କଟକ ସଦର,୭/୪/୨୬(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା)-ମହାନଦୀ ଚିତ୍ରୋତ୍ପଳା ଦୀପାଂଚଳ ରେ ଅବସ୍ଥିତ ମଣିଜଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଠାରେ ଆଜକୁ ଦୀର୍ଘ ୭ ବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିଲା ଏକ ପାନୀୟ ଜଳ ପ୍ରକଳ୍ପ । ଇତି ମଧ୍ୟରେ ଦୀର୍ଘ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ର ସମସ୍ତ କାର୍ଯ୍ୟ ଅଧା ରେ ଅଟକିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ କହନ୍ତି କି ଗତ କରୋନା ପୂର୍ବରୁ ଓଡ଼ଖଣ୍ଡ ଠାରେ ଏକ ପାନୀୟ ଜଳ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ ହୋଇଥିଲା । ଓଡ଼ଖଣ୍ଡ ଓ ଧାରିବିଲ ଗ୍ରାମରେ ମଧ୍ୟ ପାଇପ୍ ବିଛା କାର୍ଯ୍ୟ ସରିଥିଲା । କରୋନା ଯୋଗୁ ସମସ୍ତ କାର୍ଯ୍ୟ ଠପ୍ ହୋଇଗଲା ।
ପରେ ପାଇକା ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ କରାଯିବା ସମୟରେ ସମନ୍ୱୟ ଅଭାବରୁ ପାଇକା ନଦୀ ବନ୍ଧ କଡ଼ରେ ବିଛାଯାଇଥିବା ପାଣି ପାଇପ୍ ଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ତେବେବି ପ୍ରକଳ୍ପ ର ପାଇପ୍ ବୋରିଂ ସରିଛି ହେଲେ ଅନ୍ୟ କାର୍ଯ୍ୟ ସବୁ ଅଧା । ପ୍ରକଳ୍ପ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ । ପ୍ରକଳ୍ପ
ନିକଟରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କରାଯାଇଥିଲେ ମଧ୍ୟ ତାହା ଅଧାରେ ଅଟକିଛି । ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ବିଦ୍ୟୁତ ଟ୍ରାନ୍ସଫର୍ମର ବସି ସାରିଛି , ହେଲେ ତାହା ମଧ୍ୟ ଅଧା । ଓଡ଼ଖଣ୍ଡ ଓ ଧାରିବିଲ ଠାରେ ବିଛାଯାଇଥିବା ପାଇପ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ପୁଣି ଆଉ ଥରେ ପାଇପ୍ ବିଛାଇବାକୁ ପଡ଼ିବ ଓ ଷ୍ଟାଣ୍ଡ ପୋଷ୍ଟ ସବୁ ନିର୍ମାଣ କରାଯିବ । ହେଲେ ଏହି ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଆଉ ଆଗାଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ଏହି ପ୍ରକଳ୍ପର ବହୁ ବର୍ଷ ପରେ ମଣିଜଙ୍ଗ ଠାରେ ଅନ୍ୟ ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ତାହା ସମ୍ପୂର୍ଣ୍ଣ ହେବା ସହିତ ଦୁଇ ବର୍ଷ ରୁ ଅଧିକ ଦିନହେଲା କାର୍ଯ୍ୟକ୍ଷମ ହୋଇସାରିଛି ହେଲେ ଏହି ଓଡ଼ଖଣ୍ଡ ପାନୀୟ ଜଳ ପ୍ରକଳ୍ପ ର କେହି ବାପ ମା ନଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହି ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା ଅଧାରେ ଅଟକି ଥିବାରୁ ଓଡ଼ଖଣ୍ଡ, ଧାରିବିଲ ଓ ଭୁଇଁସାଇଲୋ ଆଦି ଗ୍ରାମର ଲୋକମାନେ ପାନୀୟ ଜଳ ପାଇବାରୁ ବଂଚିତ ହୋଇଛନ୍ତି । କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଏଥିପ୍ରତି ଦୃଷ୍ଟି ଦେଇ ଅଧାରେ ଅଟକିଥିବା ଓଡ଼ଖଣ୍ଡ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
