କେନ୍ଦ୍ରାପଡ଼ା, ୧୬/୧୦/୨୦୨୬ (ଓଡ଼ିଶା ସମାଚାର)- ସରକାରୀ କଳର ଚାପ ଏବଂ ପ୍ରଶାସନିକ କଳ ବଳ କୌଶଳର ମାତ୍ରାଧିକ ବ୍ୟବହାର ସତ୍ୱେ କେନ୍ଦ୍ରାପଡା ଜିଲାର ପ୍ରମୁଖ ମହାବିଦ୍ୟାଳୟ ମାନଙ୍କରେ ବିଜୁ ଛାତ୍ର ଜନତା ଦଳ ବିପୁଳ ବିଜୟ ହାସଲ କରିଛି ବୋଲି ଦଳର ଜିଲା ଛାତ୍ର ସଭାପତି ସାହେବ ସାହିଲ ରାଉତ ଗୌରୀଶଙ୍କର ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଚଳିତ ଶିକ୍ଷା ବର୍ଷରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ନିଜର ଦବ୍ଦବା ଜାହିର କରିବା ପାଇଁ ନିଜର ସମସ୍ତ ଖଳ ବିଦ୍ୟା ଓ ବୁଦ୍ଧି ଲଗାଇ ଷଡଯନ୍ତ୍ର କରିଥିଲା ସରକାରୀ ଦଳ । ସର୍ବ ପ୍ରଥମେ ଅନ୍ୟ ଛାତ୍ର ସଂଗଠନକୁ ନିର୍ବାଚନୀ ପ୍ରସ୍ତୁତ ହେବା ପାଇଁ ସମୟ ନଦେଇ ହଠାତ୍ ଅଳ୍ପଦିନର ନୋଟିସ୍ ଜାରି କରିଥିଲେ ସରକାର । ଦ୍ୱିତୀୟରେ ଯେଉଁ କଲେଜ ମାନଙ୍କରେ ସେମାନଙ୍କ ଛାତ୍ର ସଂଗଠନ (ଏ.ବି.ଭି.ପି)ର ସାଂଗଠାନିକ ଦୁର୍ବଳତା ପ୍ରକାଶ ପାଇଥିଲା ସେହି କଲେଜମାନଙ୍କରେ ଚାପ ପ୍ରୟୋଗ କରି ନିର୍ବାଚନକୁ ବାତିଲ୍ କରାଇଥିଲେ ସରକାର ।
ତୃତୀୟରେ ଛାତ୍ର ନିର୍ବାଚନରେ ଟଙ୍କା ବାଂଟି କଳା ଇତିହାସ ରଚନା କରିଥିଲା ଏ.ବି.ଭି.ପି । କିନ୍ତୁ ଏତେ ସବୁ ପ୍ରୟାସ ସତ୍ୱେ ଛାତ୍ର ସମାଜ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା । ବିଜୁ ଜନତା ସମର୍ଥିତ ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ସମର୍ଥନ କରି ବିଜୟଟୀକା ପିନ୍ଧାଇଥିଲା । ସଂଖ୍ୟାଧିକ ଭୋଟ୍ରେ ବିଜୟୀ ହୋଇଥିବା ପ୍ରାର୍ଥôମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡାଇନେବା ପାଇଁ ମଧ୍ୟ କୁଣ୍ଠାବୋଧ କରୁନାହାନ୍ତି ସରକାର । ଏପରିକି ଶପଥପାଠ କାର୍ଯ୍ୟକ୍ରମକୁ ପ୍ରଶାସନିକ ଚାପ ପ୍ରୟୋଗ କରି ବନ୍ଦ କରିବାରେ ସଫଳ ହୋଇଛନ୍ତି ତଥା କଥିତ ନ୍ୟାୟ, ନୀତି ଓ ଶୃଙ୍ଖଳାର ପାଠ ପଢାଉଥିବା ଏ.ବି.ଭି.ପି ଏବଂ ମୋହନ ମାଝୀ ସରକାର ।
ଏହା ନିର୍ବାଚିତ ଛାତ୍ରନେତା ମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା ସଦୃଶ । ବିଜୁ ଛାତ୍ର ଜନତା ଦଳ ଏହାକୁ ଦୃଢ ଭାବରେ ନିନ୍ଦା କରିବା ସହିତ ବିଭିନ୍ନ ଛାତ୍ର ସଂସଦରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସମସ୍ତ ଛାତ୍ର ନେତାଙ୍କୁ ସ୍ୱାଗତ କରିଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ବିଜୁ ଛାତ୍ରଜନତା ଦଳ ସହ ଛିଡା ହୋଇ ସମର୍ଥନ ଦେଇଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦଳ କୃତଜ୍ଞତା ଜ୍ଞାପନ କରିଛି ।
ବିଜୁ ଛାତ୍ରଜନତା ଦଳ ସମର୍ଥôତ ପ୍ରାର୍ଥିମାନେ ବିଜୟ ଲାଭ କରିଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଇନ୍ଦୁପୁରସ୍ଥିତ ବିରୂପା ମହାବିଦ୍ୟାଳୟ, ଦାଣ୍ଡିସାହିସ୍ଥିତ ବ୍ରାହ୍ମଣୀ ମହାବିଦ୍ୟାଳୟ,ମହାକାଳପଡାସ୍ଥିତ ବାୟାବାବ ମହାବିଦ୍ୟାଳୟ, ଓଳାଭର ମହାବିଦ୍ୟାଳୟ,ଆଳି ମହାବିଦ୍ୟାଳୟ,ରାଜକନିକାର ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଓ ରାଜନଗରର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପ୍ରଭୃତି ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ବିଜୁ ଛାତ୍ରଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ମଣ୍ଡଳ, ବିଜୁ ଯୁବଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ କମଳ ପ୍ରସାଦ ହରିଚନ୍ଦନ ଓ ଲୋହିତ ମହାନ୍ତି, ପୂର୍ବତନ ଜିଲା ବିଜୁ ଛାତ୍ର ଜନତାଦଳ ସଭାପତି ପ୍ରଦୀପ ସାହୁ, କାଉନସିଲର ପ୍ରଭାଶିଷ ପଣ୍ଡା, ଉମେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
