୩୫ ହଜାର ଟଙ୍କା ଲାଞ୍ଚ ନେଇ ପୁରୀ ଜିଲ୍ଲା ପିପିଲି ତହସିଲ ର ଆର୍‌ଆଇ  ଓ ଏଆରଆଇ ଭିଜିଲାନ୍ସ ଜାଲରେ ଧରାପଡ଼ି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

କଟକ ୦୭/୦୯/୨୦୨୬ (ଓଡ଼ିଶା ସମାଚାର)-ଚାଷ ଜମିକୁ ଘରବାରୀ କିସମ ପରିବର୍ତ୍ତନ ପାଇଁ ୩୫ ହଜାର ଟଙ୍କା ଲାଞ୍ଚ ନେଇ ପୁରୀ ଜିଲ୍ଲା ପିପିଲି ତହସିଲ ର ଆର୍‌ଆଇ  ଓ ଏଆରଆଇ ଦୁଇ ରାଜସ୍ୱ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ସେମାନେ ହେଲେ ପିପିଲି ତହସିଲ ଅଧୀନ ଶିଉଳା ଆର୍‌ଆଇ ସର୍କଲର ଆର୍‌ଆଇ କଲ୍ୟାଣୀ ଜେନା ଓ ଏଆରଆଇ ପୂର୍ଣ୍ଣଚନ୍ଦ୍ର ବେହେରା।

ଭିଜିଲାନ୍ସ ନିର୍ଦ୍ଦେଶାଳୟ ଓଡିଶା, କଟକ  ଙ୍କ ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କର ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିବା ପାଇଁ ନିୟମାନୁସାରେ ଆବେଦନ କରିଥିଲେ। ମାମଲାର ତଦନ୍ତ ରିପୋର୍ଟ ପ୍ରସ୍ତୁତ ଓ ଅଗ୍ରସାରଣ କରିବା ପାଇଁ ଉଭୟ ରାଜସ୍ବ ଅଧିକାରୀ ତାଙ୍କୁ ୩୫ ହଜାର ଟଙ୍କା ଦାବି କରିଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ଆବେଦନକାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଆଜି ଜାଲ ବିଛାଇଥିଲା। ଆବେଦନକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଉଭୟ ଅଧିକାରୀଙ୍କୁ ଧରାଯାଇଥିଲା। ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗର ଯାଞ୍ଚ ପାଇଁ ଉଭୟଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ବ୍ରହ୍ମକୁଣ୍ଡି (ଚାରିଛକ), ଅଚ୍ୟୁତପୁର (ଚନ୍ଦନପୁର) ଓ ଭୁବନେଶ୍ୱର ରସୁଲଗଡ଼ରେ ଏକକାଳୀନ ତଲାସି ଜାରି ରହିଛି l ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *