ହୀରାକୁଦ ଜଳଭଣ୍ଡାରରୁ ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ – ୪ଟି ଗେଟ୍ ଖୋଲା

ସମ୍ବଲପୁର, ୧୯/୦୭/୨୦୨୬ (ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ  ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ୧ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

ରବିବାର ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍‌ରେ ପହଞ୍ଚିଥିବା ବେଳେ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ ଘନଫୁଟ୍ ଏବଂ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନର ବ୍ୟବହାର ପାଇଁ ୩୩ ହଜାର ୩୫୪ ଘନଫୁଟ୍ ଜଳ ନିଷ୍କାସନ କରାଯାଉଛି।

 ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ପର୍ଯ୍ୟାୟରେ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଥିଲା ଏବଂ ସେତେବେଳେ ୧୦ଟି ସ୍ଲୁଇସ୍ ଗେଟ୍ଖୋଲାଯାଇଥିଲା। ପରେ ଜୁଲାଇ ୧୪ ତାରିଖରେ ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା। ବର୍ତ୍ତମାନ ପୁଣିଥରେ ଜଳପ୍ରବାହ ବୃଦ୍ଧି ପାଇବାରୁ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି।

Leave a Reply

Your email address will not be published. Required fields are marked *