କଟକ , ୧୯/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଖରାଦିନେ ବହୁ ପରିଶ୍ରମ କରି ମଟର ପମ୍ପ ଯୋଗେ ପାଣି ମଡାଇ ଚାଷୀମାନେ ଲାଭଜନକ ଅର୍ଜୁନ କଖାରୁ ଚାଷ କରିଥିଲେ। କଖାରୁ ବି ବେଶ୍ ଫଳିଥିଲା।ଫଳ ଦେଖି ଚାଷୀମାନେ ବେଶ୍ ଦି ପଇସା ପାଇବେ ବୋଲି ଭାବି ଖୁସିରେ ଥିଲେ। ହେଲେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା ସବୁ ଉଜାଡ଼ି ଦେଲା।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର ଗ୍ରାମରେ।ଶହ ଶହ ଏକର ଜମିରେ ଫଳିଥିଵା କଖାରୁ ଏବେ ବର୍ଷା ପାଣିରେ ପଚିଷଢି ଯାଇଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ଚାଷୀମାନେ ଏବେ ରୁଣ କିପରି ସୁଝିଵେ ସେଥିପାଇଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତୁରନ୍ତ କୃଷି ବିଭାଗ ପକ୍ଷରୁ ଜମିର ସ୍ଥିତି ସରଜମିନ ତଦନ୍ତ କରି କ୍ଷତିଗ୍ରସ୍ତ କଖାରୁ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଆୟତପୁର ସରପଂଚ ରାକେଶ ବେହେରା ଦାବି କରିଛନ୍ତି।
