ଭୁବନ ୦୩/୦୪/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅଞ୍ଚଳରେ ବାରମ୍ବାର ହାତୀ, ଭାଲୁ, ବାରହା ପ୍ରଭୃତି ଜଙ୍ଗଲି ଜନ୍ତୁ ବୁଲୁଥିବାର ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ଗତ କାଲି ୨ ତାରିଖ ଗୁରୁବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ସୁକିନ୍ଦା ପଟରୁ ଗୋଟାଏ ଦନ୍ତା ହାତୀ ଆସି ଭୁବନ କଲେଜ ଛକ ନିକଟରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ହୋ ହାଲା କରି ହାତୀକୁ ଘଉଡ଼ାଇଥିଲେ ।
ଏ ସମ୍ପର୍କରେ ଖବର ପାଇ ଫରେଷ୍ଟ ରେଞ୍ଜର ରାକେଶ କୁମାର ଦଳେଇ ସଦଳ ବଳେ ହାତୀକୁ ୫୩ ନମ୍ବର ଜାତୀୟ ରାଜପଥରେ ଚଳାଇ ଚଳାଇ ନେଇ କୋର୍ଟ ଛକ, ଭୂଷଳ ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ପାର କରାଇ ସକାଳ ୬ ଘଟିକା ସମୟରେ ଦଲାର ବିଟ୍ କୁ ହସ୍ତାନ୍ତର କରିଥିଲେ । ହାତୀ ଟି ଭୁବନ ସହରରେ ଦୀର୍ଘ ସମୟ ବିଚରଣ କରିଥିଲେ ମଧ୍ୟ କୌଣସି ଅନିଷ୍ଟ କରି ନଥିଲା ଏବଂ ଯିବା ସମୟରେ ବ୍ରାହ୍ମଣୀ ନଦୀରେ ସ୍ନାନ କରି ଯାଇଥିଲା ।
