‘ମୋ କଲେଜ’, ‘ମେଟ୍ରୋଜ’ର ମିଳିତ ଉଦ୍ୟମ

ନିଯୁକ୍ତି ଭିତିକ ତାଲିମ ନେଇ ନୂଆ ଅଧ୍ୟାୟ  – – ମିଳୁଛି ଭବିଷ୍ୟ ଗଠନ ତାଲିମ୍, ବୃତି ଭିତିକ ପରାମର୍ଶ
ଭୁବନେଶ୍ୱର, ୦୧/୦୨/୨୦୨୪ (ଓଡ଼ିଶା ସମାଚାର)- ବର୍ତମାନ ପରିପ୍ରେକ୍ଷୀରେ ସାରା ବିଶ୍ୱରେ କ୍ରମଶଃ ଜନସଂଖ୍ୟା ବୃଦ୍ଧି ପାଉଛି, ମାତ୍ର ନିଯୁକ୍ତିର ପରିସର କମୁଛି । ଚାକିରୀ ଅଶାୟୀ ଯୁବାଙ୍କ ତୁଳନାରେ ଉଭୟ ସରକାରୀ ଓ ବେସରକାରୀ ଚାକିରୀ ଅନୁପାତ ହ୍ରାସ ପାଉଛି । କେତେକାଂଶରେ ମେଧାବୀ ଯୁବାଙ୍କୁ ବି କାମ ମିଳୁନି । ଏପରି ସ୍ଥିତିରେ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସଠିକ୍ ତାଲିମ୍ ଓ ଉତ୍କୃଷ୍ଟ ବୃତି ଭିତିକ ପରାମର୍ଶ ଜରୁରୀ ହୋଇଛି । ଏନେଇ ‘ମୋ କଲେଜ ଅଭିଯାନ’ ତଥା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ଭିତିକ ତାଲିମ୍ ଯୋଗାଉଥିବା ଉଦ୍ୟୋଗ ‘ମେଟ୍ରୋଜ’ ସହଯୋଗରେ ସ୍ୱତନ୍ତ୍ର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ଏହାକୁ ଆଧାର କରିରାଜ୍ୟର ଦୁଇ ପ୍ରମୁଖ ମହାବିଦ୍ୟାଳୟରେ ବୃତି ପରାମର୍ଶ ଭିତିକ ଆଲୋଚନାଚକ୍ର ଆୟୋଜିତ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଏହାକୁ ସଫଳତାର ସହ ଆୟୋଜନ ନେଇ ରୂପରେଖ ପ୍ରସ୍ତୁତ ହୋଇଛି ।
ନିକଟରେ ‘ମୋ କଲେଜ ଅଭିଯାନ’ ପକ୍ଷରୁ ଖୋର୍ଦ୍ଧାର ବିଜେବି ସ୍ୱୟଂଶାସିତ ମହାବିଦ୍ରାଳୟ ଏବଂ କଟକର ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ରା ମହାବିଦ୍ୟାଳୟରେ ଦୁଇଟି ପୃଥକ୍ ନିଯୁକ୍ତି ଭିତିକ ପରାମର୍ଶ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଯଥାକ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଇତିଶ୍ରୀ ପାଢ଼ୀ ଓ ପ୍ରଫେସର ଅରୁଣ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । ବୃତି ପରାମର୍ଶ ସେଲର ସଂଯୋଜକ ଡ. ଲିପ୍ସା ମିଶ୍ର ଓ ‘ମୋ କଲେଜ’ ସଂଯୋଜକ ଶ୍ରୀ ନିର୍ମଳ ପ୍ରଧାନ ଯଥାକ୍ରମେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଷୟ ବିଶେଷଜ୍ଞ ଭାବେ ଉଦ୍ୟୋଗୀ ତଥା ‘ମେଟ୍ରୋଜ’ର ପ୍ରତିଷ୍ଠାତା ମାନସ ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀଙ୍କୁ ମାର୍ଗଦର୍ଶନ କରିଥିଲେ । ବୃତି ପରାମର୍ଶର ଉପାଦେୟତା, ଦକ୍ଷତା ବୃଦ୍ଧିର ଗୁରୁତ୍ୱ ଏବଂ ତତ୍ ସମ୍ପର୍କିତ ଆଧୁନିକ ଶୈଳୀ ବାବଦରେ ଆଲୋକପାତ କରିଥିଲେ । ପ୍ରଶ୍ନୋତର ଅଧ୍ୟାୟରେ ସାମିଲ ହେବା ସହ ଉପସ୍ଥିତ ପାଂଚ ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିଥିଲେ ।‘ମୋ କଲେଜ’ ସଂଯୋଜିକା ଡ. ସମ୍ପ୍ରିତି ପଣ୍ଡା ଧନ୍ୟବାଦ ଦେଇଥିଲେ ।
କାର୍ଯ୍ୟକ୍ରମକୁ ଉଭୟ ମହାବିଦ୍ୟାଳୟର ଅଧ୍ରକ୍ଷ ବେଶ୍ ପ୍ରଶଂସା କରିଥିଲେ । ବିଦ୍ୟାର୍ଥୀମାନେ କେବଳ ମହାବିଦ୍ୟାଳୟ ପରିସର ମଧ୍ୟରେ ପୁସ୍ତକଗତ ବିଦ୍ୟା ଓ କ୍ରୀଡ଼ାଭ୍ୟାସ କରୁଥିଲେ । ପାଠପଢ଼ା ସରିବା ପରେ ରୋଜଗାର ନେଇ ସେମାନେ କେଉଁ ରାସ୍ତା ଅବଲମ୍ବନ କରିବେ, ସେନେଇ ସମ୍ୟକ୍ ଅଜ୍ଞ ରହୁଥିଲେ । ତେବେ ‘ମୋ କଲେଜ’ ପକ୍ଷରୁ ଆୟୋଜିତ ସମ୍ପୃକ୍ତ ନିଯୁକ୍ତି ଭିତିକ ପରାମର୍ଶ କାର୍ଯ୍ୟକ୍ରମ ବିଦ୍ୟାର୍ଥୀଙ୍କୁ ନୂଆ ଦିଶା ଦେଖାଇବ ବୋଲି ପ୍ରଫେସର ପାଢ଼ୀ ଓ ପ୍ରଫେସର ସ୍ୱାଇଁ ପ୍ରକାଶ କରିଥିଲେ । ଅନୁରୂପ ବିଦ୍ୟାର୍ଥୀ ଶୁଭକାନ୍ତ ବେହେରା ଓ ଜୟସ୍ମିତା ବେହେରା କାର୍ଯ୍ୟକ୍ରମ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଥିଲେ ।ଆଲୋଚନାଚକ୍ରର ସାରାଂଶ ସେମାନଙ୍କ ଭବିଷ୍ୟଗଠନ ନେଇ ଉପାଦେୟ ହେବ ବୋଲି କହିଥିଲେ ।ତେବେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ ଏବଂ ଗୁଣାତ୍ମକ ଶିକ୍ଷା ସହ ବିଦ୍ୟାର୍ଥୀଙ୍କ ନିଯୁକ୍ତି ଭିତିକ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ଦୃଢ଼ ସହାୟକ ହେବ ବୋଲି ‘ମୋ କଲେଜ’ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *