କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ରରେ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ: ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର,୦୬/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଉଚ୍ଚଶିକ୍ଷା ବିଭାଗ ଏବଂ ଏଡୁନେଟ୍ ଫାଉଣ୍ଡେସନ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ମାଧ୍ୟମରେ ରାଜ୍ୟର ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟମାନଙ୍କରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନସ, ଡ଼ାଟା ସାଇନ୍ସ, ମେସିନ ଲାର୍ନିଙ୍ଗ, ସାଇବର ସ୍ୟୁକିରିଟି, ପାଇଥନ ପ୍ରୋଗ୍ରାମ, ଡାଟା ଆନାଲିଟିକ୍ସ ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।ଏଡୁନେଟ୍ ଫାଉଣ୍ଡେସନ ଏବଂ ମାଇକ୍ରୋସଫ୍ଟର ମିଳିତ ସହାୟତାରେ ଏହି ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ପାଠ୍ୟକ୍ରମ ଛାତ୍ରୀମାନଙ୍କୁ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ସମୁଦାୟ ୨୪୦ ଘଣ୍ଟାର ପାଠ୍ୟକ୍ରମ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ଛାତ୍ରୀମାନଙ୍କ ପାଇଁ “କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମହିଳାଙ୍କ ପାଇଁ କ୍ୟାରିୟର ସୁଯୋଗ” ଶୀର୍ଷକ ଏକ ସ୍ୱତନ୍ତ୍ର ପାଠ୍ୟକ୍ରମର ପ୍ରବଧାନ ରହିବ। ଛାତ୍ରୀମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପ୍ରକଳ୍ପ (କ୍ୟାପ୍ଷ୍ଟୋନ ପ୍ରୋଜେକ୍ଟ)ରେ କାମ କରିବାକୁ ସୁଯୋଗ ପ୍ରଦାନ କରାଯିବ। ଏଥିସହ ଇଣ୍ଟର୍ନସିପ୍ ଓ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯିବ। ଏହି ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ପ୍ରତିବର୍ଷ ପ୍ରାୟ ୧,୦୦୦ଜଣ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଶିକ୍ଷଣ ପରେ ଛାତ୍ରୀମାନଙ୍କୁ ଏଡୁନେଟ୍ ଫାଉଣ୍ଡେସନ ଏବଂ ମାଇକ୍ରୋସଫ୍ଟ ତରଫରୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ।
ଆଜିର ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମାରୋହକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ସହ ସେମାନଙ୍କୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ପ୍ରାଧାନ୍ୟ ଦିଆଯାଉଛି। ବିଶେଷ ଭାବରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତା ଏବଂ ଏହା ସହ ସମ୍ବନ୍ଧୀୟ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଉପରେ ପ୍ରଶିକ୍ଷଣ ପ୍ରଦାନ କରିବାର ଲକ୍ଷ୍ୟ ନେଇ ଆଜିର ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଛାତ୍ରୀମାନଙ୍କୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସଶକ୍ତ କରିବା ସହ ସେମାନଙ୍କୁ ଯେପରି ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରାଯାଉଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ଆଜିର କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଏଡୁନେଟ୍ ଫାଉଣ୍ଡେସନର ନିର୍ଦ୍ଦେଶକ ଶ୍ରୀ ଆଶିଷ ଅରୋଡ଼ା, ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ପ୍ରତିଭା ସାହୁ, ଯୁଗ୍ମ ଶାସନ ସଚିବ ଶ୍ରୀମତୀ ମୌସୁମୀ ନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
-0-
ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
