କେନ୍ଦ୍ରାପଡାରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦଯାପିତ

କେନ୍ଦ୍ରାପଡ଼ା, ୩୦/୦୧/୨୦୨୬ (ଓଡ଼ିଶା ସମାଚାର)- ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର, କର୍ମଶାଳା, ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା । ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ ଓ ପ୍ରଭାତ ବିଶ୍ୱାଳ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଜ୍ୟୋତିରଞ୍ଜନ ଗୌଡ଼, ଆଂଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ଆନ୍ତର୍ଜାତୀୟ ସାଇକେଲ ଆରୋହୀ ସନ୍ତୋଷ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଜୀବନ ରକ୍ଷା ଏବଂ ସଡ଼କ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବାରେ ଅନୁକରଣୀୟ ଏବଂ ନିସ୍ୱାର୍ଥପର ସେବା ପାଇଁ ଛଅ(୬) ଜଣଙ୍କୁ ସମାରିଟାନ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ୟୁବ ରେଡକ୍ରସ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ସଡ଼କ ସୁରକ୍ଷା ଉପରେ ଏକ ନୁକ୍କଡ଼ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ ।

ନାଗରିକମାନଙ୍କ ମଧ୍ୟରେ ସଚେତନତା ପ୍ରସାର ଏବଂ ଦାୟିତ୍ୱପୂର୍ଣ୍ଣ ସଡ଼କ ସୁରକ୍ଷା ଆଚରଣକୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ମାସେ ବ୍ୟାପି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ମେହେରଙ୍କ ଏକ ଦେଶାତ୍ମବୋଧକ ସଂଗୀତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ପ୍ରକାଶଥାଉକି ଆଜି ସକାଳେ ତିନିମୁହାଁଣୀ ରାମମନ୍ଦିର ଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ମୋଟର ଯାନ ନିରୀକ୍ଷକ କାଜଲ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *