ଅବକାରୀ ଚଢାଉରେ ତ୍ରାହି ତ୍ରାହି ଡାକିଲେଣି ନିଶା ମାଫିଆ ।

୨୮ ଗ୍ରାମର ହେରୋଇନ ସହ ନିଶା ବେପାରୀ ସ୍ମୃତି ରଞ୍ଜନ ଜେନା ଗିରଫ।।

ଜଗତସିଂହପୁର ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୨୮ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ତର୍ତ୍ତଙ୍ଗ ଗ୍ରାମର ସ୍ମୃତି ରଞ୍ଜନ ଜେନା ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ ବିଛାଇ ଥିଲା। ସବୁଥର ଭଳି ଅବକାରୀ ବିଭାଗକୁ ଚକମା ଦେଇ ଖସିଯାଉଥିବାବେଳେ ଅନେକ କସରତ୍ ପରେ ଆଜି କିନ୍ତୁ ତାଙ୍କୁ ଅବକାରୀ ବିଭାଗ କାବୁ କରିନେଇଥିଲା।

ଏକ ଗୁଇନ୍ଦା ଖବର କୁ ଭିତ୍ତି କରି ସ୍ମୃତି ରଞ୍ଜନ ଙ୍କ ସର୍ମ୍ପକରେ ତଥ୍ୟ ବାହାର କରିଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ। ଗ୍ରାହକଙ୍କୁ ଯୋଗାଣ ଉଦ୍ଦେଶ୍ୟରେ ସେ ଆଜି ହେରୋଇନ୍ ରଖିଥିବାର ସୂଚନା ପାଇବା ପରେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ୍-ଇନ୍ସପେକ୍ଟର ଭାଗ୍ୟଲକ୍ଷ୍ମୀ ଦଳାଇ, ଏ ଏସ୍ ଆଇ ପିନାକୀ ରଞ୍ଜନରାଉରାୟ, କନଷ୍ଟେବଳ ଶୁଭଶ୍ରୀ ବିଶ୍ବାଳ, ସୁକାନ୍ତ ମାଝୀ, ବିଶ୍ବରଞ୍ଜନ ସ୍ବାଇଁ, ଙ୍କୁ ନେଇ ଏକ ଟିମ ଗଠନ ହୋଇଥିଲା ଯାହାର ନେତୃତ୍ବ ନେଇଥିଲେ ଇନ୍ସପେକ୍ଟର ପ୍ରଭାସ କୁମାର ଚୌଧୁରୀ।

ଗ୍ରାହକ ବେଶରେ ଅଭିଯୁକ୍ତଙ୍କ ସହ ସମ୍ପର୍କ କରିଥିଲେ ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର କର୍ମଚାରୀ ଏବଂ ଡିଲ୍ ବେଳେ ଅଭିଯୁକ୍ତଙ୍କୁ ତର୍ତ୍ତଙ୍ଗ ଗ୍ରାମରେ ମାଡିବସିଥିଲେ। ଗିରଫ ଅଭିଯୁକ୍ତ ଜଣକ ହେଲେ ତର୍ତ୍ତଙ୍ଗ ଗ୍ରାମର ସୁକାନ୍ତ ପ୍ରସାଦ ଜେନାଙ୍କ ପୁଅ ସ୍ମୃତି ରଞ୍ଜନଜେନା(୩୯)। ଜବତ ହେରୋଇନ୍ ର ଆନୁମାନିକ କଳାବଜାରୀ ମୂଲ୍ୟ ପ୍ରାୟ ୦୨,୮୦,୦୦୦ ଟଙ୍କା ହେବ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନ୍ ଡି ପି ଏସ୍ ଆକ୍ଟ ୧୯୮୫ ଅନୁସାରେ ମାମଲା ରୁଜ୍ଜୁ କରାଯାଇ ଜିଲ୍ଲା ଦୌରାଜଜ ଜଗତସିଂହପୁରଙ୍କ ନିକଟରେ ହାଜର କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ୧୪ଦିନିଆ ବିଚାର ବିଭାଗୀୟ ହାଜତ୍ କୁ ପଠାଯାଇଛି। ଜଗତସିଂହପୁର ଅଞ୍ଚଳରେ ହେରୋଇନ୍ ବ୍ୟବସାୟ କୁ ଦମନ କରିବାକୁ ସ୍ବତନ୍ତ୍ର ଅପରେସନ୍ ଚାଲିଥିବାର ପ୍ରକାଶ କରିଛନ୍ତି ଜଗତସିଂହପୁର ଅବକାରୀ ଅଧିକ୍ଷିକା ଶ୍ରୀମତି ଅନିତା ପ୍ରଧାନ ଓ ସମସ୍ତ ନିଶାବେପାରୀଙ୍କୁ ଜେଲ୍ ରେ ପୁରାଇବାକୁ ଜଗତସିଂହପୁର ଅବକାରୀ ବିଭାଗ ଉଦ୍ୟମ ରତ ଥିବାର ସେ କହିଛନ୍ତି।

Leave a Reply

Your email address will not be published. Required fields are marked *