଦିଗଗୁଡ଼ିକୁ ବ୍ୟାପକ କରିବାରେ ଆଇଆଇଟି- ଭୁବନେଶ୍ୱର ସାହାଯ୍ୟ କରିବ । ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ତାଲିମ ସମେତ ରେକର୍ଡିଂ ଲାବ୍‌ ଓ ଆସେସିବୁଲ୍‌ ଆର୍ଟ ସେଣ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସେଠୀ କହିଥିଲେ ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଓ ଆଇଆଇଟି-ଭୁବନେଶ୍ୱର ପକ୍ଷରୁ ସ୍ପୋନ୍‌ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟି୍ରଆଲ୍‌ ଟେକ୍‌ନୋଲୋଜି (ଏସ୍‌ଆର୍‌ଆଇସି)ର ଡିନ୍‌ ପ୍ରଫେସର ଦିନକର ପାସ୍‌ଲା ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । କାର୍ଯ୍ୟକ୍ରମରେ ଆଇଆଇଟି- ଭୁବନେଶ୍ୱରର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *