ସମ୍ବଲପୁର,୦୩/୦୯/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ । ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍ ଖୋଲି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୩ ଓ ଦକ୍ଷିଣ ପାର୍ଶର ୧ଟି ମିଶି ମୋଟ୍ ୪ଟି ସ୍କୁଇସ୍ ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ କରାଯାଉଛି।
ଗୁରୁବାର ସକାଳ ସାଢ଼େ ୯ଟାରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୭.୨୯ ଫୁଟରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୪୧ ହଜାର ୯୬୨ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।
ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ୍ ୯୮ ହଜାର ୭୪୧ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ ଗେଟ୍ ଜରିଆରେ ୬୪ ହଜାର ୯୩୨ ଘନଫୁଟ ଏବଂ ବିଭିନ୍ନ କେନାଲ, ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲ ଓ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ମୋଟ୍ ୩୩,୮୬୯ ଘନଫୁଟ ଜଳ ନିଷ୍କାସିତ ହେଉଛି।
