ରାଜ୍ୟ ଅଗ୍ନିଶମ ଓ ଜରୁରୀ କାଳୀନ ସେବା, ହୋମ ଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମୀକ୍ଷା

  • ପାଣିରେ ବୁଡ଼ି ମୃତ୍ୟୁ ହ୍ରାସ ପାଇଁ ଅଗ୍ନିଯୋଦ୍ଧା ମାନେ ପ୍ରଭାବୀ ପଦକ୍ଷେପ ନିଅନ୍ତୁ : ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ
  • ଅଗ୍ନିଶମ ସେବା କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ଉଲ୍କେଖନୀୟ ପଦକ୍ଷେପ ସଂପର୍କରେ  ଅଗ୍ନିଶମ ଡିଜିଙ୍କ ସୂଚନା

ଭୁବନେଶ୍ୱର,୧୨/୦୩/୨୦୨୬(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅଗ୍ନିଶମ ଓ ଜରୁରୀ କାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତକାଲି ବୁଧବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ  ପୁଲିସ ମହାନିର୍ଦ୍ଦେଶକ (ଅଗ୍ନିଶମ ସେବା) ଡଃ.ସୁଧାଂଶୁ ଷଡ଼ଙ୍ଗୀ ଓଡ଼ିଶା ଅଗ୍ନିଶମ ସେବାସଂପର୍କିତ କାର୍ଯ୍ୟରେ କ୍ଷମତା ବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଓ ଆଗାମୀ ରଣନୀତି ସଂପର୍କରେ ଉପସ୍ଥାପନ କରିଥିଲେ ।

 ବୈଠକରେ ସୂଚନା ଦେଇ ଅଗ୍ନିଶମସେବା ଡିଜି  ଡଃ.ଷଡ଼ଙ୍ଗୀ କହିଥିଲେ ଯେ, ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁସାରେ ଓଡ଼ିଶା ଅଗ୍ନିଶମ ସେବାଅଗ୍ନିକାଣ୍ଡ, ସଡ଼କ ଦୁର୍ଘଟଣା, ରେଳ ଦୁର୍ଘଟଣା,କୋଠା ଭୁଷୁଡ଼ିବା, ପାଣିରେ ବୁଡ଼ିଯିବା ଘଟଣା ଓ ଅନ୍ୟାନ୍ୟ ବିପଦ ସମୟରେ ପ୍ରଥମେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସଂପାଦନ କରୁଛନ୍ତି । ପ୍ରତିଦିନ ସାଧାରଣତଃ ୨୦୦ରୁ ଅଧିକ ଆପାତକାଳୀନ ଘଟଣାରେ ଅଗ୍ନିଶମ କର୍ମଚାରୀମାନେ ସେବା ଯୋଗାଇ ଦେଉଛନ୍ତି। ସେମାନେ ଜୀବନ-ଜୀବିକା ରକ୍ଷା ପାଇଁ ମନୁଷ୍ୟ ସହିତ ପ୍ରାଣୀମାନଙ୍କୁ ମଧ୍ୟ ଉଦ୍ଧାର କରି ସାମାଜିକ ସେବାର ଏକ ଉଦାହରଣ ସୃଷ୍ଟି କରିଛନ୍ତି।ରାଜ୍ୟରେ ସହରାଂଚଳ ଓ  ଗ୍ରାମାଂଚଳରେ ଥିବା୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି ।୨୦୨୫ବର୍ଷରେଅଗ୍ନିଶମସେବା ତରଫରୁ ପ୍ରାୟ୨୦,୯୯୧ଟି ଅଗ୍ନିକାଣ୍ଡ ଜନିତ କଲ୍  ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ ଫଳରେ ପ୍ରାୟ୫୯୮କୋଟି ଟଙ୍କାର ସମ୍ପତ୍ତି ଓ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇ ପାରିଛି  । ତତ୍ ସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ଜଣ ବ୍ୟକ୍ତି ଏବଂ ୧୬,୩୯୯ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି ।

 ଅଗ୍ନିଶମ  ଓ ଜରୁରୀକାଳୀନ ସେବାକୁ ଅଧିକ ଦକ୍ଷ ଓ ସୁଦୃଢ କରିବାପାଇଁ ନିଆଯାଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’ ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡାଠାରେ ଚବିଶ ଘଣ୍ଟିଆ କାର୍ଯ୍ୟକ୍ଷମ‘ରାଜ୍ୟ କମାଣ୍ଡ ସେଣ୍ଟର’ପ୍ରତିଷ୍ଠା କରାଯାଇଛି , ଯାହା ଫଳରେ ଆପାତକାଳୀନ ସ୍ଥିତିରେ ଖୁବ୍ କମ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ  ନିଆଯାଉଛି ଏବଂ ସମ୍ପୃକ୍ତ ସମସ୍ତଙ୍କ ସହ ସମନ୍ୱୟ ରଖି  ତ୍ୱରିତ ମନିଟରିଂ କରାଯାଇପାରୁଛି  । କୋଣାର୍କ ନିକଟସ୍ଥ ରାମଚଣ୍ଡୀ  ଠାରେ ଜଳରୁ ଉଦ୍ଧାରଏବଂ ପାଣି ତଳେ ସର୍ଚ୍ଚ ଅପରେସନ ପାଇଁ ଉତ୍ସର୍ଗୀକୃତ ପ୍ରଶିକ୍ଷଣକେନ୍ଦ୍ରକୁ ଗତ ୨୦୨୫ ଡିସେମ୍ବରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି ।  ସର୍ଚ୍ଚ ଏବଂ ଉଦ୍ଧାର  କାର୍ଯ୍ୟ ପାଇଁ ‘କେ-୯’ଡଗ୍ ସ୍କ୍ୱାଡ୍  ଗଠନ କରାଯାଇଛି, ଯେଉଁଥିରେ ୧୦ଟି ପ୍ରଶିକ୍ଷିତ କୁକୁର ରାଜ୍ୟର ବିଭିନ୍ନ ସହରରେ ନିଯୁକ୍ତ ହୋଇଛନ୍ତି ।

ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟ କଳାପକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି ।  ଲିଙ୍ଗଗତ ସମାନତା ରକ୍ଷା କରିବାକୁ ‘ଫାୟାର ମ୍ୟାନ’ ପଦବୀକୁ ‘ଫାୟାର ଫାଇଟର’ ବା “ଅଗ୍ନିଯୋଦ୍ଧା” ଭାବେ ନାମିତ କରାଯାଇଛି।ଅଗ୍ନିଶମ ସେବା କର୍ମଚାରୀରୁ ସେମାନେ ଅଗ୍ନିଯୋଦ୍ଧା ଭଳି ସମ୍ମାନରେ ପଦବାଚ୍ୟ ହୋଇ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛନ୍ତି ।ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ବୋଲି ଅଗ୍ନିଶମ ସେବା ଡିଜି ଡଃ. ଷଡଙ୍ଗୀ ସୂଚନା ଦେଇଥିଲେ । ଜନ ସାଧାରଣଙ୍କ ସଚେତନତା ଓ ସୂଚନା ପାଇଁ ଅଗ୍ନିଶମ ସେବା ଶାଖା ପକ୍ଷରୁ ସାମାଜିକ ଗଣ ମାଧ୍ୟମ(ସୋସିଆଲ ମିଡିଆ) ବ୍ୟବହାର କରାଯାଉଛି । ୯୧୧ ଜଣ ନୂତନ ଅଗ୍ନିଯୋଦ୍ଧାନିଯୁକ୍ତି ହୋଇ ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି ।ଖାଲିପଡ଼ିଥିବା ସମସ୍ତ ପଦବୀ ଶୀଘ୍ର ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ନାଗରିକ ସୁରକ୍ଷା(ସିଭିଲ ଡିଫେନ୍ସ )ସହାୟତାକୁ ଅଗ୍ନିଶମ ସେବା ସହ ସମନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

          ଓଡ଼ିଶା ପର୍ଯ୍ୟଟନ ବିଭାଗ ସହିତ ସମ୍ମିଳିତ ଭାବେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ଲାଇଫ୍ ଗାର୍ଡମାନଙ୍କୁ ପ୍ରଶିକ୍ଷଣ ଓ ସାର୍ଟିଫିକେଟ୍  ଦେବା ନିମନ୍ତେ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି, ଯାହା ଦେଶରେ ପ୍ରଥମ ଉଦ୍ୟମ ଭାବେ ବିବେଚିତ ହୋଇଛି । ବ୍ୟବସାୟ କରିବାର ସହଜତାକୁ ଗୁରୁତ୍ୱ ଦେଇ ଅଗ୍ନି ସୁରକ୍ଷା ଅଡିଟ୍, ସ୍ୱୟଂକ୍ରିୟ  ନବୀକରଣ ଓ ତୃତୀୟ ପକ୍ଷ ଯାଞ୍ଚ ପ୍ରଣାଳୀକୁ ମଧ୍ୟ କାର୍ଯ୍ୟକାରୀ  କରାଯାଇଛି।ପ୍ରତ୍ୟେକ ଅଗ୍ନିଶମ କର୍ମଚାରୀଙ୍କୁ  ବିଭିନ୍ନ କାର୍ଯ୍ୟ ସମେତ ନିର୍ଦ୍ଦିଷ୍ଟ ଗୋଟିଏ  ବିଷୟରେ ଯଥା ସ୍କୁବା ଡାଇଭର, ପ୍ରାଥମିକ ଚିକିତ୍ସା, ସର୍ଚ୍ଚ ଏବଂ ଉଦ୍ଧାର, ଫାୟାର ଫାଇଟର ଟ୍ରେନର, ଜଙ୍ଗଲ ନିଆଁ ଲିଭାଇବା, ଦୁର୍ଘଟଣା ପ୍ରତିକ୍ରିୟା, କେ-୯., କମାଣ୍ଡ ସେଣ୍ଟର ବିଶେଷଜ୍ଞ ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇ ବିଶେଷଜ୍ଞ ବ୍ୟାଚ୍ ପ୍ରଦାନର ବ୍ୟବସ୍ଥା ଆରମ୍ଭ କରାଯାଇଛି, ଯାହାକି ଅଗ୍ନିସେବା ସଂପର୍କିତ କାର୍ଯ୍ୟରେ ଦକ୍ଷତା ଓ ଗୌରବ ବୃଦ୍ଧି କରିବ ।

ଅଗ୍ନିଶମ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ଆଘାତ ପରେ ପୁନର୍ବାସ ପାଇଁ ଇଞ୍ଜୁରି ମ୍ୟାନେଜମେଣ୍ଟ, ରିକଭରି ଓ ରିହାବିଲିଟେସନ୍ ସେଣ୍ଟର ସ୍ଥାପନ କରାଯାଇଛି। ଆଧୁନିକ ଇନସିଡେଣ୍ଟ କମାଣ୍ଡ ଭେହିକଲ୍‌ ମାଧ୍ୟମରେ ଘଟଣାସ୍ଥଳରେ ଖୁବ୍ କମ ସମୟ ମଧ୍ୟରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍ ସ୍ଥାପନ କରି ଶୀଘ୍ର ସମନ୍ୱୟ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି।ବଡ଼ ଜନସମାଗମ ଓ ଉତ୍ସବ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ଉନ୍ନତ ପ୍ରଥମିକ ଚିକିତ୍ସା ପ୍ରଶିକ୍ଷଣ ଦିଆଯାଉଛି।ଅଗ୍ନିଯୋଦ୍ଧାମାନେବଡ଼ ବଡ଼ ଅଟ୍ଟାଳିକାମାନଙ୍କୁ ଉଦ୍ଧାର କାର୍ଯ୍ୟରେ  ଉପରକୁ ଚଢିବା ପାଇଁ ଏବଂ  ଓହ୍ଲାଇବା ପାଇଁ ବ୍ୟାଟେରି ଚାଳିତ ବ୍ୟବସ୍ଥା କରାଯାଇଛି । ରାଜ୍ୟର ସମସ୍ତ ଦମକଳ କେନ୍ଦ୍ର ମାନଙ୍କରେ ଅଗ୍ନିଯୋଦ୍ଧାମାନଙ୍କ ପାଇଁ ପିପିଇ କିଟ୍‌ ଯୋଗାଇ ଦିଆଯାଇଛି  । ଅଗ୍ନିଯୋଦ୍ଧାମାନେ ଶାରିରିକ ସୁସ୍ଥ ଓ ସଦାପ୍ରସ୍ତୁତ ରହିବା ପାଇଁ ନିୟମିତ ଶାରୀରିକ କାର୍ଯ୍ୟକଳାପ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

 ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ରାଜ୍ୟରେ  ଅଗ୍ନିଶମ ସେବାକୁ ଆହୁରି ସୁଦୃଢ଼ କରିବା ଗୁରୁତ୍ୱ  ଦେଇ କହିଛନ୍ତି ଯେ, ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ଗୁଣାତ୍ମକ ଶାସନ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।ଏହି ପରିପ୍ରେକ୍ଷୀରେ ସେ ବିଭିନ୍ନ ଦୁର୍ଘଟଣା ମୁକାବିଲା ସଂପର୍କରେ ଆଲୋଚନା କରିବା ସହ ପ୍ରତିବର୍ଷ ପାଣିରେ ବୁଡ଼ିଘଟୁଥିବା ମୃତ୍ୟୁ ସଂଖ୍ୟାକୁ ବହୁ ସଂଖ୍ୟାରେ କମାଇବାରେ ଅଗ୍ନିଶମ -ବିଭାଗ ପ୍ରଭାବୀ ଭୂମିକାଗ୍ରହଣ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଏହାକୁ ଆହ୍ୱାନ ଭାବେ ନେଇ   ଅଗ୍ନିଯୋଦ୍ଧାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ମୁଖ୍ୟ ଶାସନ ସଚିବ ଦୃଢ  ଆଶା ପ୍ରକାଶ କରିଛନ୍ତି  ।

ଅଗ୍ନିଶମ ସେବା ପକ୍ଷରୁ ‘‘ଆଜି ଶନିବାର ଚାଲଯିବା ଦମକଳ କେନ୍ଦ୍ର’’ଭଳି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।ଏହି ପଦକ୍ଷେପରେ  ଛାତ୍ରଛାତ୍ରୀ, ସ୍ଥାନୀୟ ନେତୃବୃନ୍ଦ, ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ଏନସିସି କ୍ୟାଡେଟ ଆଦିମାନଙ୍କ ପାଇଁ ସ୍ଥାନୀୟ ଦମକଳ କେନ୍ଦ୍ର ପରିଦର୍ଶନ ବ୍ୟବସ୍ଥା କରାଯାଇଛି, ଯଦ୍ୱାରା ସେମାନେ ଅଗ୍ନିଶମ ଓ ଜରୁରୀକାଳୀନ ସେବା  ସଂପର୍କରେ ସଚେତନ ହେବା ସହ  ପ୍ରଶିକ୍ଷଣ  ସୁଯୋଗ ପାଇପାରୁଛନ୍ତି । ଦମକଳ କେନ୍ଦ୍ରରେ ମଧ୍ୟ ଜଳବୁଡ଼ିରୁ ଉଦ୍ଧାର, ସାପ କାମୁଡ଼ା ଜନିତ ଆକସ୍ମିକ ଦୁର୍ଘଟଣାଜନିତ ପ୍ରତିକାରାତ୍ମକ ବ୍ୟବସ୍ଥା ସଂପର୍କିତ ପ୍ରଶିକ୍ଷଣ ଦେବାକୁ ମଧ୍ୟ  ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ ।ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଯୋଗଦେଇ କହିଥିଲେ ଯେ, ଅଗ୍ନିଯୋଦ୍ଧାମାନେ ଅଗ୍ନି ନିରାପତ୍ତା କାର୍ଯ୍ୟ ସହିତ ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଜରୁରୀ ସହାୟତା ପ୍ରଦାନ କରି ସମାଜକୁ ଗୁରୁତ୍ୱପୂର୍ଣ୍ଣ ସେବା ଦେଉଛନ୍ତି । ତେଣୁ ସେମାନଙ୍କର କାର୍ଯ୍ୟରେ  ନିରନ୍ତରତା ବଜାୟ  ରଖିବା ପାଇଁ  ସେମାନଙ୍କର  ଦକ୍ଷତା ବୃଦ୍ଧି ଓ ଆବଶ୍ୟକତା ଥିବା ସମସ୍ତ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ଉଲ୍ଲେଖକରିଥିଲେ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *