ପ୍ରଶାସନ ଓ ଅନଶନକାରୀ ଙ୍କ ଆଲୋଚନା ବିଫଳ
ନିରାକାରପୁର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଂଚାୟତର ବିଭିନ୍ନ ସମସ୍ୟାର ଦାବି ପୂରଣ ପାଇଁ ୧୫ ତାରିଖ ଠାରୁ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅଞ୍ଚଳର ଲୋକ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଆମରଣ ଅନଶନ ଜାରି ରହିଛି। ଆଜି ଅନଶନର ତୃତୀୟ ଦିବସରେ ଧାରଣାସ୍ଥଳ ନିକଟକୁ ଟାଙ୍ଗୀ ବିଡିଓ ରେସ୍ମା ଟେଟେ, ତହସିଲଦାର ମିତାଲି ପାତ୍ର , ଆଇଆଇସି ବିଶ୍ୱଜିତ୍ ରାଉତରାୟ, ବ୍ଲକ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ପହଞ୍ଚି ବୁଝା ସୁଝା କରିଥିଲେ ବି ସେମାନଙ୍କ ପ୍ରତିଶ୍ରୁତିର ଅନଶନକାରୀ ମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ପରେ ସେମାନେ ଫେରି ଯାଇଥିବା ବେଳେ ଆମରଣ ଅନଶନ ଜାରି ରହିଛି। ପ୍ରକାଶ ଥାଉ କି ୨୦୦ ବର୍ଷ ଧରି ବସବାସ କରୁଥିବା ନରେନ୍ଦ୍ରପୁର ସାହି କୁ ରାଜସ୍ବ ଗ୍ରାମ ର ମାନ୍ୟତା, ନିରାକାରପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା, ରାମେଶ୍ବର ଠାରେ ଦମକଳ କେନ୍ଦ୍ର ଖୋଲିବା, ଝର ପୋଖରୀ ର ପୁନଃ ଉଦ୍ଧାର, ହାଟରେ ପିଣ୍ଡି ଘର ନିର୍ମାଣ, ମିନି ଷ୍ଟାଡିୟମ ସହ ଅତ୍ୟାଧୁନିକ ବ୍ୟାୟାମ ଶାଳା, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ପୁନଃ ବିନ୍ୟାସ, ଜନସଂଖ୍ୟା ଭିତ୍ତିରେ ନିରାକାର ପୁର କୁ ବ୍ଳକ ମାନ୍ୟତା, ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରମୁଖ ଦାବି ଥିବା ବେଳେ ଏହାକୁ ସଫଳ କରିବା ପାଇଁ ଅନଶନ ସ୍ଥଳକୁ ସମାଜସେବୀ ସଞ୍ଜୟ ପଟ୍ଟନାୟକ, ଛଣଗିରି ସରପଂଚ ପୂର୍ଣ୍ଣିମା ମହାପାତ୍ର, ଓଳସିଂହ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରଞ୍ଜନ ଭୋଳ, ମଙ୍ଗଲାଯୋଡ଼ି ସମିତିସଭ୍ୟା କସ୍ତୁରୀ ପାଣିଗ୍ରାହୀ, ଓଡ଼ିଶା ଅଭିଭାବକ ସଂଘ ସଭାପତି ବାସୁଦେବ ଭଟ୍ଟ ଓ ଯୁବ ସଂଗଠକ ପ୍ରଦୀପ ଜେନା ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସି ଅନଶନ ରେ ସାମିଲ ହୋଇ ନିଜର ସମର୍ଥନ ଜଣାଇଛନ୍ତି। ଏହି ଅନଶନ କୁ ସମର୍ଥନ ଜଣାଇ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଦିନବନ୍ଧୁ କର ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି ଦାବି ପୂରଣ ପାଇଁ ପ୍ରାର୍ଥନା କରିବେ ବୋଲି ଜଣାଇଛନ୍ତି। ବିଭିନ୍ନ ସମସ୍ୟା ଗୁଡ଼ିକ ଅଞ୍ଚଳର ଆବଶ୍ୟକତା ଥିବାରୁ ଆଗକୁ ଏହି ଅନଶନରେ ଅନେକ ଲୋକ ସାମିଲ ହେବେ ବୋଲି ଜଣାପଡିଛି।