ରୋଗୀଙ୍କ ଏକ୍ସରେ ବନ୍ଦ କରି ଧାରଣାଦେଲେ କର୍ମଚାରୀ
ସିଡିଏମଓଙ୍କ ଆଲୋଚନା ପରେ ସ୍ୱାଭାବିକ ହେଲା ପରିସ୍ଥିତି
କେନ୍ଦ୍ରାପଡ଼ା, ୨୨/୦୮/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ରେ କାର୍ଯ୍ୟରତ ଜୁନିୟର ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କୁ ଡାକ୍ତର ରଙ୍କନିଧି ବେହେରା ଆକ୍ରମଣ କରିବା ସହ ଏକ୍ସରେ ମେସିନ୍ ରେ ବ୍ୟବହୃତ କ୍ୟାସେଟ୍ ଭାଙ୍ଗି ଦେଇଥିଲେ । ରେଡିଓ ଗ୍ରାଫରଙ୍କୁ ମାଡ଼ ମାରୁଥିବା ବେଳେ କର୍ମଚାରୀ ଜଣଙ୍କ ମୋବାଇଲରେ ଭିଡିଓ ଉତୋଳନ କରିବାରୁ ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ ଡାକ୍ତର ବେହେରା । ଏଠାରେ ସୂଚନାଯୋଗ୍ୟ ଯେ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ୍ସରେ ରୁମ୍ ରେ ଶୁକ୍ରବାର ରାତିରେ ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତ ଓ ଡା. ରଙ୍କନିଧି ବେହେରା ଡୁ୍ୟଟିରେ ଥିଲେ ।
ରାତି ପ୍ରାୟ ୪ଟାରେ ଜଣେ ରୋଗୀ ଏକ୍ସରେ କରିବାକୁ ଆସିଥିବା ବେଳେ ଏକ୍ସରେ ରୁମ୍ କବାଟ ବାଡେଇଥିଲେ । ୧୫ମିନିଟ୍ ପରେ କର୍ମଚାରୀ ଜଣଙ୍କ କବାଟ ଖୋଲିବା ପରେ ରୋଗୀଙ୍କ ଏକ୍ସରେ କରିଥିଲେ । ଏହା ପରେ ହଠାତ୍ ଡା. ରଙ୍କନିଧି ବେହେରା ଏକ୍ସରେ ରୁମ୍କୁ ଆସି କର୍ମଚାରୀ ଜଣଙ୍କୁ କାହିଁକି ତମେ ରାତିରେ ଶୋଇଥିଲ କହି ବିଭିନ୍ନ ପ୍ରକାର ଦୁର୍ବବ୍ୟବହାର କରିବା ସହ ମାଡ଼ ମାରି ତାଙ୍କ ମୋବାଇଲ ଛଡ଼ାଇ ନେଇ ଫାଣ୍ଡିରେ ଦେଇଦେଇଥିଲେ । ଘଟଣା ସମ୍ପର୍କରେ ରେଡିଓ ଗ୍ରାଫର ତାଙ୍କ ଇନଚାର୍ଜ ମାଡାମଙ୍କୁ ଡାକ୍ତର ତାଙ୍କୁ ମାଡ଼ ମାରିଥିବା ନେଇ ଅବଗତ କରାଇଥିଲେ । ଏହା ପରେ ଇନ୍ଚାର୍ଜରେ ଥିବା ଗୀତାଞ୍ଜଳି ଜେନା ସମୟ ପାଖାପାଖି ୪.୩୦ମିନିଟରେ ମେଡିକାଲ ଏଡିଏମଓ ଡା. କିଶୋର ଚନ୍ଦ୍ର ମିଶ୍ରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏଡିଏମଓ ଘଟଣାସ୍ଥଳକୁ ହସ୍ପିଟାଲ ମ୍ୟାନେଜରକୁ ପଠାଇବା ପରେ କର୍ମଚାରୀଙ୍କ ଠାରୁ ଡାକ୍ତର ଛଡାଇ ନେଇଥିବା ମୋବାଇଲକୁ ଫାଣ୍ଡିରୁ ଆଣି କର୍ମଚାରୀଙ୍କୁ ଦେଇଥିଲେ ।
ଏହା ପରେ ସକାଳ ଡୁ୍ୟଟିରେ କର୍ମଚାରୀ ମାନେ ଆସିବା ପରେ ତାଙ୍କ ମେଡିକାଲ ଏଡିଏମଓ ରାଜ୍ୟ ସଂଘକୁ ଏ ବିଷୟରେ ଅବଗତ କରାଇଥିଲେ । ଏହା ପରେ କର୍ମଚାରୀମାନେ ରୋଗୀ ସେବା ବନ୍ଦ କରି ନ୍ୟାୟ ଦାବିରେ ଧାରଣାରେ ବସି ରହିଥିଲେ । ଫଳରେ କିଛି ସମୟ ଧରି ରୋଗୀ ଏକ୍ସରେ କରିବା ପାଇଁ ଅପେକ୍ଷାରେ ବସି ରହିଥିଲେ । ଖବର ପାଇ ସିଡିଏମଓ ଡା. ନମିତା ପଟ୍ଟନାୟକ ମେଡିକାଲରେ ପହଂଚି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କର୍ମଚାରୀ ମାନଙ୍କ ସହ ଆଲୋଚନା କରିବା ସହ ୭୨ଘଂଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେବାପରେ ପରିସ୍ଥିତି ସ୍ୱାଭାବିକ ହେବା ସହ କର୍ମଚାରୀମାନେ ରୋଗୀ ସେବା ପୂର୍ବବତ୍ ଜାରି ରଖିଥିଲେ । କର୍ମଚାରୀ ମାନେ ସିଡିଏମଓଙ୍କୁ ଡା. ରଙ୍କନିଧି ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦାବିପତ୍ର ଦେଇଥିଲେ । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରେଡିଓ ଗ୍ରାଫର ସତ୍ୟବ୍ରତ ରାଉତଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ଅଲ୍ ଓଡିଶା ରେଡିଓ ଗ୍ରାଫର ଆସୋସିଏସନ୍ ସର୍ଭିସ୍ ପକ୍ଷରୁ କେନ୍ଦ୍ରାପଡ଼ାର ସିଡିଏମଓ ଏବଂ ମେଡିକାଲ ସୁପରିଟେଣ୍ଡେଟ୍ ଙ୍କୁ ସ୍ମାରଣପତ୍ର ଦିଆଯାଇଛି । ରାଜ୍ୟ ସଂଘର ସାଧାରଣ ସମ୍ପାଦକ ବିଭୁ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଉକ୍ତ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ନହେବା ପାଇଁ ଆଲୋଚନା କରାଯାଇଥିବା ସୂଚନା ଦିଆଯାଇଛି ।
