ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ୟ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ

ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ପ୍ରସ୍ତୁତ ହେବ ରୂପରେଖ –   ଆସନ୍ତା ଶିକ୍ଷାବର୍ଷରେ ଠିକ୍ ସମୟରେ ଛାତ୍ରଛାତ୍ରୀଙ୍କୁ ମିଳିବ ପାଠ୍ୟପୁସ୍ତକ  –   ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନର ରାସ୍ତା କଢ଼ାଯିବ

 ଭୁବନେଶ୍ୱର, ୨୫/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡିଶାର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବୃଦ୍ଧି ପାଇବ ଶିକ୍ଷାର ମାନ । ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରୂପରେଖ । ପ୍ରାରମ୍ଭିକ ପର୍ୟ୍ୟାୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଏହାର ସମୀକ୍ଷା କରିବା ସହିତ ଭିତ୍ତିଭୂମି, ଶୈକ୍ଷିକ ପରିବେଶ, ବିଦ୍ୟାଳୟ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

    ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବଙ୍କ ସମେତ ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ବିତ୍ତ ପରାମର୍ଶଦାତା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ୱତୀ ଏସ୍. ବିଭାଗ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡଙ୍କୁ ଅବଗତ କରାଇଛନ୍ତି । ବିଭାଗ ଅଧିନରେ ସମସ୍ତ କାର୍ୟ୍ୟକ୍ରମ କିପରି ସୁଚାରୁ ରୂପେ କରାଯିବ, ସେ ନେଇ ମନ୍ତ୍ରୀ ବିଚାରବିମର୍ଶ କରିଛନ୍ତି । ଆଗାମୀ ପାଞ୍ଚବର୍ଷ ପାଇଁ ଯୋଜନା ଖସଡ଼ା ପ୍ରସ୍ତୁତ ହୋଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଉତ୍ତମ ଶିକ୍ଷାଦାନର ବ୍ୟବସ୍ଥା ହିଁ ରାଜ୍ୟ ସରକାରଙ୍କ ପ୍ରାଥମିକତା, ଏ ଦିଗରେ ବିଭିନ୍ନ କାର୍ୟ୍ୟକ୍ରମ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି । ବିଭିନ୍ନ କାରଣରୁ ବନ୍ଦ କରାଯାଇଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସମୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

    ଉଚ୍ଚ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ହୋଇଥିବା ପରିବର୍ତ୍ତନକୁ ଦୀର୍ଘସ୍ଥାୟୀ କରିବା ସହ ଆଗାମୀ ଦିନରେ ପ୍ରତ୍ୟେକଟି ଶ୍ରେଣୀଗୃହରେ ସ୍ମାର୍ଟ ବୋର୍ଡ, ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଢାଞ୍ଚାରେ ଶିକ୍ଷାଦାନ ଆଦିକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ପାଠାଗାର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ମଧ୍ୟ ଯୋଜନା ରହିଛି । କୋଡିଂ, ପ୍ରକଳ୍ପ ଭିତ୍ତିକ ପାଠ୍ୟକ୍ରମ, ଜୀବନ କୌଶଳ ଆଧାରିତ ଶିକ୍ଷା, ଭାଷାଭିତ୍ତିକ ସୃଜନଶୀଳତାକୁ ପ୍ରଧାନ୍ୟ ଦେଇ ଆକାଂକ୍ଷୀ ପାଠ୍ୟକ୍ରମକୁ ପ୍ରତ୍ୟେକ ବିଦ୍ୟାଳୟରେ କାର୍ୟ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ଆଗାମୀ ଶିକ୍ଷାବର୍ଷରେ ସମସ୍ତ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଠିକ୍ ସମୟରେ ଯେପରି ବହି ପହଞ୍ଚିବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମିର ବିକାଶ ସହିତ ଛାତ୍ରଛାତ୍ରୀମାନଙ୍କୁ କିପରି ଉନ୍ନତମାନର ଶିକ୍ଷା ମିଳିପାରିବ ସେ ସମ୍ବନ୍ଧରେ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପଯୋଗୀ ଶ୍ରେଣୀଗୃହ ସ୍ଥାପନା ଦିଗରେ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ଭାବେ ଏକ ଆସେଟ୍ ମ୍ୟାନଜମେଣ୍ଟ ସଫ୍ଟୱୋର ବିକାଶ କରାଯାଉଛି ଯାହା ଶିକ୍ଷା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆଣିବ ।

      ଗଣଶିକ୍ଷା ବିଭାଗ ଅଧିନରେ ଆଦର୍ଶ ବିଦ୍ୟାଳୟକୁ ନୂତନ ରୂପ ଦିଆଯିବ । ସେହପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ବିଶେଷକରି ଛାତ୍ରମାନଙ୍କ ପାଇଁ ଆବାସିକ ସୁବିଧାକୁ ସୁଦୃଢ଼ କରିବା ଉପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଗୁରୁତ୍ୱ ଦେଇଛନ୍ତି । ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସଗୁଡ଼ିକ ଯଥା ସମୟରେ କାର୍ୟ୍ୟକ୍ଷମ ହେବା ନେଇ ଆଲୋଚନା କରାଯାଇଛି । ସ୍ଥାନୀୟ ଅଞ୍ଚଳକୁ ଭିତ୍ତିକରି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିବର୍ତ୍ତିତ କରାଯିବା ନେଇ କାର୍ୟ୍ୟପନ୍ଥା ଗ୍ରହଣ କରାଯାଉଛି । ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଇ-ବିଷୟବସ୍ତୁର େୱବ୍ ପ୍ରକାଶନ କରାଯିବ । ସରକାରୀ େୱବସାଇଟ ମାଧ୍ୟମରେ ଏହି ପାଠ୍ୟ ପୁସ୍ତକଗୁଡ଼ିକ ଉପଲବ୍ଧ କରାଯିବ । ଏହା ବ୍ୟତୀତ ମାର୍କ ସିଟ୍ ଓ ସାର୍ଟିଫିକେଟ୍‌ଗୁଡ଼ିକ ପାଇବା ପାଇଁ ଅନଲାଇନରେ ଉପୁଜୁଥିବା ସମସ୍ୟାର ସମାଧାନ ହେବ ।

      ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ଆଗାମୀ ଦିନରେ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି । ଏଥିରେ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରାଯିବ । ଶିକ୍ଷକମାନଙ୍କ ସମସ୍ୟାର କିପରି ସମାଧାନ ହୋଇପାରିବ, ସେ ନେଇ ବିଭାଗୀୟ ଅଧିକାରୀମାନଙ୍କଠାରୁ ବିଭିନ୍ନ ପ୍ରସ୍ତାବ ଆହ୍ୱାନ କରିଥିଲେ । ଏହି ଅନୁଷ୍ଠାନର ଭିତ୍ତିଭୂମିକୁ ବିକଶିତ କରାଯିବା ସହିତ ପ୍ରତ୍ୟେକ ଡାଏଟ୍‌ରେ ଅଡିଟୋରିୟମର ନିର୍ମାଣ କରାଯିବ । ଅନୁଷ୍ଠାନକୁ ଡାଏଟ୍ ଏକ୍ସିଲେନ୍ସିରେ ପରିଣତ କରାଯିବ । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ସର୍ବୋତମ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବା ସହିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ ବିଭିନ୍ନ କର୍ମଶାଳାର ଆୟୋଜନ ଉପରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ଅଧିକାରୀମାନଙ୍କ ସହିତ ଏହି ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *