ପିପିଲି,୧୭/୦୪/୨୦୨୬ (ଓଡ଼ିଶା ସମାଚାର)- ପିପିଲି ଏସଡିପିଓଙ୍କ କାର୍ଯ୍ୟାଳୟ ଅଧୀନ ସତ୍ୟବାଦୀର କଲେଜ ଛକ ନିକଟ ୩୧୭ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଜୟା ହୋଟେଲ ଉପରେ ବୁଧବାର ଦ୍ୱିପହରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ବୈଦ୍ୟନାଥ ଦାସ ଓରଫ ବାଦଲ (୨୫), ପ୍ରଭାକର ପ୍ରଧାନ ଓରଫ ବୁଲୁ (୨୭) ଓ ବିରେନ୍ଦ୍ର କୁମାର ସାହୁ ଓରଫ ବାବୁ (୨୦) । ସମସ୍ତ ଅଭିଯୁକ୍ତ ପିପିଲି ଥାନା ଅଧୀନ ସିରିଆପୁରୁ ଗ୍ରାମର ବୋଲି ଜଣାପଡିଛି ।
ସତ୍ୟବାଦୀ ପୋଲିସ କେସ ନଂ.୧୬୮/୨୬, ଧାରା-୨୯୬/୧୦୯(୧) /୩୨୪(୫) /୩୨୪(୬) /୩୨୬(ଶ)/ ୩୨୬(ଲ)/ ୩୫୧(୨)/ ୩୫୧(୩)/ ୩(୫) ୪ ବିସ୍ଫୋରକ ପଦାର୍ଥ ଆଇନ୧୯୦୮ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁକୋର୍ଟ ଚାଲାଣ କରିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ତଳପାଟଣା ଗ୍ରାମର ପ୍ରଦୀପ କୁମାର ବାରିକଙ୍କ ହୋଟେଲକୁ ସିରିଆପୁର ଗ୍ରାମର କିଛି ଯୁବକ ଖାଇବା ପାଇଁ ଆସିଥିଲେ । କିନ୍ତୁ ସେମାନେ ହୋଟେଲ ଭିତରେ ଅଶାନ୍ତି ପରିସ୍ଥିତି ସୃଷ୍ଟି କରି ଅସଭ୍ୟ ଭାଷା ବ୍ୟବହାର କରିଥିଲେ । ଅନ୍ୟ ଗ୍ରାହକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବାରୁ ହୋଟେଲ ମାଲିକ ସେମାନଙ୍କୁ ସଚେତନ କରିଥିଲେ । କିନ୍ତୁ ସେମାନେ ଖାଇସାରି ବିଲ ନଦେଇ ପଳାଇବାକୁ ଚେଷ୍ଟା କରିଥିଲେ ।
ବିଲ ଦେବାକୁ କହିବାରେ ସେମାନେ ମାଲିକଙ୍କୁ ଧମକ ଦେଇ ଚାଲିଯାଇଥିଲେ । ଏହାପରେ ପ୍ରାୟ ୧୫ମିନିଟ ପରେ ସେମାନେ ଗୋଟିଏ ନୀଳବର୍ଣ୍ଣର ଅଶୋକ ଲେଲାଣ୍ଡ ଗାଡ଼ି ନଂ ଓଡ଼ି ୦୨ ସିକୁ୍ୟ୨୯୨୩ରେ ଫେରି ଆସି ହୋଟେଲ ଉପରେ ତିନୋଟି ବୋମା ନିକ୍ଷେପ କରିଥିଲେ । ଏହି ଘଟଣାରେ କୌଣସି ଲୋକ ଆହତ ହୋଇନଥିଲେ, କିନ୍ତୁ ଗୋଟିଏ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଅଭିଯୁକ୍ତମାନେ ସେହି ସ୍ଥାନ ଛାଡ଼ି ପଳାଇ ଯାଇଥିଲେ । ପରେ ପୋଲିସ ଅନୁସନ୍ଧାନ କରି ୩ ଜଣଙ୍କୁ ଗିରଫ କରି ଆଦାଲତକୁ ପ୍ରେରଣ କରିଛି । ପୋଲିସ ଘଟଣାସ୍ଥଳରୁ ଗୋଟିଏ ଗାଡ଼ି, ହାଁସୁଆ କଟୁରୀ, ଝୋଟ ସୁତୁଲି ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଘଟଣାକୁ ନେଇ ଅଂଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ସତ୍ୟବାଦୀ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିପିଲି ଏସଡ଼ିପିଓ ଦେବାଶିଷ ମିଶ୍ର ଏବଂ ଥାନା ଅଧିକାରୀ ସୌମ୍ୟରଂଜନ ମହାଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
