୨୧ରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ

ରାଉରକେଲା, ୧୭/୦୪/୨୦୨୬ (ଓଡ଼ିଶା ସମାଚାର)- ଚଳିତ ଏପ୍ରିଲ ୨୧ ତାରିଖରେ ଭାରତର ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଉରକେଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିମାନବନ୍ଦର ପରିସରସ୍ଥ ପଡିଆରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ରାଉରକେଲା ବିମାନବନ୍ଦର ପରିସରସ୍ଥ ପଡିଆକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ସଭାସ୍ଥଳ ପରିଦର୍ଶନ ପାଇଁ ସେଠାରେ ପହଂଚିଥିଲେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୋଲିସ୍ ଅଧିକାରୀ ।

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏପ୍ରିଲ ୨୧ରେ ରାଉରକେଲା ଗସ୍ତ ନେଇ ଓଡ଼ିଶାର ପ୍ରମୁଖ ଶିଳ୍ପ ସହର ରାଉରକେଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ ଅବସର ଭାବରେ ବର୍ଣ୍ଣନା କରାଯାଉଛି । ତାଙ୍କ ଗସ୍ତ ସମୟରେ, ରାଷ୍ଟ୍ରପତି ପାନପୋଷ ଠାରେ ରାଉରକେଲା ୱାନ୍ ପରିସରରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ, ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷଣ ପ୍ରଦର୍ଶନ କରିବା ସହ ଏହି ପ୍ରକଳ୍ପ ରାଉରକେଲା ପାଇଁ ଏକ ପର୍ଯ୍ୟଟନ ସ୍ଥଳ ଭାବରେ ପରିଗଣିତ ହେବାକୁ ଯାଉଛି । ରାଷ୍ଟ୍ରପତି ୨୦୨୬ ଏପି୍ରଲ ୨୧ ତାରିଖରେ ରାଉରକେଲା ଗସ୍ତ ସମୟରେ ପ୍ରମୁଖ ସାର୍ବଜନୀନ ଭିତିିଭୂମି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏପି୍ରଲ ୨୧ ତାରିଖ ୧୧ଟା ୧୦ ସମୟରେ ରାଉରକେଲା ଠାରେ ପହଂଚି ସନ୍ଧ୍ୟା ୪ଟା ୦୫ ସମୟରେ ପ୍ରସ୍ଥାନ କରିବେ । ଗସ୍ତ ସମୟରେ, ରାଷ୍ଟ୍ରପତି କେତେକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକଳ୍ପଗୁଡିକ ମଧ୍ୟରେ ପାନପୋଷ ହକି ଛକ ନିକଟସ୍ଥ ରାଉରକେଲା ୱାନ୍ ମଧ୍ୟରେ ଥିବା ସମନ୍ୱିତ ନିର୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ଏବଂ ଆଦିବାସୀ ସଂଗ୍ରହାଳୟ ।

ରାଉରକେଲା ଛେଣ୍ଡ ବିଏସଏନଏଲ୍ ଛକ ଠାରେ ଥିବା ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍ । କୋଏଲନଗର ଠାରେ ଥିବା ମନୋରଞ୍ଜନ ପାର୍କ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ସୁନ୍ଦରଗଡ଼ ଜିଲାର ୧୦,୦୦୦ରୁ ଅଧିକ ସ୍କୁଲ ଓ କଲେଜ । ଏଥିସହିତ ଛାତ୍ରଛାତ୍ରୀ ଏବଂ ୩୫ରୁ ଅଧିକ ସାଂସ୍କୃତିକ ଗୋଷ୍ଠୀଙ୍କ ଅଂଶଗ୍ରହଣରେ ଏକ ସାଂସ୍କୃତିକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି । ସୁନ୍ଦରଗଡ ଜିଲାର ପରମ୍ପରା ଓ ସଂସ୍କୃତିକୁ ପ୍ରଦର୍ଶନ କରୁଥିବା ଏକ ପ୍ରଦର୍ଶନୀରେ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ବିଭିନ୍ନ ବିଭାଗ ଦ୍ୱାରା ୩୦ଟି ଷ୍ଟଲ୍ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି । ଉଦ୍ଘାଟିତ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅଟକଳ ମୂଲ୍ୟ ଅନୁସାରେ ରାଉରକେଲା ୱାନ୍ ପରିସରରେ ନିର୍ମିତ ସମନ୍ୱିତ ନିର୍ଦ୍ଧେଶ ଓ ନିୟନ୍ତ୍ରଣ କେନ୍ଦ୍ର ୪୮ କୋଟି, ୪୦ କୋଟି ମୂଲ୍ୟ ବ୍ୟୟରେ ନିର୍ମିତ ଆଦିବାସୀ ସଂଗ୍ରହାଳୟ । କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ ୪୨.୪୪ କୋଟି । ଛେଣ୍ଡ ଠାରେ ନିର୍ମିତ ବିଜ୍ଞାନ ପାର୍କ ଏବଂ ପ୍ଲାନେଟାରିୟମ୍ ୨୭ କୋଟି ଟଙ୍କାର ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *