ମହାଶିବରାତ୍ରୀ ପାଇଁ ପରମହଂସନାଥ ମନ୍ଦିର ଲୋକାରଣ୍ୟ, ଅନ୍ୟାନ୍ୟ ଶିଵ ମନ୍ଦିର ଶିଵ ପଞ୍ଚାକ୍ଷର ରେ ଗୁଞ୍ଜରିତ

କଟକ ସଦର ,୧୫/୦୨/୨୦୨୬ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ପୂର୍ବାଞ୍ଚଳରେ ଥିବା କଟକ ସଦର ଅନ୍ତର୍ଗତ ପରମହଂସ ଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ପରମହଂସନାଥ ଙ୍କ ମନ୍ଦିର ଆଜି ରବିବାର ମହାଶିବରାତ୍ରୀ ତଥା ଜାଗର ପାଇଁ ଶ୍ରଦ୍ଧାଳୁରଣ୍ୟ ହୋଇଛି। ଦ୍ୱାର ଫିଟା ପରେ ପ୍ରତ୍ୟୁଷରୁ ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଯାଇଁ ଠାକୁର ଙ୍କୁ ଦର୍ଶନ କରୁଥିବା ଦେଖାଯାଇଛି। ମଧ୍ୟ ରାତିରେ ଜାଗର ବ୍ରତ ରଖି ଦୀପ ଜାଳି ଉଜାଗର ରହିଥିବା କାଷ୍ଠାଧାରୀ ଶ୍ରଦ୍ଧାଳୁମାନେ ମନ୍ଦିର ଚୁଡ଼ା କୁ ମହାଦୀପ ଉଠିବା ପରେ ଯାଇଁ ପାଦୁକା ପାଇ ବ୍ରତ ଉଦଯାପନ କରିବେ ବୋଲି ଜଣାପଡିଛି। ହିନ୍ଦୁ ଧର୍ମାବଲମ୍ବୀଙ୍କ ଦ୍ୱାରା ପାଳିତ ପର୍ଵୋତ୍ସଵ ଗୁଡ଼ିକ ମଧ୍ୟରୁ ମହାଶିବରାତ୍ରି ର ବିଶେଷ ମହତ୍ତ୍ୱ ରହିଛି।

ପରମହଂସନାଥ ଙ୍କ ଜାଗର ଯାତ୍ରା ୫ ଦିନ ଧରି ଚାଲିବାକୁ ଥିବାରୁ ଏହାର ଶୃଙ୍ଖଳିତ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଗୁଡ଼ିକ ସହିତ ମନ୍ଦିର ଟ୍ରଷ୍ଟି ଯୁଵଦ୍ୟୋଗୀ ବିକ୍ରମ ରାଉତ, ହଂସନାଥ ସୁରକ୍ଷା ସମିତି ସଭାପତି ପ୍ରଫୁଲ୍ଲ ସିଂହ, ହଂସନାଥ ସ୍ୱେଚ୍ଛାସେବୀ ସଂଗଠନ ସଭାପତି ଲକ୍ଷ୍ମୀଧର ରାଉତ ଙ୍କ ସହିତ ଅନ୍ୟାନ୍ୟ ସ୍ବେଛାସେବୀ ମାନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସେହିପରି ବେଲେଶ୍ୱରପୁର ର ବେଲେଶ୍ୱର,ଚାନ୍ଦୁଲିର ନିଳକଣ୍ଠେଶ୍ୱର,ଦେଉଳିର ବାଲୁଙ୍କେଶ୍ୱର, କଳପଡା ର କଦମ୍ଵେଶ୍ୱର, କିଶନନଗର ଓ ଆଇତଳଙ୍ଗର ସ୍ୱପ୍ନେଶ୍ୱର,କୋରପଦାର କୁଣ୍ଡେଶ୍ୱର, ଆୟତପୁରର ନାଗେଶ୍ଵର, ସିଦ୍ଧେଶ୍ୱରପୁର ଓ କୋଟୁଆଁର ସିଦ୍ଧେଶ୍ଵର, ପାରାଵିଲର ପାରେଶ୍ୱର, କିଶନନଗର ବିଶ୍ୱାଳପଡାର ମୁକ୍ତେଶ୍ଵର,ହୁଲିପୁରର ଵ୍ରହ୍ମେଶ୍ୱର, ଗତେଶ୍ୱର, ଵୋଧପୁରର ଲୋକନାଥ ପ୍ରଭୃତି ଶିଵ ମନ୍ଦିର ବେଢ଼ାରେ ଶିଵ ପଞ୍ଚାକ୍ଷର ଗୁଞ୍ଜରିତ ହେବା ସହିତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନଙ୍କ ଗହଳି ଚହଳି ଲାଗି ରହିଥିବା ଜଣାପଡିଛି। ଏହି ଉପଲକ୍ଷେ ପରମହଂସନାଥଙ୍କ ପରିସରରେ ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କୁ ବୋତଲ ପାଣି,ଦହି ସର୍ବତ ଓ ଥଣ୍ଡା ପାନୀୟ ବିତରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *