ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସାହିତ୍ୟ ଆଲୋଚନା, ସମ୍ବର୍ଦ୍ଧନା ସମାରୋହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ
ନିମାପଡ଼ା ୨୧/୦୪/୨୦୨୬ (ଓଡ଼ିଶା ସମାଚାର)-ସୋମବାର ନିମାପଡ଼ା ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପ ଠାରେ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ “ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ -୨୦୨୬ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସାହିତ୍ୟ ଆଲୋଚନା, ସମ୍ବର୍ଦ୍ଧନା ସମାରୋହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି। ସଭାପତି ଗଙ୍ଗାଧର ଓଝାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଊର୍ଦ୍ଧ୍ବ କବି ନିଜର ସ୍ଵରଚିତ କବିତା ପାଠ କରିଥିଲେ। ସେହିପରି ସଙ୍ଗୀତ ସର୍ଜନା କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଏବଂ ପରେ ପରେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ସାହିତ୍ୟ ଆଲୋଚନା ଓ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନିମାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ନିମାପଡ଼ା ପ୍ରେସ କ୍ଲବର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବେହେରା, ବିଶିଷ୍ଟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ତଥା ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ବଂଶୀଧର ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରାଚୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ସେନାପତି, ବ୍ୟଙ୍ଗ କବି ହାସ୍ୟ କୁମୁଦ ଡଃ ସମ୍ପଦ କୁମାର ରଥ, ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଡଃ ଶରତ କୁମାର ପ୍ରଧାନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ,ନ୍ୟୁଜ -7, ତଥା ପ୍ରମେୟ ଖବର କାଗଜର ସ୍ତମ୍ଭକାର ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି ପ୍ରମୁଖ ଉପସ୍ଥିତ ରହି ଅକ୍ଷୟ ତୃତୀୟା ତଥା ଓଡ଼ିଆ ଭାଷା ସାହିତ୍ୟ ଉପରେ ବିଷଦ ଆଲୋଚନା କରିଥିଲେ।
ଶେଷରେ ରାଜର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି ଲେଖକ କଳାକାରମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଗଲା। କାର୍ଯ୍ୟକ୍ରମକୁ ଭାଗୀରଥି ଓଝା,ସରସ୍ୱତୀ ମହାରଣା, କବିତା ନାୟକ, ଅଶୋକ କୁମାର ବେହେରା, ଭରତ ଚନ୍ଦ୍ର ସାହୁ, ନିରୁପମା ପଣ୍ଡା, ଉପେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ସଙ୍ଗମର ସକ୍ରିୟ ସଦସ୍ୟ ଭାଗିରଥୀ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।
