ରାଉରକେଲା
୨୧ ଏପ୍ରିଲ ୨୦୨୬
ଜୟ ଜଗନ୍ନାଥ !
ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ ବିପ୍ଲବର ପ୍ରାଣକେନ୍ଦ୍ର ସାଜିଥିବା ଇସ୍ପାତ ନଗରୀ ପାଇଁ ଅନେକ ଗୁଡିଏ ବିକାଶ ମୂଳକ ପ୍ରକଳ୍ପ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା ଶୁଭାରମ୍ଭ ହେବ। ଓଡିଶାର ମିନି ଇଣ୍ଡିଆ କୁହାଯାଉଥିବା ଏହି ରାଉରକେଲା ସହରକୁ ମୁଁ ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ସ୍ବାଗତ କରୁଛି, ଏବଂ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

ରାଉରକେଲା କେବଳ ଏକ ଶିଳ୍ପ ସମୃଦ୍ଧ ସହର ନୁହେଁ। ଏହା ସ୍ୱପ୍ନ, ଶୃଙ୍ଖଳା, ବିବିଧତା ଏବଂ ବୈଭବରେ ପରିପୂର୍ଣ୍ଣ ସହର। ରାଉରକେଲା Steel Plant ସାରା ଦେଶରେ ସୁନାମ ଅର୍ଜନ କରିଛି। ଏହି ସହର ରାଷ୍ଟ୍ର ନିର୍ମାଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି, ସୁଯୋଗ ଏବଂ ପରିଚୟ ଦେଇଛି। ଏହା ସହିତ, ରାଉରକେଲା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସମୃଦ୍ଧ ଆଦିବାସୀ ସଂସ୍କୃତି ଏବଂ ବିଶେଷ କରି Hockey ପାଇଁ ସ୍ବତନ୍ତ୍ରତା ଅର୍ଜନ କରିଛି ।
ଆଜି, ମାନନୀୟା ରାଷ୍ଟ୍ରପତି ମହୋଦୟାଙ୍କ କରକମଳରେ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ Integrated Command and Control Centre (ICCC) ଉଦ୍ଘାଟନ ହେବ ।
ରାଉରକେଲା ଏକ ସ୍ମାର୍ଟ ସିଟି ଏବଂ ଏହି ସ୍ମାର୍ଟ ସିଟିକୁ ଅଧିକ ଉନ୍ନତ କରିବା ପାଇଁ ଏହି ICCC ଆମ ସ୍ମାର୍ଟ ପ୍ରଶାସନକୁ ବିଶ୍ବ ସ୍ତରୀୟ କରିବା ପାଇଁ ଯାଉଛି । ଏହି ବ୍ୟବସ୍ଥା ରାଉରକେଲାକୁ ସୁରକ୍ଷିତ, ସ୍ମାର୍ଟ ଏବଂ ଅଧିକ ନାଗରିକ-ଅନୁକୂଳ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶାର Optimism ଓ Originality କୁ Organize କରି ସମସ୍ତଙ୍କ ପାଇଁ Opportunity ସୃଷ୍ଟି କରିବାରେ ସହାୟକ ହେବ ।
ଓଡ଼ିଶା ହେଉଛି ଅନେକ ଆଦିବାସୀ ସମ୍ପ୍ରଦାୟର ଭୂମି, ଯେଉଁମାନଙ୍କର ପରମ୍ପରା, କଳା, ସଙ୍ଗୀତ ଏବଂ ଜ୍ଞାନ ଅମୂଲ୍ୟ ସମ୍ପତ୍ତି। ଆଜି ଆଦିବାସୀ ସଂଗ୍ରହାଳୟ, ରାଉରକେଲା-ୱାନ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ବାରା ଉଦ୍ଘାଟିତ ହେବ। ଏହି ସଂଗ୍ରହାଳୟ ଓଡ଼ିଶାର ଗୌରବମୟ ଆଦିବାସୀ କଳା, ସାହିତ୍ୟ, ସଂସ୍କୃତି,ପରମ୍ପରା ଓ ଐତିହ୍ୟର ପ୍ରତୀକ। ଏହି ସଂଗ୍ରହାଳୟ ସେମାନଙ୍କର ଐତିହ୍ୟକୁ ସଂରକ୍ଷଣ କରିବ ଏବଂ ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ Tribal Tradition ଓ Tribal Culture କୁ Top Most Priority ଦେବାରେ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।
କୋଏଲ ରିଭରଫ୍ରଣ୍ଟ ରିକ୍ରିଏସନ୍ ପାର୍କ, ରାଉରକେଲାର ବ୍ୟସ୍ତ ବହୁଳ ଜନସାଧାରଣ ତାଙ୍କର ଅବସର ବିନୋଦନ ନିମନ୍ତେ ଏକ ସୁନ୍ଦର ଓ ସୁସ୍ଥ ପରିବେଶମୟ ସାର୍ବଜନୀନ ସ୍ଥାନ ପାଇବେ। ଏହାକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଏବଂ ଆମ୍କୋ-ସିମ୍କୋ ଆନ୍ଦୋଳନର ନାୟକ ନିର୍ମଳ ମୁଣ୍ଡାଙ୍କ ନାମରେ ନାମକରଣ କରାଯାଇଛି। ଏଥିରୁ ସ୍ପଷ୍ଟ, ଆମ ସରକାର ଓଡିଶା ମାଟିର ବୀରପୁତ୍ର ଓ ବରପୁତ୍ର ମାନଙ୍କୁ ସମ୍ମାନ ଦେବା ପାଇଁ ପ୍ରତିବଦ୍ଧ। ମାଟି ମାଆର ସୁପୁତ୍ର ମାନଙ୍କୁ ଆମର ସମ୍ମାନର ଅର୍ଘ୍ୟ ଏହିପରି ଜାରି ରହିବ, ଏହା ମଧ୍ୟ ଆମ କର୍ତ୍ତବ୍ୟ ।
ଏହି ପ୍ରକଳ୍ପ ରାଉରକେଲାର ପର୍ଯ୍ୟଟନ ବିଭବକୁ ଆହୁରି ଋଦ୍ଧିମନ୍ତ କରିବ । ଏହା ମଧ୍ୟ ଲୋକମାନଙ୍କୁ ନଦୀ ଏବଂ ପ୍ରକୃତି ସହିତ ଯୋଡି ରଖିବାରେ ସହାୟକ ହେବ।
ସାଇନ୍ସ ପାର୍କ ଏବଂ ପ୍ଲାନେଟାରିୟମ୍ ଛାତ୍ରଛାତ୍ରୀ ଏବଂ ଯୁବ ପିଢିଙ୍କୁ ଆମ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉତ୍ତମ ନିଦର୍ଶନ ଦେଖାଇବ। ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବର ବିକାଶ କରିବା ସହ ଶିକ୍ଷା ଓ କୌତୁହଳର କେନ୍ଦ୍ର ପାଲଟିବ । ମୁଁ ଅତ୍ୟନ୍ତ ଆନନ୍ଦର ସହିତ କହିବାକୁ ଯାଉଛି, ଆଗାମୀ ଦିନରେ ରାଉରକେଲା ଏୟାରପୋର୍ଟର ବିସ୍ତାର କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ। ଆହୁରି ମଧ୍ୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଖୁବ୍ ଶୀଘ୍ର ସଂପ୍ରସାରିତ ହେବାକୁ ଯାଉଛି। ଏଥିପାଇଁ ଆମ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।
ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆହ୍ବାନ ଦେଇଛନ୍ତି ଯେ, “ଚିପ୍ ସେ ଲେକେ ସିପ୍ ତକ୍, ସଭି ମେଁ ଆତ୍ମ ନିର୍ଭର ବନ୍ନା ହେ“ । ଆନନ୍ଦର କଥା, ସେହି ଚିପ୍ ତିଆରିରେ ଓଡିଶାର ଛାତ୍ରଛାତ୍ରୀଙ୍କର ବିଶେଷ ଅବଦାନ ରହିଛି। ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ୍ ଏବଂ ସହରର ଏନ୍ଆଇଟି, ରାଉରକେଲାର ଛାତ୍ରଛାତ୍ରୀମାନେ ତିନୋଟି ସେମିକଣ୍ଡକ୍ଟର ଚିପ୍ ତିଆରି କରିଛନ୍ତି। ଏହି ଚିପ୍ କୁ ସେମିକନ୍ ଇଣ୍ଡିଆ- ୨୦୨୫ ଯଶଭୂମି, ନୂଆଦିଲ୍ଲୀ ଠାରେ କେନ୍ଦ୍ର ଆଇ.ଟି ମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଁ ସେହି ଛାତ୍ରଛାତ୍ରୀମାନଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛି। ନିଜର ଗବେଷଣାକୁ ଏହିଭଳି ଭାବେ ଜାରି ରଖନ୍ତୁ, ଦେଶରେ ଓ ବିଶ୍ବରେ ରାଜ୍ୟର ନାମକୁ ଆହୁରି ଉଚ୍ଚକୁ ନିଅନ୍ତୁ। ଆପଣଙ୍କୁ ସବୁ ପ୍ରକାରର ସୁବିଧା ଡବଲ ଇଞ୍ଜିନ ସରକାର ଯୋଗାଇଦେବେ।
ଆଜି ଓଡ଼ିଶା ଲେଖୁଛି ବିକାଶର କଥା । ଆମ ସରକାର ହେଉଛି ଲୋକଙ୍କ ସରକାର, ଆପଣଙ୍କର ସରକାର ଓ କଥା ଦେଇ କଥା ରଖିବା ସରକାର । ଆଉ ବିକାଶ ହୁଏ କୃଷକଙ୍କ ସମୃଦ୍ଧିରେ, ମହିଳା ସଶକ୍ତିକରଣରେ, ଯୁବ ବର୍ଗଙ୍କ ନିଯୁକ୍ତିରେ ଓ ଅନ୍ତୋଦୟର ଉତ୍ଥାନରେ । ଆମ ସରକାର ସମୃଦ୍ଧ କୃଷକ ଯୋଜନା, ସୁଭଦ୍ରା ଯୋଜନା, ଶିଳ୍ପାୟନ ଓ ଗରିବ କଲ୍ୟାଣକାରି ଯୋଜନା ଗୁଡିକ ଦ୍ବାରା ରାଜ୍ୟରେ ବିକାଶକୁ ତ୍ବରାନ୍ବିତ କରିଛି।
ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା-୨୦୨୫ ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ, ସଂକଳ୍ପ ଓ ନିର୍ଦ୍ଦେଶରେ ଶିଳ୍ପାୟନ କାର୍ଯ୍ୟକ୍ରମ ଜାରିରଖିଛୁ। ସୌଭାଗ୍ୟର କଥା ଓଡିଶାରେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଆସିଛି। ଗତ ଜାନୁୟାରୀ ମାସରେ ରାଉରକେଲାରେ ଅନୁଷ୍ଠିତ ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୬ ଅବସରରେ ପ୍ରାୟ ୨୦ଟି ଏମ୍.ଓ.ୟୁ, ୫ଟି ଇନଭେଷ୍ଟମେଣ୍ଟ ପ୍ରପୋଜାଲ୍, ୫୨,୦୨୬ କୋଟି ଟଙ୍କାର ନିବେଶ ସହିତ ୨୦,୪୨୭ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେଇଛି। ଏହି ଅବସରରେ ମଧ୍ୟ ୮,୮୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର କରାଯାଇଥିଲା। ଆଗାମୀ ଦିନରେ ଏହି ଶିଳ୍ପ ସହର ରାଉରକେଲା ଦେଶର ଶିଳ୍ପ ହବ୍ ହେବାକୁ ଯାଉଛି।
CRRR, BCPPER ସହିତ ପାରାଦୀପ, ଚୌଦ୍ବାର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲାକୁ ନେଇ ଏକ ଦୀର୍ଘ ଇଣ୍ଡଷ୍ଟ୍ରିଆଲ କରିଡରର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି।
ଆଗାମୀ ଦିନରେ NAMO Expressway, ATAL Expressway ଓ Coastal Highway ଆମ ଓଡ଼ିଶାର Life Line ସାଜିବାକୁ ଯାଉଛି । ବିକଶିତ ଭାରତର Growth Engine ସାଜିବ ଓଡ଼ିଶା ।
ଆଜି ମାନନୀୟା ରାଷ୍ଟ୍ରପତି ମହୋଦୟାଙ୍କ ଦ୍ବାରା ଶୁଭାରମ୍ଭ ହେଉଥିବା ଚାରୋଟି ପ୍ରକଳ୍ପ ରାଉରକେଲାର ବିକାଶରେ ଅଂଶୀଦାର ସାଜିବ ।
ଦେଶର ବିକାଶ କେବଳ ଭିତ୍ତିଭୂମି ନୁହେଁ। ପ୍ରକୃତ ବିକାଶ ହେଉଛି ସମାଜର ପ୍ରତ୍ଯେକ ବର୍ଗ ଲୋକଙ୍କ ସଶକ୍ତିକରଣ। ମାନନୀୟ ପ୍ରଧାନମନ୍ତ୍ରୀ ଦେଶର ଶାସନ ଭାର ସମ୍ଭାଳିବା ପରେ ସମାଜର ସବୁ ବର୍ଗ ବିଶେଷ ଭାବେ ଆଦିବାସୀ, ଦଳିତ ଏବଂ ମହିଳାଙ୍କ ସଶକ୍ତିକରଣ ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।
ଆଜି ଆମ ସମ୍ମୁଖରେ ମହିଳା ଓ ଜନଜାତି ସଶକ୍ତିକରଣର ସବୁଠାରୁ ବଡ ଉଦାହରଣ ଉପସ୍ଥିତ ଅଛନ୍ତି, ମାନନୀୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା । ଏହା ବ୍ଯତୀତ ଜନଜାତିଙ୍କ ଆଉ ଜଣେ ବିଶିଷ୍ଟ ଜନନେତା ଶ୍ରୀ ଜୁଏଲ ଓରାମ ମହୋଦୟ ସାରା ଓଡିଶାର ଜନଜାତି ସଶକ୍ତିକରଣର ପ୍ରତୀକ। ମାନନୀୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ନେତୃମଣ୍ଡଳ ଓଡ଼ିଶାରେ ଆଉଜଣେ ଜନଜାତି ସମ୍ପ୍ରଦାୟର ଜନ ପ୍ରତିନିଧିଙ୍କୁ ରାଜ୍ୟର ମୁଖ୍ୟସେବକ ଭାବେ ସେବା କରିବାର ଦାୟିତ୍ବ ଦେଇଛନ୍ତି ।
ଏହି ସଶକ୍ତିକରଣକୁ ଆହୁରି ବ୍ୟାପକ କରିବା ପାଇଁ ଓ ତୃଣମୂଳ ସ୍ତରକୁ ନେବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ନାରୀଶକ୍ତି ବନ୍ଦନ ଅଧିନିୟମର ସଂଶୋଧନ ପାଇଁ ଯେଉଁ ବିଲ ଆଣିଥିଲେ ତାହା ଦେଶର ଗରିବ, ବଞ୍ଚିତ ଓ ସାଧାରଣ ମହିଳାଙ୍କ ସଶକ୍ତିକରଣ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥାଆନ୍ତା। କିନ୍ତୁ, ନିଚ୍ଛକ ରାଜନୈତିକ ଅଭିସନ୍ଧି ରଖି ପାରିତ କରାଇ ଦେଲେନାହିଁ। ଦେଶର ମହିଳା ସମାଜ ଏହି ବିରୋଧୀଦଳଙ୍କୁ କ୍ଷମା ଦେବ ନାହିଁ।
ଆଜିର ମଞ୍ଚ ରାଜନୈତିକ ମଞ୍ଚ ନୁହେଁ। କିନ୍ତୁ, ଆମ ପଡୋଶୀ ରାଜ୍ୟରେ ମାନନୀୟା ରାଷ୍ଟ୍ରପତିଙ୍କୁ ଯେପରି ଭାବେ ବ୍ୟବହାର କରାଗଲା, ତାହା କେବଳ ଓଡିଶାବାସୀଙ୍କୁ ନୁହେଁ, ବରଂ ସାରା ଦେଶର ଲୋକଙ୍କୁ ଅତ୍ୟନ୍ତ ପୀଡା ଦେଇଛି। ଆମ ଦେଶର ନାଗରିକ ଅତ୍ୟନ୍ତ ସରଳ କିନ୍ତୁ ସ୍ବାଭିମାନୀ । ମହିଳା ସଂରକ୍ଷଣ ବିଲ୍କୁ ସଂସଦରେ ପାରୀତ କରାଇ ଦେଇନଥିବା ସମସ୍ତ ଶକ୍ତିକୁ ସେମାନେ ନିଶ୍ଚିତ ଭାବେ ଠିକ ସମୟରେ ଓ ସଠିକ ଢଙ୍ଗରେ ଜବାବ ଦେବେ।
ଆମ ସରକାର ପଶ୍ଚିମ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ। ସୁନ୍ଦରଗଡ଼ ଜିଲ୍ଲା ଏବଂ ସମଗ୍ର ଅଞ୍ଚଳରେ, ଆମେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଶିକ୍ଷା, କ୍ରୀଡା, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେଉଛୁ।
ମୁଁ ପୁଣିଥରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ତାଙ୍କର ସଦୟ ଉପସ୍ଥିତି ଏବଂ ଓଡ଼ିଶାବାସୀଙ୍କ ପ୍ରତି ନିରନ୍ତର ପ୍ରେରଣା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରୁଛି। ତାଙ୍କର ସଦୟ ଉପସ୍ଥିତି ଆଜିର ଏହି କାର୍ଯ୍ୟକ୍ରମକୁ ଅଧିକ ଗରିମାମୟ କରିଛି।
ଶେଷରେ, ମୁଁ ରାଉରକେଲାବାସୀଙ୍କୁ ଅନୁରୋଧ କରୁଛି, ଏହି ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସମୃଦ୍ଧ ସହର କରିବାରେ ସମସ୍ତେ ସହଯୋଗ କରନ୍ତୁ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ନିଜ ନିଜର ଅବଦାନ ରଖନ୍ତୁ ।
