କେନ୍ଦ୍ରାପଡା କଲେଜ ଛାତ୍ର ସଂସଦ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ

କେନ୍ଦ୍ରାପଡ଼ା,୧୬/୧୦/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ନବ ନିର୍ବାଚିତ ଛାତ୍ରସଂସଦ କର୍ମକର୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ଦାସ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କିନ୍ତୁ କେଉଁ କାରଣ ପାଇଁ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ ରଖାଗଲା ତାହାର କୌଣସି ଯୁକ୍ତିଯୁକ୍ତ କାରଣ ସେ ଗଚ୍ଚମାଧ୍ୟମକୁ ଦେଇପାରି ନାହାନ୍ତି । କେବଳ କେତେକ ଅନିବାର୍ଯ୍ୟ କାରଣ ଯୋଗୁଁ ଏହାକୁ ସ୍ଥଗିତ ରଖାଗଲା ବୋଲି ସେ ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଏହା ବଳବତର ରହିବ ବୋଲି ସେ ସୂଚନା ଦେଇଛନ୍ତି । ବିଧି ଅନୁଯାୟୀ ଛାତ୍ରଛାତ୍ରୀମାନେ ଛାତ୍ରସଂସଦ ନିର୍ବାଚନରେ ବିଜୟୀ ହେବାର ପରଦିନ ଶପଥ ନେଇଥାନ୍ତି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ବାଚିତ ଛାତ୍ରଛାତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥାନ୍ତି । ଏହାପରେ ସେମାନେ ବିଧିବଦ୍ଧ ଭାବେ ମହାବିଦ୍ୟାଳୟରେ ନିର୍ବାଚିତ ପ୍ରତିନିଧି ଭାବେ ଘୋଷିତ ହୋଇଥାନ୍ତି । କିନ୍ତୁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇନଥିବାରୁ ନିର୍ବାଚିତ ପ୍ରତିନିଧିମାନେ ବିଧିବଦ୍ଧ ଭାବେ ନେତା ହୋଇପାରିବେ ନାହିଁ । ଏହାକୁ ନେଇ ନିର୍ବାଚିତ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶାସକ ବିଜେପି ସମର୍ଥିତ ଏ.ବି.ଭି.ପି.ର ପ୍ରାର୍ଥୀମାନେ ହାରି ଯିବାରୁ ପ୍ରଶାସନିକ କଳକୁ ସରକାର ବ୍ୟବହାର କରି ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟ କରିଛନ୍ତି ବୋଲି ନିର୍ବାଚିତ ଛାତ୍ରନେତାମାନେ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଷ୍ଟାଫ କାଉନସିଲ ବୈଠକ ଡକାଯାଇଥିଲା । ବୈଠକର ନିଷ୍ପତି କ୍ରମେ ଶପଥ ଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *