ଭୁବନେଶ୍ୱର,୧୯/୦୭/୨୦୨୬(ଓଡ଼ିଶା ସମାଚାର)- ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଚୟନ ହୋଇଥିବା ଅଧିସ୍ୱୀକୃତୀପ୍ରାପ୍ତ ସାମ୍ବାଦିକମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ଏକ ଜରୁରୀକାଳୀନ ବୈଠକ ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବ ବିଜେଡ଼ି ସରକାରରେ କରୋନା ମହାମାରୀକୁ ପାଥେୟ କରି ଅଧିସ୍ୱୀକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । କରୋନା ମହାମାରୀ ପରେ ମଧ୍ୟ ଏହି କଟକଣା ବଳବତର ରହିଥିଲା । ଏହା ଓଡ଼ିଶାର ସାମ୍ବାଦିକମାନଙ୍କ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା । ଦୀର୍ଘ ତିନି ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି କର୍ତବ୍ୟରତ ଅଧିସ୍ୱୀକୃତୀପ୍ରାପ୍ତ ସାମ୍ବାଦିକମାନେ ବିଭାଗ ଦ୍ୱାରା ପ୍ରଦତ ପରିଚୟ ପତ୍ରକୁ ଧରି ଲୋକସେବା ଭବନ ଖବର ସଂଗ୍ରହ ପାଇଁ ଯାଉଥିଲେ । ଗତ ବିଜେଡ଼ି ସରକାର ଏହି ଲୋକସେବା ଭବନ ବାରଣ ଦଳର ନିର୍ବାଚନ ପରାଜୟର ଅନ୍ୟ ଏକ ପ୍ରମୁଖ କାରଣ ବୋଲି ସାରା ରାଜ୍ୟରେ ଆଲୋଚନା ହୋଇଥିଲା ।
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିଲା । ଏହାରି ଭିତରେ ଦୁଇବର୍ଷ ଅତିକ୍ରାନ୍ତ ହୋଇସାରିଲାଣି । ପୂର୍ବ ବିଜେଡ଼ି ସରକାର ଯେଉଁ ସାମ୍ବାଦିକ ମାରଣ ନୀତି ଆପଣେଇଥିଲା ଏବେ ବିଜେପି ସରକାର ମଧ୍ୟ ସମାନ ନୀତି ଆପଣେଇଛି । କର୍ତବ୍ୟରତ ଅଧିସ୍ୱୀକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ସହିତ ଅନ୍ୟାନ୍ୟ ସରକାରୀ ସଂସ୍ଥାକୁ ପ୍ରବେଶ ଉପରେ ରୋକ ଲଗାଯାଇଛି । ଏହାକୁ ସାମ୍ବାଦିକମାନେ ଘୋର ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ପ୍ରତିବାଦ ଲେଖା ପଠାଯିବା ସହିତ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଉକ୍ତ ବୈଠକରେ ଏକ ଚିଠା ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ସାମ୍ବାଦିକ ବିଭୂତି ଭୂଷଣ କର, ପାର୍ଥସାରଥୀ ଜେନା, ରମେଶ ମହାନ୍ତି, ଦେବକାନ୍ତ ମହାପାତ୍ର, ସନ୍ଦୀପ ମିଶ୍ର, ପ୍ରିୟରଞ୍ଜନ ସାହୁ, ବିବେକାନନ୍ଦ ଜେନା, ଅବିନାଶ ମିଶ୍ର, ସର୍ବେଶ୍ୱର ବର୍ଦ୍ଧନ, ବଳରାମ ପ୍ରସାଦ ନନ୍ଦ, ଡଃ ମାଧବାନନ୍ଦ ବେହୁରା, ପ୍ରସନ୍ନ ମହାନ୍ତି, ମହେଶ୍ୱର ରଥ, ସନାତନ ଦଳବେହେରା ଓ ଅନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।
ଅଧିସ୍ୱୀକୃତୀପ୍ରାପ୍ତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ପ୍ରବେଶ କଟକଣାକୁ ଘୋର ବିରୋଧ
