କେନ୍ଦ୍ରାପଡ଼ା, ୦୫/୦୯/୨୦୨୬ (ଓଡ଼ିଶା ସମାଚାର)- ଦୀଘଦିନର ରାଜନୈତିକ ଅଭିଜ୍ଞତା ହାସଲ କରିଥିବା କେନ୍ଦ୍ରାପଡାର ବରିଷ୍ଠ କଂଗ୍ରେସ ନେତା ହଳଧର ସେଠୀ ଭକ୍ତଚରଣ ଦାସଙ୍କର ନୂତନ କାର୍ଯ୍ୟକର୍ତା କମିଟିରେ ସାଧାରଣ ସମ୍ପାଦକ ଭାବେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ପାଇଛନ୍ତି ।
ଛାତ୍ର ଜୀବନରୁ କଂଗ୍ରେସ ପ୍ରତି ନିଜର ସାଂଗଠାନିକ ଦୁର୍ବଳତା ଏବଂ ନିଜ ପରିବାରର କଂଗ୍ରେସ ଦଳ ପ୍ରତି ଆତ୍ମୀୟତା ପ୍ରକାଶ କରିଆସିଥିବା ଶ୍ରୀ ସେଠୀ ଭୁବନେଶ୍ୱରସ୍ଥିତ ବକ୍ସିଜଗବନ୍ଧୁ ମହାବିଦ୍ୟାଳୟରୁ ପ୍ରଥମେ ସ୍ନାତକ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗରୁ ସ୍ନାତକୋତର ଏବଂ ଉତ୍କଳ ୟୁନିଭରସିଟି ଆଇନ ମହାବିଦ୍ୟାଳୟରୁ ଏଲଏଲବି ପାସ କରି ମଧ୍ୟ କଂଗ୍ରେସ ଦଳ ପ୍ରତି ଛାତ୍ର ଜୀବନରୁ ରହିଥିବା ତାଙ୍କର ଅଦମ୍ୟ ସମର୍ଥନ ପାଇଁ ଶେଷରେ କଂଗ୍ରେସ ରାଜନୀତିକୁ ସେ ନିଜର ସମାଜ ସେବାର ମାଧ୍ୟମ ଭାବେ ଗ୍ରହଣ କରିନେଇଛନ୍ତି ।
ଛାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଥମେ ସେ ବିଜେବି ମହାବିଦ୍ୟାଳୟର ଛାତ୍ର ସଂସଦ ସମ୍ପାଦକରୁ ନିଜର କ୍ୟାରିୟର ଆରମ୍ଭ କରି ପରବର୍ତି ଅବସ୍ଥାରେ ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ, ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଆବାହାକ, ଉପାଧ୍ୟକ୍ଷ ଏବଂ ପ୍ରଦେଶ ମତ୍ସ୍ୟଜୀବି କଂଗ୍ରେସ ଅଧ୍ୟକ୍ଷ, କେନ୍ଦ୍ରାପଡାରୁ ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟ ଓ ଅଖିଳ ଭାରତ ମତ୍ସ୍ୟଜୀବି କଂଗ୍ରେସର ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ ।
ଦୀର୍ଘଦିନର ଏହି ରାଜନୈତିକ ଅଭିଜ୍ଞତା ଏବଂ କଂଗ୍ରେସ ପ୍ରତି ରହିଥିବା ତାଙ୍କର ଅନାବିଳ ସାଂଗଠାନିକ କାର୍ଯ୍ୟ, ନିର୍ବାଚନ ପରିଚାଳନା ଓ ନିଜର ସରଳ ତଥା ଭାତୃତ୍ୱପୂର୍ଣ୍ଣ କାର୍ଯ୍ୟନିପୁଣତା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଦାସ ଶ୍ରୀ ସେଠୀଙ୍କୁ ତାଙ୍କ କମିଟିରେ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଁ କରିଥିବା ସୁପାରିଶକୁ ଅଖିଳ ଭାରତ କଂଗ୍ରେସ କମିଟି ଶେଷରେ ମୋହର ମାରିଛନ୍ତି । କେନ୍ଦ୍ରାପଡାର କଂଗ୍ରେସ ପ୍ରେମୀ, କଂଗ୍ରେସ କାର୍ଯ୍ୟକର୍ତା ଓ ସାଧାରଣ ସମର୍ଥକମାନେ ଶ୍ରୀ ସେଠୀଙ୍କ ଏହି ନିଯୁକ୍ତିରେ ବେଶ ଉତ୍ସାହିତ ଥିବା ଅନୁଭବ ହେଉଛି । କେନ୍ଦ୍ରାପଡାରେ ଦୀର୍ଘଦିନ ଧରି ଗତ ୨୦୦୯ ମସିହାରୁ ଆଜି ଯାଏଁ ଦଳର ସମସ୍ତ ସାଂଗଠାନିକ କାର୍ଯ୍ୟରେ ନିଜର ଦକ୍ଷତା ମୁତାବକ କାର୍ଯ୍ୟ ସମ୍ପାଦନ କରିଥିବା ଶ୍ରୀ ସେଠୀ ସାଧାରଣ ନିର୍ବାଚନରେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଅତି ଉଚ୍ଚକୋଟିର ତଥା ପ୍ରଭାବି ପ୍ରଚାର ଦାୟିତ୍ୱ ନିଭାଉଥିବା ଅଂଚଳବାସୀ ମଧ୍ୟ ଅନୁଭବ କରିଛନ୍ତି ।
ଶ୍ରୀ ସେଠୀଙ୍କ ଏହି ନିଯୁକ୍ତି ପାଇଁ କେନ୍ଦ୍ରାପଡା କଂଗ୍ରେସରେ ନିଶ୍ଚିତ ଭାବେ ପ୍ରଭାବ ପଡିବ ଏବଂ କଂଗ୍ରେସ ଦଳ ସାଂଗଠାନିକ ଦୃଷ୍ଟିରୁ ବେଶ୍ ଆଗକୁ ବଢ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ନିଯୁକ୍ତି ନେଇ ଶ୍ରୀ ସେଠୀ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜ୍ଜୁନ ଖାଡଗେ ଓ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
