ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ପ୍ରିୟାଂଶୁ

ଦଉଡିରେ ପଛୁଆ ଓଲଟି ସାଉଁଟିଲେ ପ୍ରଶଂସା
କେନ୍ଦ୍ରାପଡ଼ା,୨୨/୦୪/୨୦୨୬ (ଓଡ଼ିଶା ସମାଚାର)-ଦଉଡିରେ ପଛୁଆ ଓଲଟି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଂଚାୟତ ମନ୍ତ୍ରୀପଡା ଗ୍ରାମର ପ୍ରକାଶ ମଲ୍ଲିକ ଓ ହରପ୍ରିୟା ମଲ୍ଲିକଙ୍କ ସୁପୁତ୍ର ପ୍ରିୟାଂଶୁ । ସେ ୨ଟି ଦଉଡି ସାହାଯ୍ୟରେ ସର୍ବାଧିକ ୧୯୬୨ଥର ପଛୁଆ ଓଲଟି ଏହି ପ୍ରଶଂସା ସାଉଁଟିଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମାତ୍ର ୨ବର୍ଷ ୧୦ମାସ ବୟସର ପ୍ରିୟାଂଶୁ ଏଭଳି ଜିମ୍ନାଷ୍ଟିକ ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଦେଢବର୍ଷ ବୟସରୁ ପ୍ରିୟାଂଶୁ ଜିମ୍ନାଷ୍ଟିକ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ତେଣୁ ତାଙ୍କ ବାପା ପ୍ରକାଶ ଘରେ ଦୁଇଟି ରଶି ସାହାଯ୍ୟରେ ଏକ ଜିମ୍ନାଷ୍ଟିକ ଇନଷ୍ଟ୍ରୁମେଂଟ ବନାଇଥିଲେ । ଏହା ସହାଯ୍ୟରେ ପୁଅ ପ୍ରିୟାଂଶୁ କଳାକୈାଶଳ ପ୍ରଦର୍ଶନ ଆରମ୍ଭ କରିଥିଲା । ପ୍ରତିଦିନ ଏହା କରିବା ପରେ ପ୍ରିୟାଂଶୁ ଅଭ୍ୟସ୍ତ ହୋଇଯାଇଥିଲେ । ଦିନକୁ ଦିନ ତାଙ୍କର ଏହି କଳା କୌଶଳ ବୃଦ୍ଧି ପାଇବାରେ ଲାଗିଲା ।

ପ୍ରଥମରୁ ଥରେ ମାତ୍ର ପଛୁଆ ଓଲଟୁଥିବା ପ୍ରିୟାଂଶୁ ସମୟକ୍ରମେ ଏକଶହ, ଦୁଇଶହ, ତିନିଶହ ଏହିପରି ୧୯୬୨ଥର ଓଲଟିବା ଶିଖିଯାଇଥିଲେ । ଫଳରେ ପରିବାର ଲୋକେ ଏନେଇ ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତାଙ୍କ ସହ ଯୋଗାଯୋଗ କରିଥିଲେ । ଇଣ୍ଡିଆ ବୁକ ଅଫ ରେକର୍ଡସର କର୍ମକର୍ତାମାନେ ପ୍ରଥମେ ବିଶ୍ୱାସ କରିନଥିଲେ ମଧ୍ୟ ନିଜ ଆଖିରେ ଦେଖିବା ପରେ ଚକିତ ହୋଇଯାଇଥିଲେ । ଏହାସହ ପ୍ରିୟାଂଶୁଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରିଥିଲେ । ପ୍ରିୟାଂଶୁ ଜିମ୍ନାଷ୍ଟିକ ସହିତ ସୁନ୍ଦର ସ୍କେଟିଂ ଓ ରୋପିଙ୍ଗ କରିପାରନ୍ତି । ବିଶ୍ୱରେକର୍ଡ ପାଇଁ ସେ ଅଭ୍ୟାସ ଜାରି ରଖିଛନ୍ତି । ପ୍ରିୟାଂଶୁଙ୍କ ପିତା ପ୍ରକାଶ ଓଡିଶା ପୋଲିସରେ କାର୍ଯ୍ୟରତ ଥିବା ବେଳେ ମା ହରପ୍ରିୟା ଜଣେ ସୁଗୃହିଣୀ । ପ୍ରକାଶ ୨୦୨୩ରେ ସର୍ବଭାରତୀୟ ପୁଲିସ ଯୋଗ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ ।

Leave a Reply

Your email address will not be published. Required fields are marked *