ଉଚ୍ଚଶିକ୍ଷାରେ ନବଦିଗନ୍ତ: ଏକ ଦୃଷ୍ଟିପାତ

ଭୁବନେଶ୍ୱର, ୧୩/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଅପରାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଚ୍ଚଶିକ୍ଷା ବିଭାଗର ବିଗତ ଦୁଇ ଦଶନ୍ଧିର ସଫଳତା ବିଷୟରେ ଆଲୋଚନା କରାଯାଇଥିଲା ।

        ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୦୦ ମସିହାରେ ୫୪୮ ଟି ଡିଗ୍ରୀ କଲେଜ ଥିବାବେଳେ ଆଜି ୧୦୪୦ ଡିଗ୍ରୀ କଲେଜ ଓଡ଼ିଶାରେ ଅଛି । ବିଶ୍ୱବିଦ୍ୟାଳୟ ସଂଖ୍ୟା ମଧ୍ୟ ୫ ରୁ ମଧ୍ୟ ୨୪ ରେ ପହଞ୍ଚିଛି ଯେଉଁଥିରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଓ ୭ ଟି ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି । ସେହିଭଳି କିଛି ଦିନ ପୂର୍ବରୁ ପୁରୀର ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଏହାର କାର୍ଯ୍ୟକ୍ଷମ ଓଡ଼ିଶା ଇତିହାସରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ରାଜ୍ୟରେ ୮ଟି ଏ-ଗ୍ରେଡ ବିଶ୍ୱବିଦ୍ୟାଳୟ, ଗୋଟିଏ ଏ ବିଶ୍ୱବିଦ୍ୟାଳୟ, ୪ ଟି ବି ନାକ୍‌ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ରହିଛି । ରାଜ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କେବଳ ପରିମାଣରେ ନୁହେଁ, ଗୁଣବତ୍ତାରେ ମଧ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟରେ ୨୧ ଟି  Functional Research Center of Excellence ମଧ୍ୟ ଖୋଲାଯାଇଛି ।

        ସେହିପରି ୫-‘ଟି’ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କାର୍ତ୍ତିକ ପାଣ୍ଡିଆନଙ୍କ ୫-ଟି ନୀତି ଅନୁଯାୟୀ କଲେଜଗୁଡିକର ସ୍ଥାୟୀ ଭିତ୍ତିଭୂମି ତିଆରି ହୋଇଛି । ଏଠାରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରୁମ ଓ ଲ୍ୟାବୋରଟୋରିର ସୁବିଧା ପାଇ ପାରିବେ । ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଛାତ୍ରଛାତ୍ରୀ ଇ-ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, କଳିଙ୍ଗ ଶିକ୍ଷା ସାଥି ଯୋଜନା ଆଦିର ଲାଭ ନେଇପାରିବେ । ସେହିପରି ବିଜୁ ଯୁବ ସଶକ୍ତିକରଣ ଯୋଜନା, ଗ୍ରୀନ୍‌ ପସେଜ ଯୋଜନା, ମାଗଣା ସିଭିଲ ସର୍ଭିସ କୋଚିଂ ଭଳି ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ କରାଯାଇଛି । ମୋ କଲେଜ ଅଭିଯାନ ଅଧିନରେ ବହୁ ପୁରାତନ ଛାତ୍ର କଲେଜ ସହ ଯୋଡି ହୋଇ ଆଜିର ଯୁବପିଢିଙ୍କୁ ମାର୍ଗଦର୍ଶନ କରାଉଛନ୍ତି ।

        ଉଚ୍ଚଶିକ୍ଷାରେ ଦକ୍ଷତା ବିକାଶ ଏବଂ ଉନ୍ନତ ନିଯୁକ୍ତି ସୁଯୋଗ ପାଇଁ ନାସକମ (NASSCOM) ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବାବେଳେ ଦିଲ୍ଲୀର ଜେଏନୟୁରେ ସ୍ୱତନ୍ତ୍ର ଓଡିଆ ଚେୟାର ଖୋଲିବା ପାଇଁ ବୁଝାମଣାପତ୍ର ଫେବୃଆରୀ ୪ ତାରିଖରେ ସ୍ୱାକ୍ଷରିତ ହୋଇଛି । ଅଧ୍ୟାପକ ଅଧ୍ୟାପିକାଙ୍କ ଦକ୍ଷତା ବିକାଶ ନିମନ୍ତେ ମଝିରେ ମଝିରେ ସେମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ କରାଯାଉଛି । କଲେଜଗୁଡିକରେ ଖାଲିଥିବା ପଦବୀ ପୂରଣ ଲାଗି ଅଧ୍ୟାପକଙ୍କ ନିଯୁକ୍ତି ପ୍ରକ୍ରିୟା ନିରନ୍ତର ଜାରି ରହିଛି । ୨୦୨୨-୨୩ ଶିକ୍ଷାବର୍ଷରେ ୪୬୭ ଜଣ ନିଯୁକ୍ତି ପାଇଥିବାବେଳେ ୨୦୨୩-୨୪ ଲାଗି ୧୦୩୩ ଜଣ ମନୋନୀତ ହୋଇଛନ୍ତି । ଖୁବଶୀଘ୍ର ସେମାନେ ନିଯୁକ୍ତି ପାଇବେ ।

        ଉଚ୍ଚଶିକ୍ଷାକୁ ସୁଦୂରପ୍ରସାରି କରିବା ପାଇଁ ରାଜ୍ୟରେ ୧୮ ଟି ନୂଆ ଡିଗ୍ରୀ କଲେଜ ଖୋଲାଯିବାକୁ ଅନୁମୋଦନ ପ୍ରାପ୍ତ ହୋଇଛି, ଯାହା ଏହି ଶିକ୍ଷାବର୍ଷ ଠାରୁ କାର୍ଯ୍ୟକ୍ଷମ ହେବ । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶ ପାଇଁ କଲେଜଗୁଡିକରେ ନୂଆ-ଓ କାର୍ଯ୍ୟକ୍ରମର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ନୂଆ-ଓ କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ନାୟକ ବୈଠକରେ ସୂଚନା ଦେଇଥିଲେ । ସେହିପରି ଲାପଟପ ସ୍କିମ୍‌ ଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ସିଧାସଳଖ ୩୦ହଜାର ଟଙ୍କା ପହଞ୍ଚି ଯାଉଛି ଓ ଏହି ଯୋଜନାର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ  ଦେଇଥିଲେ ।

        ବୈଠକରେ ଉଚ୍ଚଶିକ୍ଷା କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମିଶ୍ର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଓ ବହୁ ବିଭାଗୀୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *