କଟକ ସଦର ୦୪/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଓଡ଼ିଶାରୁ କଟକର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବିଜେପି ପ୍ରାର୍ଥୀ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଦେବାଶିଷ ସାମନ୍ତରାୟ ୨୦୨୪ ଏପ୍ରିଲ ରେ ଵିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ତାଙ୍କର କାର୍ଯ୍ୟକାଳ ୨୦୩୦ ଏପ୍ରିଲ ତାରିଖ ପର୍ଯ୍ୟନ୍ତ ଥିଲା।
ହେଲେ ଦେବାଶିଷ ବିଜେଡ଼ି ଉପରେ ଅସନ୍ତୋଷ ପ୍ରକାଶ କରି ଗତ ମେ ୨୫ ରେ ଦଳରୁ ଇସ୍ତଫା ଦେଇଥିବା ବେଳେ ୨୬ ରେ ବିଜେପିରେ ଯୋଗଦାନ କରିଥିଲେ। ଏଥିପାଇଁ ଦେବାଶିଷ ପୁଣିଥରେ ପୂର୍ବର ମମତା ମହନ୍ତ ଓ ସୁଜିତ୍ କୁମାର ଙ୍କ ପରି ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା କଥା ଆଜି ସତ ପ୍ରମାଣିତ ହୋଇଛି। ଆସନ୍ତା କାଲି ଶୁକ୍ରବାର ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଦେବାଶିଷ କହିଛନ୍ତି।
