ସ୍ଵାଧୀନୋତ୍ତର ଭାରତରେ ଶାସ୍ତୀଜୀ ଏକ ବିସ୍ମୟ ପ୍ରତିଭା

ଭୁବନେଶ୍ୱର, ୦୨/୧୦/୨୦୨୬(ଓଡ଼ିଶା ସମାଚାର)- ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜଣେ ସରଳ, ନିଷ୍ଠାପର ଏବଂ ନୀତିବାନ ଜନନେତା ଭାବରେ  ସ୍ଵାଧୀନୋତ୍ତର ଭାରତର ଇତିହାସରେ ସର୍ବକାଳୀନ ଆଦର୍ଶ ପ୍ରଧାନମନ୍ତ୍ରୀ, ସମ୍ମୁଜ୍ଜ୍ବଳ ତଥା ଉଦାହରଣୀୟ ସମାଜସେବକ ଭାବେ କୋଟି କୋଟି ଭାରତୀୟଙ୍କ ହୃଦୟରେ ଚିର ବନ୍ଦନୀୟ ମହାପୁରୁଷ ହୋଇ ରହିଛନ୍ତି ଓ ରହିଥିବେ ବୋଲି ରାଜଧାନୀର ଶାସ୍ତ୍ରୀ ନଗର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ୧୨୩ ଜୟନ୍ତୀ ଅବସରରେ ଆୟୋଜିତ ସ୍ମୃତି ଚାରଣ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ” ସୁବାର୍ତ୍ତା”ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ନିଜର ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶାସ୍ତ୍ରୀ ନଗରର ଏକ ପ୍ରମୁଖ ସ୍ଥାନରେ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଆଇନ୍ ମନ୍ତ୍ରୀ ଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାରେ ମିଳିଥିବା ପ୍ରତିଶ୍ରୁତି ସମ୍ପର୍କରେ ସୂଚନା ଦେବା ସହିତ ବିଧାନ ସଭା ପରିସରରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ନିକଟରେ ଶାସ୍ତ୍ରୀଜୀ ଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ସମ୍ପର୍କରେ ମାନ୍ୟବର ବାଚସ୍ପତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହିତ ଆଲୋଚନାର ସୂଚନା ମଧ୍ୟ ଦେଇଥିଲେ ।

ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଶାସ୍ତ୍ରୀଜୀ ସମାଜର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି।  ୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ଦେଶରେ ଖାଦ୍ୟାଭାବ ସମୟରେ ସେ କୃଷକ ଓ ସୈନିକମାନଙ୍କ ମନୋବଳ ବୃଦ୍ଧି ପାଇଁ ଯେଉଁ ” ଜୟ ଜବାନ୍ ଜୟ କିଶାନ୍  ଐତିହାସିକ ଆହ୍ବାନ ଦେଶବାସୀ ଙ୍କୁ ଦେଇଥିଲେ ତାହାର ପ୍ରଭାବର ପ୍ରଭାବିତ ହୋଇ ଆସିଛି ଭାରତୀୟ ଶାସନ, ପ୍ରଶାସନିକ ବ୍ୟବସ୍ଥା ଏବଂ  ପରବର୍ତ୍ତୀ ସମୟରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଦ୍ଵାରା ” ଜୟ ଜବାନ୍, ଜୟ କିଶାନ,ଜୟ ଜବାନ୍, ଜୟ ବିଜ୍ଞାନ ” ଆହ୍ବାନ ପ୍ରଲମ୍ବିତ ହୋଇଛି ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ” ଜୟ ଜବାନ୍,ଜୟ କିଶାନ ,ଜୟ ବିଜ୍ଞାନ,ଜୟ ଅନୁସନ୍ଧାନ ” ଆହ୍ବାନର ଫଳ ଶ୍ରୁତି ହିଁ ୧୯୯୮ ମସିହାରେ ପୋଖରାନ୍ ପରମାଣୁ ପରୀକ୍ଷଣ ପରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଥିରେ “ଜୟ ବିଜ୍ଞାନ” ଯୋଡ଼ି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଶକ୍ତିକୁ ସ୍ବୀକୃତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଇଣ୍ଡିଆନ୍ ସାଇନ୍ସ କଂଗ୍ରେସରେ ଏହି ନାରାକୁ ଆଗକୁ ବଢ଼ାଇ “ଜୟ ଅନୁସନ୍ଧାନ” (ଗବେଷଣା ଓ ନବସୃଜନ) ଯୋଡ଼ିଥିଲେ। ମୋଦି ଙ୍କ ଆତ୍ମ ନିର୍ଭର ଭାରତ , ଯାହା କୃଷି, ସେନା ଏବଂ ବିଜ୍ଞାନ କ୍ଷେତ୍ରରେ ଗବେଷଣା ମାଧ୍ୟମରେ ଦେଶକୁ ଆତ୍ମନିର୍ଭର କରିବାର ମୂଳ ଦର୍ଶନ ପ୍ରଦାତ୍ତା ହିଁ ଶାସ୍ତ୍ରୀଜୀ ।

ଦେଶକୁ ଖାଦ୍ୟ ଶସ୍ୟରେ ଆତ୍ମନିର୍ଭରଶୀଳ କରିବା ପାଇଁ ସେ କୃଷି କ୍ଷେତ୍ରରେ ସଂସ୍କାର ଆଣିଥିଲେ, ଯାହା ପରବର୍ତ୍ତୀ ସମୟରେ ‘ସବୁଜ ବିପ୍ଳବ’ର ରୂପ ନେଇଥିଲା। ଏହା ସହିତ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ‘ରାଷ୍ଟ୍ରୀୟ ଦୁଗ୍ଧ ବିକାଶ ବୋର୍ଡ’ ସ୍ଥାପନ କରି ଶ୍ୱେତ ବିପ୍ଳବକୁ ପ୍ରୋତ୍ସାହିତ କରିଥିଲେ। ଶାସ୍ତ୍ରୀଜୀ ଜାତିପ୍ରଥା ଏବଂ ସାମାଜିକ ଭେଦଭାବର ଘୋର ବିରୋଧୀ ଥିଲେ। ନିଜ ନାମରୁ ନିଜର ପାରିବାରିକ ପଦବୀ (ଜାତି ସୂଚକ ସରନେମ୍ ଶ୍ରୀବାସ୍ତବ) ହଟାଇ ସେ କାଶୀ ବିଦ୍ୟାପୀଠରୁ ପାଇଥିବା ‘ଶାସ୍ତ୍ରୀ’ ଉପାଧିକୁ ବ୍ୟବହାର କରିଥିଲେ।

ଗୃହମନ୍ତ୍ରୀ ଥିବା ସମୟରେ ସେ ପ୍ରଶାସନିକ ସ୍ୱଚ୍ଛତା ଏବଂ ଦୁର୍ନୀତି ରୋକିବା ପାଇଁ ‘ସନ୍ଥାନମ୍ କମିଟି’ ଗଠନ କରିଥିଲେ। ସେ ନିଜ ଜୀବନରେ ସରଳତା ଓ ସାଧୁତାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିଲେ। ଲୋକସେବକ ମଣ୍ଡଳ ସହ ଜଡ଼ିତ ରହି ଗରିବ, ଅନାଥ ଓ ପଛୁଆ ବର୍ଗର ଲୋକଙ୍କ ସେବା ଓ ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।ସେ ଦେଶରେ ସର୍ବଦା ଧର୍ମନିରପେକ୍ଷତା ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାକୁ ପ୍ରାଥମିକତା ଦେଇଥିଲେ ବୋଲି ଶ୍ରୀ ଶତପଥୀ ପ୍ରକାଶ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ପରିଷଦକୁ ଅନେକ ପ୍ରସ୍ତାବ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଶାସ୍ତ୍ରୀ ନଗରର ବିକାଶ ପାଇଁ , ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ  ନିଜର ପ୍ରତିଶ୍ରୁତିବଦ୍ଧତା ପରିପ୍ରକାଶ କରିଥିଲେ ।

ପରିଷଦର ସଭାପତି ସନ୍ତାପ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଜେପି ଦଳର ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସମେତ ଅନେକ ନେତା ଓ ପଦାଧିକାରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ମହାନଗର ନିଗମ ସଦସ୍ୟା ଗୀତାଞ୍ଜଳି ସାହୁ, ପରିଷଦର ଉପଦେଷ୍ଟା ଅଶୋକ କୁମାର ବେହେରା, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପାଢ଼ୀ , ପ୍ରଭାକର ଆଚାର୍ଯ୍ୟ, ଗିରିଜା ନନ୍ଦନ ମହାନ୍ତି, ଅଭିରାମ ଜେନା,ରାମ ହରି ପାତ୍ର, ରଜନୀ ରାଜହଂସ, ସଞ୍ଜୀବ ପାତ୍ର, ପଙ୍କଜ ଦାଶ,ମାନବେନ୍ଦ୍ର ମିଶ୍ର , ପବିତ୍ର ମିଶ୍ର ପ୍ରମୁଖ ଶାସ୍ତ୍ରୀଜୀଙ୍କ ସାମାଜିକ ଅବଦାନ ସମୂହର ସ୍ମୃତି ଚାରଣ କରିଥିବାବେଳେ ପରିଷଦର ସମ୍ପାଦକ ଆଲୋକ ରଂଜନ ସାମନ୍ତରାୟ ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *