ବଡମାଣିତିଆ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ

କେନ୍ଦ୍ରାପଡ଼ା,୦୨/୦୪/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅଧିନ ସାନମାଣିତିଆ ପଂଚାୟତର ଜଗନ୍ନାଥ ସେବା ସଂସ୍ଥା ଆନୁକୂଲ୍ୟରେ ବଡମାଣିତିଆ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି ।ଏହି ଉପଲକ୍ଷେ ଜଗନ୍ନାଥ ସେବା ସଂସ୍ଥାର ସଭାପତି ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଏଭଳିି ଭବ୍ୟ ସମାରୋହର ଆୟୋଜନ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ଏହି ଅବସରରେ ସେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ । ବିଶିଷ୍ଟ ସମାଜସେବୀ ଇଂ ଭଗବାନ ବିଶ୍ୱାଳ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପିତାମାତା, ଗୁରୁଜନ ଓ ଅସହାୟ ଲୋକଙ୍କ ସେବା କଲେ ଶ୍ରୀଜଗନ୍ନାଥଙ୍କ କୃପା ମିଳିଥାଏ ବୋଲି କହିଥିଲେ ।

ଇଂ ଦେବାଶିଷ ମହାନ୍ତି ଅତିଥି ଭାବେ ଯୋଗଦେଇ କହିଲେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତେ ସମ୍ମିଳିତ ଭାବେ କାର୍ଯ୍ୟକରିବା ସହ ଆଗାମୀକାଲିର ଭବିଷ୍ୟତଙ୍କ ମଧ୍ୟରେ ଏହି ଭାବନା ଜାଗ୍ରତ କରିବା ଉଚିତ । ପୂର୍ବତନ ଜିଲା ପରିଷଦ ସଭାପତି ମାନସ କୁମାର ପରିଡା, ଆଇନଜୀବୀ ମୋହନ ଚରଣ ସାହୁ, ବ୍ୟବସାୟୀ ନଳିନୀକାନ୍ତ ଜେନା, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥ ସେବା ସଂସ୍ଥାର ସମ୍ପାଦକ ରବୀନ୍ଦ୍ର କୁମାର ପରିଡା ବଡମାଣିତିଆରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉପରେ ସବିଶେଷ ତଥ୍ୟ ଉପସ୍ଥାପନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପ୍ରଦୀପ କୁମାର ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ କେଶବ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଯଜ୍ଞକର୍ତା ଭାବେ ପ୍ରଶାନ୍ତ କୁମାର ରାଉତ ଓ ଯଜ୍ଞ ଉପକର୍ତା ଭାବେ ହିମାଂଶୁ ଭୂଷଣ ପରିଡା କାର୍ଯ୍ୟ ସମ୍ପାଦନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟଗୁରୁ ଚିତରଞ୍ଜନ ପୃଷ୍ଟି, ନିହାରରଞ୍ଜନ ରାଉତ, ରଘୁନାଥ ପରିଡା, ସର୍ବେଶ୍ୱର ଧଳ, ଗୁରୁଚରଣ ଦାସ, କେଦାର ବାବୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କଳାକାର ରମେଶ ଚନ୍ଦ୍ର ଦାସଙ୍କୁ ପୁଷ୍ପଗୁଛ, ଉତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ‘ଖୁସି ମୁ୍ୟଜିକ ଡ଼୍ୟାନ୍ସ ଗ୍ରୁପ’ର କୁନି କୁନି କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥିମାନେ କୃତି କଳାକାରମାନଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀକ୍ଷେତ୍ର ପୁରୀର ସୁନାମଧନ୍ୟ ପଣ୍ଡିତ ପଦ୍ମନାଭ ତ୍ରିପାଠୀ(ଶର୍ମା) ଓ ତାଙ୍କର ସହଯୋଗିମାନଙ୍କ ଦ୍ୱାରା ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ମଣ୍ଡଳାକରଣ କାର୍ଯ୍ୟ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ କଳସଯାତ୍ରା, ଶାଲା ପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ, ମା’ବିମଳାଦେବୀଙ୍କ ନୂତନ ମନ୍ଦିର ଅଧିବାସ, ଆଳତୀ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା । ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା, ଶାଲା ଦେବତା ପୂଜା, ଦେବତା ହବନ, ଶ୍ରୀବିମଳାଦେବୀଙ୍କ ମନ୍ଦିର ସଂସ୍କାର, ସ୍ନାନ, ଆଳତୀ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଗୁରୁବାର ଶେଷ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା, ଶାଲା ଦେବତା ପୂଜା, ସର୍ବଦେବତା ହବନ, ଶ୍ରୀବିମଳାଦେବୀଙ୍କ ମନ୍ଦିର ପ୍ରବେଶ ଓ ଯଜ୍ଞ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *