‘ହର୍ଷେ ଇ” ଦ୍ୱାରା ଆୟୋଜିତ ତନୁଲତାର କବି ସୁନୀଲ ପୃଷ୍ଟି ସନ୍ଧ୍ୟା

ଭୁବନେଶ୍ୱର,୦୫/୦୪/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- “ହର୍ଷେ ଇ” ଓ “ଓଡ଼ିଶା ସାହିତ୍ୟ ଏକାଡେମୀ”  ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ “ତନୁଲତାର କବି ସୁନୀଲ ପୃଷ୍ଟି ସନ୍ଧ୍ୟା” ଶନିବାର ସନ୍ଧ୍ୟାରେ ବେଶ୍ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। କବି ସୁନୀଲ ପୃଷ୍ଟିଙ୍କ ସାହିତ୍ୟ ସମ୍ଭାରକୁ ନେଇ ଆୟୋଜିତ ଏହି ସାରସ୍ୱତ ଆଲୋଚନା ଚକ୍ରରେ ବିଶିଷ୍ଟ ସାହିତ୍ୟିକ ଭଗବାନ ଜୟସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଦେବପ୍ରସାଦ ଦାଶ ଏବଂ ପ୍ରକାଶ ମହାପାତ୍ର ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟବକ୍ତା ଭାବେ ଅଜୟ ସ୍ବାଇଁ ସୁନୀଲ ପୃଷ୍ଟିଙ୍କ କବିତାର ଗୂଢ଼ାର୍ଥ ଉପରେ ପାଣ୍ଡିତ୍ୟପୂର୍ଣ୍ଣ ଆଲୋକପାତ କରିଥିଲେ।

​ଏହି ସନ୍ଧ୍ୟାର ବିଶେଷତ୍ୱ ଥିଲା କବିତାକୁ କେବଳ ବହିରେ ସୀମିତ ନରଖି ତାକୁ କଳାର ବିଭିନ୍ନ ମାଧ୍ୟମରେ ରୂପାୟନ କରିବା। ଅଭିନେତା ହର ରଥ, କବି ଅମରେଶ ବିଶ୍ବାଳ, କବି ପ୍ରଣୟ ସୁଧା, କବି ସୁମିତ ପଣ୍ଡା, କବି ସତ୍ୟ ଶିବ ସୁନ୍ଦର, କବି ଶୀତଲ୍ ମିଶ୍ର, କବି ନୀଳପଦ୍ମ ଏବଂ କବି ପ୍ରଜ୍ଞା ପାରମିତା ପ୍ରିୟଦର୍ଶିନୀ ପ୍ରମୁଖ ସୁନୀଲ ପୃଷ୍ଟିଙ୍କ କବିତାଗୁଡ଼ିକୁ ମନଛୁଆଁ ଶୈଳୀରେ ଆବୃତ୍ତି କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେହିପରି ସନାତନ ନାୟକ ଏବଂ ବଂଶୀକା ବଂଶାଳୀ କବିତାର ଭାବକୁ ନୃତ୍ୟ ମାଧ୍ୟମରେ ଉପସ୍ଥାପନ କରିଥିବା ବେଳେ ରୋଜାଲିନ ବାରିକ ଏହାକୁ ଦୃଶ୍ୟକଳା ମାଧ୍ୟମରେ ପ୍ରଦର୍ଶିତ କରିଥିଲେ।

ସ୍ମୃତି ପ୍ରତୀକ ଓ ସିପୁନ ନାୟକଙ୍କ ସୁମଧୁର କଣ୍ଠରେ କବିତାଗୁଡ଼ିକ ଗୀତ ଓ ସଂଗୀତରେ ଝଙ୍କୃତ ହୋଇଥିଲା। ଏହି ଅବସରରେ ଚିତ୍ରକର ଜିତେନ୍ଦ୍ର କୁମାର ଭଞ୍ଜ ନିଜ ତୁଳୀ ସ୍ପର୍ଶରେ କବିଙ୍କୁ ଚିତ୍ରପଟରେ ଅତି ନିଖୁଣ ଭାବେ ସଜେଇଥିଲେ। କାର୍ଯ୍ୟକ୍ରମକୁ ବେଦପ୍ରକାଶ ନାୟକ ସୁଚାରୁରୂପେ ସଂଯୋଜନା କରିଥିଲେ। ପ୍ରାରମ୍ଭରେ ଗାଳ୍ପିକ ଦେବବ୍ରତ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ କବି ଅବିନାଶ ସାହୁ ସମସ୍ତ ଅତିଥି, କଳାକାର ଓ ସାହିତ୍ୟ ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ସୁନୀଲ ପ୍ରେମୀ ଓ ସାହିତ୍ୟ ପ୍ରେମୀ ଏହି ଉତ୍ସବରେ ଯୋଗଦେଇ ଏପରି ଏକ ନିଆରା କାର୍ଯ୍ୟକ୍ରମ ପାଇଁ ଭୁରିୟସୀ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *