ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୬ ର ତୃତୀୟ ସଂଧ୍ୟା ଓ ଜିଲ୍ଲାର ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର, ୦୩/୦୪/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ମହୋତ୍ସବ କଲ୍ଲୋଳ ର ତୃତୀୟ ସନ୍ଧ୍ୟା ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ, ଜିଲ୍ଲାର ପ୍ରାଚୀନ ଐତିହ୍ୟ ଓ ପରମ୍ପରା ସାରା ବିଶ୍ଵ ପ୍ରସିଦ୍ଧ । ଜଗତସିଂହପୁର ଜିଲ୍ଲା ନୌବାଣିଜ୍ୟ ରେ ବିଶ୍ଵ ପ୍ରସିଦ୍ଧ । ସ୍ୱାଧୀନତା ସଂଗ୍ରାମୀ ଇତିହାସ ରେ ମଧ୍ୟ ଆମ ଜିଲ୍ଳାର ସ୍ୱାଭିମାନ ଅଛି ଓ ଅଳକା ଆଶ୍ରମ ର ଅବଦାନ ରହିଛି । ଜିଲ୍ଲା ର ପ୍ରଗତି ପାଇଁ ଯୁବପିଢୀ ଙ୍କ ଭୂମିକା ନିହାତି ଗୁରୁତ୍ବପୂର୍ଣ୍ଣ ଓ ଜିଲ୍ଳାର ଉନ୍ନତିରେ ନେତୃତ୍ଵ ନେବା ପାଇଁ ଯୁବପିଢୀମାନଙ୍କୁ ଆହ୍ବାନ ଦେଇଥିଲେ । ଶିଳ୍ପର ବିକାଶରେ ଜଗତସିଂହପୁର ଜିଲ୍ଲାର ବିକାଶ ହେବ ଏବଂ ରାଜ୍ୟ ସରକାରଙ୍କ ସମୃଦ୍ଧ ଓଡିଶା ସ୍ବପ୍ନକୁ ସାକାର କରିବ ।ଶିକ୍ଷା,ସ୍ବାସ୍ଥ୍ୟ,ପର୍ଯ୍ୟଟନ ଓ ଗମନାଗମନ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସୁଛନ୍ତି । ଜିଲ୍ଲା ବିକଶିତ ହେଲେ ଓଡ଼ିଶା ବିକଶିତ ହେବ। ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଓ ଆମ ଜିଲ୍ଲାକୁ ଆଗେଇ ନେବା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ କହିଥିଲେ ଯେ ଆମେ ଇତିହାସକୁ ମନେ ରଖିବା ଓ ଆମ ଜିଲ୍ଲା ପାଇଁ ନୂତନ ଇତିହାସ ଓ ଉଦାହରଣ ସୃଷ୍ଟି କରିବା ଓ ଏଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାର ସର୍ବଦା ଜିଲ୍ଲାର ଉନ୍ନତି ଓ ପ୍ରଗତି ପାଇଁ ଚେଷ୍ଟିତ ଏବଂ ନିଶ୍ଚିତ ଭାବରେ ଜିଲ୍ଲାର ଯୁବପିଢୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ବଢ଼ିଛି । ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଓ ଘୋଷଣାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ଇତିହାସରେ ଜିଲ୍ଲାର ଅଳକା ଆଶ୍ରମ ଓ  ବରପୁତ୍ରମାନଙ୍କ ଅବଦାନ ଚିରସ୍ମରଣୀୟ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, କ୍ରୀଡ଼ା ଓ ପର୍ଯ୍ୟଟନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଜିଲ୍ଲା ସଦା ସର୍ବଦା ଆଗରେ ରହିଛି ।

ସଭାରେ ସମ୍ମାନନୀୟ ଅତିଥି ଭାବେ  ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଥିଲେ ଯେ ଜିଲ୍ଲାର ଉନ୍ନତି ନିଶ୍ଚିତ ହୋଇଛି ଓ ଆମେ ଜିଲ୍ଲାର ଆହୁରି ଉନ୍ନତି ପାଇଁ ନିଜ ନିଜର କର୍ତ୍ତବ୍ୟ କରିବା ଓ ଜିଲ୍ଲାକୁ ଆଗକୁ ଆଗେଇ ନେବା ।

ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଥିଲେ ଯେ ଆମେ ଆମ ଇତିହାସକୁ ନେଇ ଗର୍ବ କରିବା ଉଚିତ୍। ଏଥି ସହିତ ଜାତିର ଉନ୍ନତି ପାଇଁ ଆମକୁ ଲଢ଼ିବାକୁ ପଡ଼ିବ ଓ ନିଜକୁ ତ୍ୱରାନ୍ୱିତ କରିବାକୁ ହେବ ।

ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଦ୍ଵାରା “ଆଦିପତ୍ର”ର ଉନ୍ମୋଚନ ହୋଇଥିଲା । ସ୍ମରଣିକା “ଆଦିପତ୍ର” ର ସମ୍ପାଦକ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଥିଲେ ଯେ ଏହି ଆଦିପତ୍ର ଜିଲ୍ଲାର ଅତୀତ ଓ  ବର୍ତ୍ତମାନର ସୂଚନା ପ୍ରଦାନ କରେ । ସେ ଏହି ଆଦିପତ୍ରର ସଫଳତା ସମ୍ପର୍କିତ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଉପରେ ଆଧାରିତ ଏକ ସୁନ୍ଦର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସ୍ଵଂୟ ସହାୟକ ଗୋଷ୍ଠୀ ର ମା ମାନେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ପାଖରେ ପୋଡ଼ ପିଠା , ମାଣ୍ଡିଆ ପୋଡ଼ପିଠା ଉପସ୍ଥାପନ କରିଥିଲେ ଓ ଅତିଥିମାନେ ଏହାକୁ କାଟି ଜିଲ୍ଲାର ଜନ୍ମ ଦିଵସ ପାଳନ କରିଥିଲେ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀ ଜ୍ୟୋତି ଶଙ୍କର ରାୟ ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ର ଐତିହ୍ୟ ସଂସ୍କୃତି ର ପରିଚୟ ପ୍ରଦାନ ସହ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।

କଲ୍ଲୋଳ ର ତୃତୀୟ ସଂଧ୍ୟା ରେ ଇରା ମହାନ୍ତି ଓ ସାଥୀ ଙ୍କ ସୁମଧୁର ସଙ୍ଗୀତ ର ଯାଦୁ ସହ ପ୍ରଜ୍ଞା ଖଟୁଆ ଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା । ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମୁଗ୍ଧ ହୋଇଥିଲେ।

Leave a Reply

Your email address will not be published. Required fields are marked *