ଜଗତସିଂହପୁର ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲାରେ ସଡ଼କ ସୁରକ୍ଷା ଓ ନାଗରିକ ନିରାପତ୍ତା କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ ସୋନାଲ ମୋଟର ଯାନ ଆକ୍ଟ ୧୯୮୮ ର ଧାରା ୧୧୫ ଓ ୧୧୬ ଅନ୍ତର୍ଗତ ଭାରୀ ଯାନ ଚଳାଚଳ ଏବଂ ଗାଡ଼ି ପାର୍କିଂ ଉପରେ କେତେକ କଟକଣା ଲାଗୁ କରିଛନ୍ତି । ଜଗତସିଂହପୁର ପୌର ପରିଷଦ ଅଧୀନରେ ଭାରୀ ଯାନ ଚଳାଚଳ ଯୋଗୁଁ ଉପୁଜୁଥିବା ଟ୍ରାଫିକ ସମସ୍ୟା ଓ ସାଧାରଣ ଜନତା ଙ୍କ ଯାତାୟତ ଅସୁବିଧା କୁ ଦୃଷ୍ଟି ରେ ରଖି ସକାଳ ୮ ଘଟିକା ରୁ ସକାଳ ୧୧ ଘଟିକା ଏବଂ ଅପରାହ୍ନ ୩ ଘଟିକା ରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ପୌରାଂଚଳ ରେ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।
ସେହିପରି ଆଳିପିଙ୍ଗଳରୁ ଜଗତସିଂହପୁର ପର୍ଯ୍ୟନ୍ତ ବାଲି, ଲୁହା ପଥର, କ୍ରୋମିୟମ, କୋଇଲା ପରିବହନ କରୁଥିବା ୬ ରୁ ଉର୍ଦ୍ଧ୍ବ ଚକା ଥିବା ଟ୍ରକ୍/ଟିପ୍ପର ଗୁଡ଼ିକ ବାରମ୍ବାର ଦୁର୍ଘଟଣା ର କାରଣ ପାଲଟିଛି। ସେଥିପାଇଁ ଏହି ସବୁ ଯାନ ଉପରେ ସକାଳ ୫ ଘଟିକା ରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଆଳିପିଙ୍ଗଳରୁ ଜଗତସିଂହପୁର ରାସ୍ତାରେ କଟକଣା ଲାଗୁ କରାଯାଇଛି । ରାଜ୍ୟ ରାଜପଥ-୧୨ ଅନ୍ତର୍ଗତ କଟକ ରୁ ପାରାଦ୍ଵୀପ ପର୍ଯ୍ୟନ୍ତ ଲୁହା ପଥର, କ୍ରୋମିୟମ, କୋଇଲା, ଗ୍ୟାସ୍, ତେଲ ଓ ଭାରୀ ଯନ୍ତ୍ରାଂଶ ପରିବହନ କରୁଥିବା ୧୦ ରୁ ଉର୍ଦ୍ଧ୍ବ ଚକା ଥିବା ଟ୍ରକ୍, ଟ୍ରେଲର ଓ ଟ୍ୟାଙ୍କର ଗୁଡ଼ିକ ଉପରେ ଜିଲ୍ଲା ର ରାଜ୍ୟ ରାଜପଥ-୧୨ ରେ କଟକଣା ଲାଗୁ କରାଯାଇଛି । ସେହିପରି ଜଗତସିଂହପୁର-ଜୟପୁର ରାସ୍ତା ଅଧିନସ୍ଥ ପୋଲିସ ଷ୍ଟେସନ ଛକ ଠାରୁ ଖୁଣ୍ଟିଆ ଡ୍ରେସ୍ ସୋ ରୁମ ପର୍ଯ୍ୟନ୍ତ ଏବଂ ପୋଲିସ ଷ୍ଟେସନ ଛକର ବାମ ପାର୍ଶ୍ୱ ରୁ ଟାଉନ୍ ହଲ୍ ଛକ ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ୍ ଘୋଷଣା କରାଯାଇଛି । ବସ୍ ଷ୍ଟାଣ୍ଡ ରୁ ମେଡିକାଲ ଏବଂ ପୋଲିସ୍ ଷ୍ଟେସନ୍ ଛକ ରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାର୍କିଙ୍ଗ କଟକଣା ଜାରି କରିଛନ୍ତି ।
ସେହିପରି ଆଳିପିଙ୍ଗଳ ଠାରେ ଦେବୀ ନଦୀ ର ହାଇଲେବଲ ବ୍ରିଜ୍ ଉପରେ ବାଲି, ଲୁହା ପଥର, କ୍ରୋମିୟମ, କୋଇଲା ପରିବହନ କରୁଥିବା ଭାରୀ ଯାନ ଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି । ଅନ୍ୟପକ୍ଷେ ପାରାଦ୍ଵୀପ ର ଜିରୋ ପଏଣ୍ଟ ଠାରୁ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତାରେ ଭାରୀ ଯାନ ପାର୍କିଂ ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା କୁ ଦୃଷ୍ଟି ରେ ରଖି ଏହାକୁ ” ନୋ ପାର୍କିଂ “ଜୋନ୍ ଘୋଷଣା କରାଯାଇଛି। ସେହିପରି ଅଏଲ ଟର୍ମିନାଲ ଠାରୁ କାର୍ଗିଲ ଛକ ମଧ୍ୟରେ ପେଟ୍ରୋଲିୟମ୍ ଜାତ ପଦାର୍ଥ ବହନ କରୁଥିବା ଟ୍ୟାଙ୍କର ଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି। ତୈଳ ଶୂନ୍ୟ ଅଏଲ ଟ୍ୟାଙ୍କର ଗୁଡ଼ିକ କାର୍ଗିଲ ଛକ ଦେଇ ଚଳାଚଳ କରିବେ ଓ ତୈଳ ପୂର୍ଣ୍ଣ ହେଲା ପରେ ସେଗୁଡ଼ିକ ପିପିଏଲ ଜଙ୍କସନ୍ ଦେଇ ପିପିଏଲ ଛକ ବାଟେ ପ୍ରସ୍ଥାନ କରିବେ ।
ଏହି ସମସ୍ତ କଟକଣା ଗୁଡ଼ିକ ତା ୧୧.୦୭.୨୦୨୬ ରିଖ ଠାରୁ ତା ୧୦.୦୮.୨୦୨୬ ରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
