ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଉପକରଣ ବଣ୍ଟନ

ନୟାଗଡ଼, ୦୩/୦୪/୨୦୨୬ (ଓଡ଼ିଶା ସମାଚାର)-  ନୟାଗଡ଼ ଜିଲ୍ଲା ରଣପୁର ଏନଏସି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟ, ମହାବୀର ବିକଳାଙ୍ଗ ସହାୟତା ସମିତି ଏବଂ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ମିଳିତ ସହଭାଗିତାରେ  ବିଶ୍ବ ସ୍ବପରାୟଣତା ଦିବସ ପାଳନ ଓ ଦିବ୍ୟାଙ୍ଗ ଉପଯୋଗୀ ଶିକ୍ଷା ସାମଗ୍ରୀ, ଶ୍ରାବଣ ଯନ୍ତ୍ର, ଆଶାବାଡ଼ି ଓ ହ୍ୱିଲଚେୟାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅଭିଷ୍ଟ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀମତୀ ଏଲି ପାଢ଼ୀ ଜୈନଙ୍କ ସକ୍ରୀୟ ପ୍ରଚେଷ୍ଠାରେ ସଫଳ ହୋଇଯାଇଛି।

ଶ୍ରୀମତୀ ଏଲି ପାଢ଼ୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ବକ୍ତବ୍ୟରେ  ଅଟିଜିମ୍ ଏକ ସ୍ନାୟବିକ ତ୍ରୁଟିଯୁକ୍ତ ଶାରୀରିକ ବିକାଶ ଯେଉଁଥିରେ ଅନ୍ୟ ଲୋକମାନଙ୍କ ସ‌ହିତ ସାମାଜିକ ଭାବ ବିନିମୟ ଓ ଯୋଗାଯୋଗ କରିବାରେ ସମସ୍ୟା ଦେଖାଯାଏ ଓ ସୀମିତ ତ‌ଥା ପୁନଃପୌନିକ ବ୍ୟବ‌ହାର ଦେଖାଯାଏ ବୋଲି ମତପ୍ରକାଶ କରିବା ସହ ଅଟିଜିମର ନିରାକରଣ ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର‌ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି, ରଣପୁର ବିଡ଼ିଓ ଶ୍ରୀ ମନୋଜ କୁମାର ନାୟକ, ରଣପୁର ତହସିଲଦାର ଶ୍ରୀ ଆର୍ଯ୍ୟ କୁମାର ସର୍ବଦାମନ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ଜିଲ୍ଲା ସାମାଜିକ ଅଧିକାରୀ ଶ୍ରୀ ସର୍ବେଶ୍ଵର ପାଣିଗ୍ରାହୀ, ମହାବୀର ବିକଳାଙ୍ଗ ସହାୟତା ସମିତିର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ସାମଲ, ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘର ସମ୍ପାଦକ ଶ୍ରୀ ଆୟୁଷ୍ମାନ ଚୌଧୁରୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ମହାପାତ୍ର, କଳିଙ୍ଗ ଯୁବସେନର ପ୍ରତିଷ୍ଠାତା ଶ୍ରୀ ଚନ୍ଦ୍ରଶେଖର ଦାସ, ତଥା ଭୁବନେଶ୍ୱରର ସମାଜ ସେବୀ ବିଭୂ ପ୍ରସାଦ ରୟ ଯୋଗଦେଇ ଅଟିଜିମ୍ କଣ, ତାହାର ନିରାକରଣ ଓ ସଚେତନତା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ।

ଏହି ଅବସରରେ ପ୍ରାୟ ୩୦ ଜଣ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କୁ ସ୍ଵତନ୍ତ୍ର ଶିକ୍ଷା ସାମଗ୍ରୀ,୩୬ ଜଣ ଦିବ୍ୟାଙ୍ଗଙ୍କୁ ହ୍ବିଲ୍ ଚେୟାର ଓ ୨୩ ଜଣ ଶ୍ରବଣ ବଧିତ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ଶ୍ରବଣ ଯନ୍ତ୍ର ପ୍ରଦାନ ପୂର୍ବକ ସମୁଦାୟ ପ୍ରାୟ ୧୦୦ ଜଣ ଦିବ୍ୟଙ୍ଗଙ୍କୁ ସମାଜରେ ସ୍ୱାବଲମ୍ବୀ ଦିନରେ ଆବଶ୍ୟକୀୟ ଉପକରଣ ପ୍ରଦାନ କରାଯାଇଛି। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଓଡ଼ିଶା ବିଧାନସଭାର ମାନନୀୟ ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ହୋଇଥିଲା ଯାହାକୁ ସଧାରଣ ଜନତା, ଶିକ୍ଷାବିତ୍, ବୁଦ୍ଧିଜୀବୀ,ସମାଜସେବୀ ତଥା ଦିଵ୍ୟାଙ୍ଗ ବ୍ୟକ୍ତିବିଶେଷଙ୍କ ଅଭିଭାବକ ଖୁବ୍ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *