ନିଲାମ ଘର ଭିତରୁ ମିଳିଲା ୫ଟି ବନ୍ଧୁକ ।

  ବଡ଼ବିଲ, ୨୦/୦୨/୨୦୨୪ (ଓଡ଼ିଶା ସମାଚାର)- ବଡ଼ବିଲ ଥାନା ଭଦ୍ରାସାହି ଠାରେ ଥିବା ଏକ ଵିଲ୍ଡିଂକୁ ନିଲାମ ନେବା ପରେ ଘର ଭିତରେ ୫ଟି ବନ୍ଧୁକ ଠାବ ହୋଇଛି ।  ବଡ଼ବିଲ ପୋଲିସ୍ ବନ୍ଧୁକ ଗୁଡ଼ିକୁ ଜବତ୍ କରି ଛାନଭିନ ଆରମ୍ଭ କରିଛି । ନିଲାମ ହୋଇଥିବା ଏହି ଵିଲ୍ଡିଂଟି ପୂର୍ବରୁ ପ୍ରଦୀପ କୁମାର ଦାସ ନାମକ ବ୍ୟକ୍ତିଙ୍କ ମାଲିକାନାରେ ରହିଥିଲା । ସେ ବ୍ୟାଙ୍କରୁ ଋଣ କରି ଏହି ଵିଲ୍ଡିଂ ନିର୍ମାଣ କରିଥିଲାବେଳେ, ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କ ଋଣ ସୁଝିବାକୁ ସକ୍ଷମ ହୋଇନଥିଲେ, ଯାହା ଫଳରେ ଏହି ଵିଲ୍ଡିଂକୁ ସମ୍ପୃକ୍ତ ବ୍ୟାଙ୍କ ନିଜ ଅକ୍ତିଆରକୁ ନେଇ ସିଲ୍ କରିଥିଲା । କିଛି ଦିନ ପୂର୍ବରୁ ଏହି ଘରକୁ ବ୍ୟାଙ୍କ ପକ୍ଷରୁ ନିଲାମ ଡାକି ପୁରୁଷୋତ୍ତମ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ପୁରୁଷୋତ୍ତମ ଘର ଭିତରେ ପ୍ରବେଶ କରିବା ପରେ ପ୍ରଥମେ ଗୋଟିଏ ବନ୍ଧୁକ ଦେଖିଥିଲେ । ଏନେଇ ସେ ସଙ୍ଗେସଙ୍ଗେ ବଡ଼ବିଲ ଥାନାକୁ ଜଣାଇଥିଲେ । ସୂଚନା ପାଇ ବଡ଼ବିଲ ଆଇ ଆଇ ସି ରମାକାନ୍ତ ମୁଦୁଲି ଘଟଣାସ୍ଥଳରେ ପହଞ୍ଚି ରୁମ୍ ଗୁଡ଼ିକୁ ଯାଞ୍ଚ କରିବା ପରେ ସମୁଦାୟ ୫ଟି ବନ୍ଧୁକ ପାଇଥିଲେ । ସମସ୍ତ ୫ଟି ବନ୍ଧୁକ ଜବତ୍ କରିବା ସହ ଘଟଣାର ଛାନଭିନ ଚଳାଇଛି ପୋଲିସ । ଏନେଇ ପୂର୍ବ ଘର ମାଲିକଙ୍କୁ ନୋଟିସ୍ କରାଯାଇ ପଚରା ଉଚୁରା କରାଯିବ ବୋଲି ବଡବିଲ ଥାନା ଆଇ ଆଇ ସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *