ଶ୍ରୀକ୍ଷେତ୍ର ଚଳଚଂଚଳ: ସିଂହଦ୍ୱାରେ ତିନିରଥ – ରଥ ପଥ ପ୍ରସ୍ତୁତ

କାଳିଆ ସାଆନ୍ତଙ୍କୁ ସମସ୍ତ ଙ୍କ ଅପେକ୍ଷା – ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସମାଗମ ବଢ଼ୁଛି – ଅପରାହ୍ଣ ୪ଟାରେ
ରଥଟଣା
ପୁରୀ,୧୫/୦୭/୨୦୨୬ (ଓଡ଼ିଶା ସମାଚାର)- ଭକ୍ତି ଭାବରେ ଉଛୁଳି ପଡୁଛି ବଡଦାଣ୍ଡ । ଭକ୍ତ ଭାବବିହ୍ୱଳ ହୋଇ ବର୍ଷାକୁ ଖାତିର ନ କରି ବଡଦାଣ୍ଡରେ ପ୍ରଭୁଙ୍କ ପାଇଁ ଅପେକ୍ଷାରତ । ଆବାଳ ବୃଦ୍ଧବନିତା ଏହି ଦୁର୍ଲଭ ଯାତ୍ରାକୁ ଦର୍ଶନ କରିବା ପାଇଁ ଅପେକ୍ଷାରତ । ଲକ୍ଷ ଲକ୍ଷ ଭକ୍ତ ଭଜନ କୀର୍ତନ କରି ଟ୍ରେନ, ବସ୍ ଓ ଭଡା ଗାଡି ଦ୍ୱାରା ପୁରୀକୁ ଆସୁଛନ୍ତି । ଘୁ ଘୁ ଧ୍ୱନିରେ କମ୍ପୁଛି ବଡଦାଣ୍ଡ ।

ରଥ , ପଥ, ଜଗନ୍ନାଥ ଓ ଭକ୍ତଙ୍କର ହେବ ମହାମିଳନ । ବଡଦାଣ୍ଡର ଦୁଇ ପାର୍ଶ୍ୱରେ ହାଇମାକ୍ସ ଲାଇଟ ଖୁଂଟରେ ଲାଉଡ ସ୍ପିକରରେ ମହାପ୍ରଭୁଙ୍କ ଭଜନ ବାଜୁ ଥିବାରୁ ଭକ୍ତ ଆନନ୍ଦିତ ହେଉଛନ୍ତି । ଉଜ୍ଜ୍ୱଳ ଏଲଡି ଲାଇଟରେ ଝଲସୁଛି ବଡଦାଣ୍ଡ । ଖୋଲିଗଲାଣି ସ୍ୱେଚ୍ଛାସେବୀଙ୍କ ଷ୍ଟଲ । ଚଳଚଂଚଳ ଶ୍ରୀକ୍ଷେତ୍ର । ସମସ୍ତଙ୍କ ଅପେକ୍ଷା କାଳିଆ ସାଆନ୍ତଙ୍କ ଦର୍ଶନ । କାରଣ ଗୁରୁବାର ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନବେଦୀରୁ ଓହ୍ଲାଇଆସିବେ ବଡଦାଣ୍ଡକୁ ବ୍ରହ୍ମାଣ୍ଡଠାକୁର । ଗତକାଲିଠାରୁ ସହରରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ ତଳିଆ ଅଂଚଳଗୁଡ଼ିକରେ ପାଣି ଜମି ରହିଥିବା ଯୋଗୁଁ ସାଧାରଣ ଚଳପ୍ରଚଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଆଜି ଶ୍ରୀମନ୍ଦିରରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ତିନି ବାଡର ପୂଜାପଣ୍ଡା ସାମନ୍ତଙ୍କ ପଟୁ୍ଆରରେ ରଥଖଳାରେ ପହଂଚି ଆଜ୍ଞାମାଳ ଦେବାପରେ ରଥଖଳାରୁ ଦକ୍ଷିଣ ମୋଡ଼ କରାଯାଇ ଆରକ୍ଷୀ ବାହିନୀ ଓ ଭକ୍ତ ରଥକୁ ଟାଣି ଶ୍ରୀମନ୍ଦିର ସମ୍ମୁଖରେ ଲଗାଇଥିଲେ ।
ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତି ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବା ପରେ ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ବାହାରିବେ । ରଥଯାତ୍ରା ସମୟରେ ଶାନ୍ତି, ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ଜିଲା ପ୍ରଶାସନ ପକ୍ଷରୁ କରାଯାଉଛି ଯେପରି ଭକ୍ତମାନେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତିଙ୍କୁ ଦର୍ଶନ କରିପାରିବେ ସେପରି ବ୍ୟବସ୍ଥା କରାଯାଇଛି । ଭିଡକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ଲଜିଂ, ହୋଟେଲଗୁଡିକରେ ନିର୍ଦ୍ଧାରିତ ଦରଠାରୁ ଅତ୍ୟଧିକ ତିନି ଗୁଣ ଭଡ଼ା ଆଦାୟ କରୁଥିବା ବାହାରୁ ଆସୁଥିବା ଭକ୍ତମାନେ ଅଭିଯୋଗ କରିଛନ୍ତି । ଏ ଦିଗରେ ଜିଲା ପ୍ରଶାସନ ତଦନ୍ତ କରିବା ପାଇଁ ଦାବି କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଂଟ ଜାରି କରାଯାଇଛି ।
ନିର୍ଘଂଟ ଅନୁଯାୟୀ, ଆସନ୍ତାକାଲି ଅପରାହ୍ଣ ୪ଟାରେ ତିନିରଥ ଟଣା ଆରମ୍ଭ ହେବ । ସୂଚନା ଅନୁସାରେ, ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବ । ପରେ ସକାଳ ସାଢ଼େ ୯ଟାରୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପହଣ୍ଡି ନୀତି ଅନୁଷ୍ଠିତ ହେବ । ପହଣ୍ଡି ଶେଷ ହେବା ପରେ ଅପରାହ୍ଣ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ପରମ୍ପରାଗତ ‘ଛେରା ପହଁରା’ ନୀତି ସମ୍ପନ୍ନ କରାଯିବ । ଛେରା ପହଁରା ଶେଷ ହେବା ପରେ ଅପରାହ୍ଣ ୪ଟାରେ ତିନିରଥ ଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଂଟରେ ଉଲ୍ଲେଖ ରହିଛି । ରଥଯାତ୍ରାର ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave a Reply

Your email address will not be published. Required fields are marked *