ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଙ୍କ ପ୍ରେସ୍ ବିବୃତ୍ତି

ଜଗତସିଂହପୁର,୨୪/୧୦/୨୦୨୬(ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ସମ୍ଭାବ୍ୟ ବାତ୍ୟା  ପରିସ୍ଥିତି ର ମୁକାବିଲା ପାଇଁ   ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସଦ୍ଭାବନା ସଭାଗୃହରେ ଏକ ପ୍ରେସ୍ ବିବୃତ୍ତି ଆଗତ କରିଥିଲେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆସନ୍ତା ୨୬ ଅକ୍ଟୋବର ରେ ବଙ୍ଗୋସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇ ବାତ୍ୟାର ରୂପ ନେବା ସହ ସମୁଦ୍ର ମଧ୍ୟରେ ଗତି କରି ୨୭ ମଧ୍ୟରାତ୍ର କିମ୍ବା ୨୮ତାରିଖ  ସକାଳ ସୁଦ୍ଧା କାକିନାଡା ଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହେବାକୁ ଥିବା ବେଳେ  ଜଗତସିଂହପୁର ଜିଲ୍ଲାରେ ଅରେଞ୍ଜ ୱାର୍ନିଙ୍ଗ ସହ ବର୍ଷା ଏବଂ ଘଣ୍ଟା ପ୍ରତି ୫୦ କିମି ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲା ର ଉପକୂଳବର୍ତ୍ତୀ ବାତ୍ୟା ପ୍ରବଣ ଅଞ୍ଚଳ ଯେପରି ବାଲିକୁଦା, ଏରସମା ଓ କୁଜଙ୍ଗ ବ୍ଲକ ର ବିଭିନ୍ନ ଅଞ୍ଚଳ ରେ କଚ୍ଚା ଘରେ ରହୁଥିବା ଲୋକ, ତଳିଆ ଅଞ୍ଚଳ, ଜଳମଗ୍ନ ହେବାର ଆଶଙ୍କା ଥିବା ଅଞ୍ଚଳ, ବିସ୍ଥାପିତ ଶ୍ରମଜୀବୀ ଆଦି ମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତ ସରିଛି।ଏ ନେଇ ଆଜି ପୂର୍ବାହ୍ନ ରେ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ,ସମସ୍ତ ଲାଇନ୍ ବିଭାଗ, ବିଡ଼ିଓ, ତହସିଲଦାର ଙ୍କ ସମେତ ବରିଷ୍ଠ ଅଧିକାର ଙ୍କ ସହ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି।

ଜିଲ୍ଳା ପ୍ରଶାସନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ର ପରିସ୍ଥିତ ଓ ସୂଚନା ଅନୁଯାୟୀ ଜିଲ୍ଲା ପ୍ରତି ସେପରି କିଛି ବିପଦ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଜନସାଧାରଣ ଙ୍କୁ ଏଥିପାଇଁ ଭୟଭୀତ ନ ହେବାକୁ କହିଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ମାଇକିଂ ସହ ସମସ୍ତ କ୍ଷେତ୍ରୀୟ ଅଧିକାରୀ ମାନଙ୍କ ଦ୍ୱାରା, ଗଣମାଧ୍ୟମ ତଥା ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ସତର୍କ ସୂଚନା ପ୍ରଦାନ କାରାଯିବ।ସେହିପରି କ୍ଷେତ୍ରୀୟ କୃଷି ଅଧିକାରୀ ମାନେ ବ୍ଲକ୍ ତଥା ପଞ୍ଚାୟତ ସ୍ତରରେ ଲୋକମାନଙ୍କୁ ସଚେତନ କରାଇବେ। ଜିଲ୍ଳାର ୪୫ ଟି ଆଶ୍ରୟ ସ୍ଥଳୀ ରେ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତରିତ କାରାଯିବ।ଜଳ ମଗ୍ନ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଅଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ମହଜୁଦ ରଖାଯାଇଛି।  ପରିସ୍ଥିତି କୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବେ ଓ ସଠିକ୍ ପଦକ୍ଷେପ ନେବେ ବୋଲି ସେ କହିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍  ରହିଛି ଓ ଜରୁରୀ କ୍ଷେତ୍ରରେ ଜନସାଧାରଣଙ୍କୁ ଯୋଗାଯୋଗ କରିବା ପାଇଁ ସେ କହିଥିଲେ ।

ଜିଲ୍ଲା ଜରୁରକାଳୀନ ବିଭାଗ କଣ୍ଟ୍ରୋଲ ରୁମ୍  ନମ୍ବର ୨୨୦୩୬୮ ରେ ଆବଶ୍ୟକ ସ୍ଥଳେ ଯୋଗାଯୋଗ କରିପାରିବେ।ବଜାର ରେ ଆବଶ୍ୟକୀୟ ସାମଗ୍ରୀ ର ଦର ବୃଦ୍ଧି ଉପରେ ମଧ୍ୟ ନଜର ରଖାଯାଇଛି ଓ ଜିଲ୍ଲା ଯୋଗାଣ ଅଧିକାରୀ ଓ ଏମ ଆଇ ମାନେ ନିଜେ ଯାଇ ତାର ଯାଞ୍ଚ କରୁଛନ୍ତି । ମତ୍ସ୍ୟ ଜିବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ଓ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ଆଜି ସଂଧ୍ୟା ସୁଦ୍ଧା ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଗର୍ଭବତୀ ମହିଳା, ଯେଉଁମାନଙ୍କର ଆସନ୍ତା ୩ ସପ୍ତାହ ମଧ୍ୟରେ ପ୍ରସବ ଡେଟ୍ ଅଛି, ସେମାନଙ୍କୁ ଚିନ୍ହଟ କରି ତୁରନ୍ତ ନିରାପଦ ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ଆଶ୍ରୟ ସ୍ଥଳୀର ଲାଇଟ୍, ଶୌଚାଳୟ ଓ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା ରଖାଯାଇଛି ଓ ତଦାରଖ ମଧ୍ୟ କରାଯାଉଛି । ଏଥିସହିତ ଶୁଖିଲା ଖାଦ୍ୟ, ଛତୁଆ, ଗୋଖାଦ୍ୟ ଏବଂ ଆବଶ୍ୟକ ସ୍ଥଳେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।ଜିଲ୍ଲା ର ବିଭିନ୍ନ ଆଶ୍ରୟ ସ୍ଥଳ ପରିଦର୍ଶନ କରି ଅତ୍ୟାବଶ୍ୟକୀୟ ସେବା ସୁବ୍ୟବସ୍ଥିତ କରିବା ପାଇଁ ସଂପୃକ୍ତ ବିଡିଓ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ଆୟୋଜିତ ଅସ୍ଥାୟୀ ତୋରଣ ଓ ପୁଜା ମଣ୍ଡପ ଗୁଡ଼ିକୁ ଆସନ୍ତା ୨୫ ତାରିଖ ସୁଦ୍ଧା ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାସହ ଉପ ଜିଲ୍ଲାପାଳ ଓ ସଂମ୍ପୃକ୍ତ ଅଞ୍ଚଳ ର ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀ ମାନଙ୍କୁ ଏହାର ସୁନିଶ୍ଚିତତା ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଥିବା ଆଶ୍ରୟ ସ୍ଥଳୀ କୁ ଯୋଗାଯୋଗ କରୁଥିବା ରାସ୍ତା ର ତ୍ୱରିତ ମରାମତି, ଭଗ୍ନ ବା ଭଗ୍ନ ସଦୃଶ ଇଲେକ୍ଟ୍ରିକ ଖୁଣ୍ଟି କୁ ଅପରୁଟ କରିବା, ଆବଶ୍ୟକ ସ୍ଥଳେ ଗଛ ବା ଡାଳ କାଟିବା, ଡ୍ରେନ ସଫା, ଔଷଧ , ଓ ଆର ଏସ, ସାପ କାମୁଡ଼ା ପାଇଁ ଆଣ୍ଟୀ ଭେନମ, ରାପିଡ ରେସ୍ପନ୍ସ ଟିମ୍,ସାନିଟାରୀ ନ୍ୟାପକିନ୍, ଆମ୍ବୁଲାନ୍ସ ,ପଲିଥିନ, ପାନୀୟ ଜଳ, ଶୁଖିଲା ଖାଦ୍ୟ, ଆସ୍କା ଲାଇଟ୍, ଗାଡି ପାଇଁ ଫୁଏଲ ଆଦି ଯଥେଷ୍ଟ ମାତ୍ରା ରେ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶ ଥାଉ କି, ଜିଲ୍ଲାରେ ୨୬ ରୁ ୨୯ ତାରିଖ ପର୍ଯ୍ୟନ୍ତ ବାତ୍ୟା ର ପ୍ରଭାବ ଦ୍ଵାରା ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାବେଳେ ବାତ୍ୟା ପରବର୍ତ୍ତୀ ସମୟରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ର ସମ୍ଭାବନା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି ସେ କହିଥିଲେ।

ଏହି ପ୍ରେସ ବିବୃତ୍ତି ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଡେପୁଟି କଲେକ୍ଟର ଏମର୍ଜେନ୍ସି,ଏସ ଡି ପି ଓ,ଜଗତସିଂହପୁର, ଡି ଏସ ପି ଡି ଆଇ ବି, ଆଇ ଆଇ ସି, ଜଗତସିଂହପୁର ଙ୍କ ସମେତ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆର ପ୍ରତିନିଧି ଉପସ୍ଥିତ ଥିଲେ।

ଏଥିସହିତ ସମସ୍ତ ଜିଲ୍ଲାବାସୀ ଙ୍କୁ ଭୟଭୀତ ନ ହୋଇ, ଗୁଜବ ର ଶିକାର ନହୋଇ, ସତ୍ୟାସତ୍ୟ ଅନୁସନ୍ଧାନ ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *