କେନ୍ଦ୍ରାପଡାରେ ୬୭ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୧/୧୦/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲା ପୋଲିସ ରିଜର୍ଭ ପଡିଆରେ ବୁଧବାର ୬୭ତମ ପୋଲିସ ସହିଦ୍ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ପ୍ରଥମେ ରାଜ୍ୟପାଳ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିଥିଲେ । ଏହାପରେ ଏସପି ସହିଦ ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତବ୍ୟନିଷ୍ଠ ଜବାନ ଲଦାଖ୍ ଠାରେ ଭାରତସୀମା ଉଲଂଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର ସେବାରେ ପ୍ରାଣବଳୀ ଦେଇଥିଲେ ।

୧୯୬୦ମସିହା ଜାନୁଆରୀ ମାସରେ ଦେଶର ସମସ୍ତ ଆରକ୍ଷୀ ମହାନିରୀକ୍ଷକମାନଙ୍କ ଅନୁଷ୍ଠିତ ସମ୍ମିଳନୀରେ ଏହି ଦିବସକୁ ସହିଦ୍ ଦିବସ ରୂପେ ପ୍ରତ୍ୟେକ ଜିଲାର ସଦର ମହକୁମା ଏବଂ ପୋଲିସ ପ୍ରତିଷ୍ଠାନ ମାନଙ୍କରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ କର୍ତବ୍ୟ ସମ୍ପାଦନ ସମୟରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ବା ରାଷ୍ଟ୍ର ପାଇଁ ସର୍ବୋଚ ତ୍ୟାଗ ସ୍ୱୀକାର କରିଥିବା ବୀର ପୋଲିସମାନଙ୍କ ସ୍ମୃତି ଉଦେଶ୍ୟରେ ୧୯୬୦ ମସିହା ଠାରୁ ଏହି ଦିବସ ପାଳିତ ହୋଇ ଆସୁଅଛି । ଦେଶର ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏହି ବୀର ପୋଲିସମାନେ ବୀରତ୍ୱ ସହିତ କର୍ତବ୍ୟ ସମ୍ପାଦନ କରି ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥାନ୍ତି ।

ଗତ ବର୍ଷକ ମଧ୍ୟରେ କର୍ତବ୍ୟ ସମ୍ପାଦନ ସମୟରେ ପ୍ରାଣବଳି ଦେଇଥିବା ଦେଶର ୧୫୪ଜଣ ବୀର ପୋଲିସଙ୍କ ପ୍ରତି ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିସହିତ ଅତିରିକ୍ତ ଏସପି ପ୍ରଭାତ ବିଶ୍ୱାଳ ଓ ସୁଧାକର ସାହୁ, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୌଡ, ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ କୁମାର ପାତ୍ର, ଡିଏସପି(ଆଇସିଏଡବ୍ଲୁ) ସଶ୍ମିତା ସାହୁ,ହେଡକ୍ୱାଟର ଇନସପେକ୍ଟର ଶ୍ରୀକାନ୍ତ ବାରିକ, ସାଇବର ଥାନା ଇନସପେକ୍ଟର ଦିଲ୍ଲିପ କୁମାର ସାହୁ, ଧିରଜ ଲେଙ୍କା, କିଶୋର ତରାଇ ଓ ସୁଧାସ୍ମିତା ପୃଷ୍ଟି,ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ପ୍ରମୁଖ ସହିଦ୍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ପ୍ୟାରେଡ୍କୁ ରିଜର୍ଭ ପୋଲିସ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ କମାଣ୍ଡିଙ୍ଗ କରିଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡିଙ୍ଗ ଭାବେ ସବ ଇନ୍ସପେକ୍ଟର (ଆର୍ମସ) ରାଜେଶ ବାରିକ, ହାବିଲଦାର ମେଜର ପିଟର ଆଇନ୍ଦି ଓ ହାବିଲଦାର ମେଜର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ । ଏହି ପ୍ୟାରେଡ୍ ରେ ୩ପ୍ଲାଟୁନ୍ ଫୋର୍ସ ଅଂଶଗ୍ରହଣ କରିଥିଲେ । ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧିକ୍ଷକ ଶ୍ରୀ କଟ୍ଟାରିଆ ଅଭିବାଦନ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *