ଭୁବନେଶ୍ୱର,୦୯/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ଓ ଅନିୟମିତତା ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ରାଜ୍ୟ ସମବାୟ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସାରା ରାଜ୍ୟରେ ତଥା ବିଶେଷଭାବେ ବରଗଡ଼ ଜିଲ୍ଲାରେ ଖରିଫ ଧାନ କ୍ରୟ ପାଇଁ କ୍ଷମତାବୃଦ୍ଧି ଏବଂ କୃଷକ ସହଯୋଗକୁ ଗୁରୁତ୍ଵ ଦେଇ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ କରିଛନ୍ତି। ମୁଖ୍ୟ ପଦକ୍ଷେପ ମାନଙ୍କ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି, ସି.ସି ଟିଭି ନିରୀକ୍ଷଣ ବ୍ୟବସ୍ଥା, ଆଧୁନିକ ଧାନ ଗୁଣମାନ ପରୀକ୍ଷା ଯନ୍ତ୍ର (ଗ୍ରେନ ଆନାଲାଇଜର) ଏବଂ ସମସ୍ତ ମଣ୍ଡିରେ ପ୍ୟାଡ଼ି କ୍ଲିନର ବ୍ୟବସ୍ଥା। ଏଥି ସହିତ ଦଲାଲ ମୁକ୍ତ କ୍ରୟ ପ୍ରଣାଳୀ, ‘କଟନି–ଛଟନି’ ବିଲୋପ, ଯାନବାହନ ଟ୍ରାକିଂ, ଏବଂ ରାଜ୍ୟାନ୍ତର ଧାନ ଚୋରା ଚାଲାଣ ରୋକିବାକୁ ପେଟ୍ରୋଲିଂ ବ୍ୟବସ୍ଥାକୁ ବଢାଇବାର ବ୍ୟବସ୍ଥା କରାଇଛନ୍ତି।
ତେବେ ମାନ୍ୟବର ମନ୍ତ୍ରୀଙ୍କ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ବରଗଡ଼ ଜିଲ୍ଲାର ସମସ୍ତ ଚାଷୀଙ୍କ ସମେତ ସମଗ୍ର ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି। ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଟୋକେନ୍ ପରିଚାଳନା କ୍ଷେତ୍ରରେ ମଧ୍ୟ ବ୍ୟାପକ ସଂସ୍କାର ଅଣାଯାଇଛି। ବିଳମ୍ବ ରୋକିବା ପାଇଁ, ପୂର୍ବରୁ ରାଜ୍ୟ ସ୍ତରରେ ହେଉଥିବା ଟୋକେନ୍ ପୁନଃନବୀକରଣ କ୍ଷେତ୍ରରେ ବର୍ତ୍ତମାନ ଜିଲ୍ଲାପାଳମାନଙ୍କୁ ମଣ୍ଡିରେ ସିଧାସଳଖ କରିବାର ଅଧିକାର ତଥା କ୍ଷମତା ପ୍ରଦାନ କରାଯାଇଛି। ଯାହାଦ୍ୱାରା ଚାଷୀମାନେ ଯଥାଶୀଘ୍ର ଉପକୃତ ହୋଇପାରିବେ। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ବରଗଡ଼ ଜିଲ୍ଲାରେ ପ୍ରାଥମିକ କୃଷି ଋଣ ସମିତି (ପାକ୍ସ) ସହିତ ମୋଟ ୪୦୬ଟି ସହକାରୀ ସମିତି କାର୍ଯ୍ୟରତ ଅଛି।
ଏହି ସମିତିଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ କୃଷି ଋଣ ପ୍ରଦାନ ଓ ଧାନ କ୍ରୟ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିଛି ରିପୋର୍ଟରେ ବିଶେଷଭାବେ ଜିଲ୍ଲାରେ ୫୮ରୁ ଅଧିକ ପାକ୍ସ କାର୍ଯ୍ୟକ୍ଷମ ରହିଥିବା ଉଲ୍ଲେଖ ହୋଇଛି। ଏହି ଅଞ୍ଚଳରେ ଥିବା ପାକ୍ସ ଗୁଡ଼ିକ ଧାନ କ୍ରୟ କାର୍ଯ୍ୟରେ ସକ୍ରିୟ ଅଛନ୍ତି, ଏବଂ ୩୦ଟି ରୁ ଅଧିକ ପାକ୍ସ ସିଧାସଳଖ ଧାନ କ୍ରୟ କାର୍ଯ୍ୟରେ କାର୍ଯ୍ୟରତ ଥିବା ଦେଖାଯାଇଛି। ଏହି ସମବାୟ ସମିତିଗୁଡ଼ିକ ସାଧାରଣତଃ ସମ୍ବଲପୁର ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ ସହ ଜଡିତ ଅଛନ୍ତି।
୨୦୨୫–୨୬ ଖରିଫ ମାର୍କେଟିଂ ସିଜନ୍ ପାଇଁ ବରଗଡ଼ ଜିଲ୍ଲାର ଧାନ କ୍ରୟ ଲକ୍ଷ୍ୟ ପ୍ରାୟ ୬.୫୪ ଲକ୍ଷ ମେଟ୍ରିକ ଟନ୍ ରଖାଯାଇଛି।
ଅଧିକ ଧାନ ଉତ୍ପାଦନକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ପରିକଳ୍ପନା ତୁଳନାରେ ଏହି ଲକ୍ଷ୍ୟ ବୃଦ୍ଧି କରାଯାଇଛି, ଯାହାର ଫଳରେ ବରଗଡ଼ ଓଡ଼ିଶାର ଧାନ କ୍ରୟର ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଗଣିତ ହେବ। ବର୍ତ୍ତମାନ
ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ୍ ପ୍ରତି ୩,୧୦୦ ଟଙ୍କା ହାରରେ କ୍ରୟ କରୁଛନ୍ତି। (ଏଥିରେ ଏମ.ଏସ.ପି ଏବଂ ଇନପୁଟ୍ ସହାୟତା ସାମିଲ)। ୨୦୨୬ ଜାନୁଆରୀ ଶେଷ ପର୍ଯ୍ୟନ୍ତ, ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ତାଙ୍କର ଧାନ କ୍ରୟ ଲକ୍ଷ୍ୟର ୬୦% ଠାରୁ ଅଧିକ ପୂରଣ କରିଛନ୍ତି। ତେବେ ଚଳିତ ଖରିଫ ଋତୁର ଧାନ କ୍ରୟ ଗତ ୨୦ ନଭେମ୍ବର ୨୦୨୫ ଠାରୁ ଆରମ୍ଭ ହୋଇଛି। ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ତଥା ରାଜ୍ୟ ସମବାୟ ବିଭାଗ ମନ୍ତ୍ରୀଙ୍କ ସୁପରିଚାଳନା ବ୍ୟବସ୍ଥାରେ ବରଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟର ଚାଷୀ ମାନେ ବେଶ ଉପକୃତ ହେଉଥିବାର ଦେଖାଯାଉଛି।
()
