ମା ବୈଷ୍ଣବୀ ମହିଳା ମହାସଂଘର ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ୱର, ୧୧/୦୨/୨୦୨୪ (ଓଡ଼ିଶା ସମାଚାର)-ଆଜି ବି.ଏମ୍.ସି. ୫୩ ନମ୍ବର ୱାର୍ଡ ଭୀମପୁର ଭୋଇସାହି ଅଙ୍ଗନୱାର୍ଡି କେନ୍ଦ୍ର ଓ ଏସ୍ଏଚ୍.ଜି. ମହିଳା ମହାସଂଘ ପଡ଼ିଆରେ ମା’ ବୈଷ୍ଣବୀ ମହିଳା ମହାସଂଘର ବାର୍ଷିକ ଉତ୍ସବ ପାଳନ ସହ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ କର୍ପୋରେଟର ମହାମାୟା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବକୁ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଦେଖି ଭୂୟସୀ ପ୍ରଶଂସା କରିବା ସହ ମହିଳାମାନଙ୍କୁ ଆଗକୁ ନେବାରେ କର୍ପୋରେଟର ଶ୍ରୀମତୀ ମହାମାୟା ସ୍ୱାଇଁଙ୍କ ଅହରହ ପ୍ରଚେଷ୍ଟାକୁ ଧନ୍ୟବାଦ ଜଣାଇଥିଲେ । ପ୍ରତିବର୍ଷ ଭଳି ଆଜି ଏହି ଉତ୍ସବରେ ୭୦ଟି ଏସ୍.ଏଚ୍.ଜି. ଗୋଷ୍ଠୀର ୭୦୦ ରୁ ଊଦ୍ଧ୍ୱର୍ ମହିଳାମାନେ ବିଭିନ୍ନ ଖେଳରେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଆଜିର ପ୍ରତିଯୋଗିତାରେ ଯେଉଁମାନେ ସଫଳ କୃତିତ୍ୱ ଅର୍ଜନ କରିବେ, ସେମାନଙ୍କୁ ଆସନ୍ତା ବିଶ୍ୱ ମହିଳା ଦିବସରେ ପୁରସ୍କୃତ କରିବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବୈଷ୍ଣବୀ ମହିଳା ମହାସଂଘର ସଭାପତି ତଥା ୫୩ ନମ୍ବର ୱାର୍ଡର କର୍ପୋରେଟର ମହାମାୟା ସ୍ୱାଇଁ କହିଛନ୍ତି । ଆଜିର ଏହି ପ୍ରତିଯୋଗିତାରେ ମହିଳାମାନେ ଝୋଟି, ଚିତା ଓ ରେଙ୍ଗାଲି ଆଦି କରି ପରିବେଶକୁ ଉତ୍ସବମୟ କରିବା ସହିତ ମହିଳାମାନଙ୍କ ମନରେ ଉତ୍ସାହ ଭରିବା, ଖୋଲା ମନ ଓ ହୃଦୟରେ ଏକତା ରକ୍ଷା କରିବା ଏବଂ ସବୁ କାର୍ଯ୍ୟକୁ ଏକ ମନ ହୋଇ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ । ଆଜିର କ୍ରୀଡା ପ୍ରତିଯୋଗିତାରେ ୮ ପ୍ରକାର ଖେଳ ମହିଳାମାନେ ଭାଗ ନେଇଥିଲେ ଏବଂ ଏହିଭଳି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ୮ ତାରିଖ ବିଶ୍ୱ ମହିଳା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି କର୍ପୋରେଟର ଶ୍ରୀମତୀ ସ୍ୱାଇଁ । ମହିଳାମାନଙ୍କୁ ସଂଘବଦ୍ଧ ହୋଇ ରାଜ୍ୟର ତଥା ଅଂଚଳର ପ୍ରଗତି ପାଇଁ କାମ କରିଯିବାକୁ ଆହ୍ୱାନ ଦେଇଥିଲେ ଶ୍ରୀମତୀ ସ୍ୱାଇଁ ।

Leave a Reply

Your email address will not be published. Required fields are marked *