ଦୂଷିତ ପାଣି ପିଉଛନ୍ତି ଗାଁ ଲୋକେ,ନାମକୁ ମାତ୍ର ରହିଛି ପାନୀୟ ଜଳ ପ୍ରକଳ୍ପ

                                                                ( ଭୋଟ ବର୍ଜ୍ଜନ ପାଇଁ ଚେତାବନୀ)

ମାହାଙ୍ଗା ,୧୯/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – ସବୁବେଳେ ବିକାଶର କଥା କହୁଥିବା ସରକାର ଲୋକଙ୍କ ମୌଳିକ ସମସ୍ୟା ପ୍ରତି କେତେ ଉଦାସୀନ ତାହା ଏଠାରେ ସ୍ପଷ୍ଟ ଅନୁମେୟ । ବିଜୁଳି ପାଣି ସଡ଼କ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନଥିବାବେଳେ,ସରକାର ଯୋଜନା ପରେ ଯୋଜନା ଘୋଷଣା କରି ନିର୍ବାଚନୀ ବୈତରଣୀ ପାରହେବା ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଗତ ରବିବାର ଦିନ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କୁହୁଣ୍ଡା ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପଞ୍ଚାୟତ ଓ ଗାଁର ବିକାଶ କଥା ସ୍ଥାନୀୟ ବିଧାୟକ ଓ ଅନ୍ୟାନ୍ୟ ନେତୃବୃନ୍ଦ କହୁଥିବା ବେଳେ ପିଇବାପାଣି ସମସ୍ୟା ବାବଦରେ କୁହୁଣ୍ଡା ଗ୍ରାମର ମହିଳା ମାନେ ବିଧାୟକଙ୍କୁ ସେମାନଙ୍କ ଅଭିଯୋଗ ଶୁଣାଇବାକୁ ଯିବା ବେଳେ, ସେମାନଙ୍କୁ ସଭାମଞ୍ଚ ନିକଟକୁ ଛଡା ଯାଇନଥିଲା । ଆମେ ତୁମ ଗାଁର ପାଣି କଥା ୨/୪ ଦିନ ଭିତରେ ବୁଝିବୁ ବୋଲି କହି ସେମାନଙ୍କୁ ଫେରେଇ ଦେଇଥିବା ଅଭିଯୋଗ ହୋଇଛି । କୁହୁଣ୍ଡା ପଞ୍ଚାୟତର ୮,୯, ୧୦,୧୧, ୧୨ ଓ ୧୩ ନମ୍ବର ୱାର୍ଡ ର ଅଧିକାଂଶ ସାହି ଓ ବସ୍ତିକୁ କୁହୁଣ୍ଡା ପାନୀୟଜଳ ପ୍ରକଳ୍ପରୁ ପାଣି ପହଂଚୁ ନଥିବା ଅଭିଯୋଗ ହୋଇଆସୁଛି । ଦୀର୍ଘ ୨୦ ବର୍ଷ ତଳେ ଏହି ପାଣି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଉଦଘାଟନ ଦିନଠାରୁ ଆଜି ଭିତରେ ଅନେକ ଗାଁ’ରେ ପାଣି ପାଇପ ବିଛା ଯାଇନଥିଲା । ଅନେକ ବସ୍ତିରେ ପାଣି ଟ୍ୟାପ ନାହିଁ । ଯେଉଁ ପାଣି ଟ୍ୟାପ ଭଙ୍ଗା ଦଦରା ଅବସ୍ଥାରେ ଅଛି , ସେଥିରୁ ପାଣି ବାହାରୁନାହିଁ । ସ୍ଥାନୀୟ ସରପଞ୍ଚ,ବ୍ଲକ ପ୍ରଶାସନ, ଆର ଡବ୍ଲୁ ଏସ ଏସ ଅଧିକାରୀ,ଜିଲ୍ଲାପାଳଙ୍କ ଠାରୁ ନେତା ମନ୍ତ୍ରୀଙ୍କ ପର୍ୟ୍ୟନ୍ତ ସମସ୍ତଙ୍କୁ ବିଭିନ୍ନ ସମୟରେ କୁହୁଣ୍ଡା ପଞ୍ଚାୟତର ପିଇବା ପାଣି ସମସ୍ୟା ବାବଦରେ ଅଭିଯୋଗ ଦିଆଯାଇଛି । କିନ୍ତୁ ଫଳ ଶୂନ । ଆଜିକା ଦିନରେ ୧୨ ଓ ୧୩ ନମ୍ବର ୱାର୍ଡ ଲୋକେ କଚିରୀ ପୋଖରୀରୁ ପାଣି ନେଇ ବ୍ୟବହାର କରୁଥିବା ବେଳେ, ବିରୂପା ନଦୀକୁ ପାଣି ପାଇଁ ଯାଉଛନ୍ତି କ୍ଷ ସେହିପରି ୮ ନମ୍ବର ୱାର୍ଡର ଲୋକେ ଏବଂ କଲ୍ୟାଣପୁର ମୁଣ୍ଡା ସାହିର ଲୋକଙ୍କୁ ଚନ୍ଦନ ପୋଖରୀରୁ ପାଣି ନେବାକୁ ପଡୁଛି । ବସୁଧା ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଲୋକେ ନଈ ପୋଖରୀରୁ କାହିଁକି ପାଣି ନେଇ ବ୍ୟବହାର କରିବେ, ଏହାକୁ ନେଇ ବୁଦ୍ଧିଜୀବୀ ମାନେ ପ୍ରଶ୍ନଉଠାଇଛନ୍ତି । କୁହୁଣ୍ଡା ଭଳି ଏକ ଛୋଟିଆ ପଞ୍ଚାୟତରେ ଦୀର୍ଘ କୋଡିଏ ବର୍ଷ ଧରି ପାଣି ସମସ୍ୟାର ସମାଧାନ ହୋଇପାରୁନଥିବା ବେଳେ ନବୀନ ଓଡିଶା ଆମ ଓଡିଶା କାହା ସ୍ୱାର୍ଥରେ ବୋଲି ଆଲୋଚନା ହେଉଛି । ଏହି ପଞ୍ଚାୟତର ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗର ଅଧିକାଂଶ ବସ୍ତିକୁ ପାଇପ ଯୋଗେ ପିଇବା ପାଣି ପହଂଚୁ ନାହିଁ । ଆସନ୍ତା ସାଧାରଣ ନିର୍ବାଚନରେ ଲୋକେ ଏହାକୁ ନେଇ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *