୧୦ଟି ବିଭାଗର ୧୨ଟି ପ୍ରସ୍ତାବ ରେ କ୍ୟାବିନେଟ୍ ମୋହର – 

ଭୁବନେଶ୍ୱର, ୧୭/୦୨/୨୦୨୪ (ଓଡ଼ିଶା ସମାଚାର)-ନିର୍ବାଚନ ପୂର୍ବରୁ ମହିଳା ଭୋଟର୍ଙ୍କ ମନ ଜିଣିବା ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚଜି)ର ୭୦ ଲକ୍ଷ ସଦସ୍ୟା ୟୁନିଫର୍ମ କିଣିବାକୁ ଏକ ହଜାର ଟଙ୍କାର ସହାୟତା ପାଇବେ। ମହାସଂଘଗୁଡ଼ିକର କାର୍ୟ୍ୟନିର୍ବାହୀ କମିଟି(ଗ୍ରାମାଞ୍ଚଳ) ଓ ପରିଚାଳନା କମିଟି(ସହରାଞ୍ଚଳ)ର ପ୍ରାୟ ଦେଢ଼ ଲକ୍ଷ ସଦସ୍ୟା ବ୍ଲେଜର୍ କିଣିବାକୁ ୨ ହଜାର ଟଙ୍କା ପାଇବେ। ଏଥିପାଇଁ ମିସନ୍ ଶକ୍ତି ବିଭାଗକୁ ୭୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି।  ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି।

ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ସମସ୍ତ ଏସ୍ଏଚ୍ଜି ସଦସ୍ୟାଙ୍କୁ ହଜାରେ ଟଙ୍କା ଲେଖାଏ ଦିଆଯିବ। ସେହିପରି ଗ୍ରାମପଞ୍ଚାୟତ, ବ୍ଲକ୍, ଜିଲ୍ଲା ସ୍ତରୀୟ ମହାସଂଘର କାର୍ୟ୍ୟନିର୍ବାହୀ କମିଟି ସଦସ୍ୟା ଏବଂ ସହରାଞ୍ଚଳରେ ଆଞ୍ଚଳିକ ମହାସଂଘର ପରିଚାଳନା କମିଟି ସଦସ୍ୟାଙ୍କ ପାଇଁ ମନ ପସନ୍ଦର ବ୍ଲେଜର୍ କ୍ରୟ କରିବା ନିମନ୍ତେ ପ୍ରତ୍ୟେକ ସଦସ୍ୟାଙ୍କୁ ୨ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ରାଶି ସ୍ବୟଂ ସହାୟକ ଗୋଷ୍ଠୀ ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ। ଏହି

ଐତିହାସିକ ନିଷ୍ପତ୍ତି ମିସନ୍ ଶକ୍ତି ଅଧୀନରେ ଥିବା ଏସ୍ଏଚଜି ତଥା ସେମାନଙ୍କ ମହାସଂଘର ସଦସ୍ୟାମାନଙ୍କ ଅନନ୍ୟ ପରିଚୟକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ପରିବର୍ତ୍ତନକାରୀ ଭୂମିକାକୁ ଦୃଢ଼ କରିବ ଏବଂ ଏସ୍ଏମ୍ଇରେ ପରିଣତ ହେବା ପାଇଁ ଉତ୍ସାହିତ କରିବ ବୋଲି କୁହାଯାଇଛି। ରାଜ୍ୟର ବୁଣାକାର ଓ ବୁଣା କାର୍ୟ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ କଲ୍ୟାଣ ନିମନ୍ତେ ଓଡ଼ିଶା ସରକାର ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ପ୍ରଣୟନ କରିବା ପାଇଁ ଘୋଷଣା କରିସାରିଛନ୍ତି। ଏଥି ସହିତ ପ୍ରଚଳିତ ବରିଷ୍ଠ ବୁଣାକାର ସହାୟତା ଯୋଜନାକୁ ସରକାର ପ୍ରତ୍ୟାହାର କରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ରାଜ୍ୟ ସରକାର ସମସ୍ତ ୟୁଜି/ପିଜି ଛାତ୍ରଛାତ୍ରୀଙ୍କ ପାଇଁ ‘ନୂଆ-ଓ ଛାତ୍ରବୃତ୍ତି’ ଘୋଷଣା କରିଛନ୍ତି। ଏଥିରେ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ଯୋଗାଇ ଦିଆଯିବ। ଏହି ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି। ଏହି ଯୋଜନାରେ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୩୨୦୧.୦୮ କୋଟି ଟଙ୍କା ବ୍ୟୟ କରାଯିବ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାଗୁଡ଼ିକରେ ଆକାଉଣ୍ଟାଣ୍ଟ୍-କମ୍-ଡାଟା ଏଣ୍ଟ୍ରି ଅପରେଟର୍ ନିଯୁକ୍ତି କରାଯିବ। ଏଥି ପାଇଁ ୭,୧୪୨ ପଦବି ସୃଷ୍ଟି କରାଯାଇଛି। ଏହି ଆକାଉଣ୍ଟାଣ୍ଟ୍-କମ୍-ଡାଟା ଏଣ୍ଟ୍ରି ଅପରେଟରର୍ମାନେ ଗ୍ରାମ ପଞ୍ଚାୟତ ପ୍ରଶାସନିକ ନିୟନ୍ତ୍ରଣରେ କାର୍ୟ୍ୟ କରିବେ। ଗ୍ରାମ ରୋଜଗାର ସେବକଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ‘ଆକାଉଣ୍ଟାଣ୍ଟ୍-କମ୍-ଡାଟା ଏଣ୍ଟ୍ରି ଅପରେଟର୍’ର ୩୦% ପଦବିରେ ସେମାନଙ୍କୁ ମନୋନୀତ କରାଯିବ। ଅବଶିଷ୍ଟ ୭୦% ପଦବିରେ ପ୍ରତ୍ୟକ୍ଷ ନିଯୁକ୍ତି ଦଆଯିବ। ଏହି ପ୍ରସ୍ତାବ କ୍ୟାବିନେଟ୍  ରେ ପାରିତ ହୋଇଛି।

Leave a Reply

Your email address will not be published. Required fields are marked *