ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଉତ୍କଣ୍ଠା, ପ୍ରେରଣ କରୁଛନ୍ତି ଶୁଭେଚ୍ଛା ଭିଡିଓ —  ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବାଲୁକା କଳା ପ୍ରଦର୍ଶିତ

ଭୁବନେଶ୍ୱର, ୦୧/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜନତା ମଇଦାନରେ ଆୟୋଜନ କରାଯାଉଛି । ଓଡ଼ିଆ ଭାଷା, ସାହିତ୍ୟ ଓ ଐତିହ୍ୟ ଏବଂ ଓଡ଼ିଆ ଅସ୍ମିତାର ପରିଚୟ ଏହି ସମ୍ମିଳନୀ ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରବାସୀ ଓଡ଼ିଆ ମାନେ ଉତ୍କଣ୍ଠାପୂର୍ଣ୍ଣ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରେରଣ କରୁଛନ୍ତି । ଏହି ସମ୍ମିଳନୀ ମାଧ୍ୟମରେ ଓଡ଼ିଆ ଭାଷାର ଗୁରୁତ୍ୱ ଆହୁରି ବୃଦ୍ଧି ପାଇବା ସହ ଲୋକପ୍ରିୟତା ହାସଲ କରିବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି । ସମ୍ମିଳନୀକୁ ନେଇ ସେମାନେ ଖୁସିବ୍ୟକ୍ତ କରିବା ସହ ଏହାର  ସଫଳତା କାମନା କରି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

ସେହିଭଳି ଅତିଥି ମାନଙ୍କୁ ସ୍ୱାଗତ କରିବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଠାରେ ସମ୍ମିଳନୀକୁ ନେଇ ଏକ ବାଲୁକା କଳା ପ୍ରଦର୍ଶିତ ହୋଇଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି । ଏଥିରେ ସମ୍ମିଳନୀ ଲୋଗୋକୁ ବାଲୁକା କଳା ମାଧ୍ୟମରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ଏହି ସମ୍ମିଳନୀରେ  ଦେଶ ବିଦେଶରୁ ଭାଷାବିତ ଓ ଐତିହାସିକ ମାନେ ଯୋଗଦେଇ ସେମାନଙ୍କ ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିବେ।

ଏଥିସହ ସମ୍ମିଳନୀକୁ ଆମନ୍ତ୍ରିତ ଅତିଥି ମାନେ ଭୁବନେଶ୍ୱରରେ ପହଂଚିବା ଆରମ୍ଭ କଲେଣି । ଆସନ୍ତାକାଲି ଅନ୍ୟାନ୍ୟ ଅତିଥି ମାନେ ମଧ୍ୟ ପହଂଚିବା କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀ ନିମନ୍ତେ ବିଭିନ୍ନ ସ୍ତରରେ ବ୍ୟାପକ ଆୟୋଜନ କରାଯାଇଛି ।

                                                                                    -0-

Leave a Reply

Your email address will not be published. Required fields are marked *