ସ୍ପେସ୍ ଏକାଡେମୀ, ପାହାଳରେ ଜାତୀୟ ନାଟ୍ୟ କର୍ମଶାଳାରେ ଶିକ୍ଷା ପ୍ରଦାନ ଅନୁଷ୍ଠିତ

ଭୁବନେଶ୍ୱର,୦୨/୦୧/୨୦୨୬ (ଓଡ଼ିଶା ସମାଚାର)- ନୂତନ ବର୍ଷ ଆରମ୍ଭରେ ଓଡ଼ିଆ ନାଟକ ଇତିହାସରେ ପ୍ରଥମଥର ଲାଗି ଜାତୀୟ ସ୍ତରର ନାଟ୍ୟ ଅନୁଷ୍ଠାନ ଭାରତେନ୍ଦୁ ନାଟ୍ୟ ଏକାଡେମୀ, ଲକ୍ଷ୍ନୌର ୨୦ଜଣ ଦ୍ୱିତୀୟବର୍ଷର ଛାତ୍ରଛାତ୍ରୀମାନେ ଏକ ମାସିକିଆ କର୍ମଶାଳାରେ ଓଡ଼ିଆ ସାଂସ୍କୃତିକ ପରିପ୍ରକାଶ ବାବଦରେ ଜ୍ଞାନ ଆହରଣ କରିବା ନିମିତ ଆଜି ସେମାନଙ୍କୁ ଶିକ୍ଷାପ୍ରଦାନ କାର୍ଯ୍ୟକ୍ରମ ପାହାଳଠାରେ ଥିବା ସ୍ପେସ୍ ଏକାଡେମୀରେ ଜାତୀୟ ନାଟ୍ୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏହାର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର (ଡ.) ସତ୍ୟବ୍ରତ ରାଉତଙ୍କ ନିର୍ଦ୍ଧେଶନାରେ ୧୯୮୮ ମସିହାରେ ହୋଇଥିବା ଝିମିଟି ଖେଳ ନାଟକର ହିନ୍ଦୀ ଅନୁବାଦରେ ପ୍ରଦର୍ଶନ କରାଇବେ ।

ଆସନ୍ତା ୨୯ ତାରିଖରେ ଏହି ନାଟକ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରଦର୍ଶିତ ହେବାର ସ୍ଥିର ହୋଇଛି । ଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସମୟରେ ଓଡ଼ିଆ ନାଟ୍ୟବିତ୍ ମାନେ ବିଭିନ୍ନ ବିଷୟରେ ନିମନ୍ତ୍ରିତ ଶିକ୍ଷକ ଭାବେ ଅଭିଜ୍ଞତା ବାଂଟିବାକୁ ଆସିବା ପାଇଁ ସ୍ଥିର କରାଯାଇଛି । ଆଜିର ଉଦଘାଟନ ଉତ୍ସବରେ ଲୋକନାଟ୍ୟ ଗବେଷକ ମନ୍ମଥ ଶତପଥୀ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିମାନେ ଯଥା- ଛଉନୃତ୍ୟଗୁରୁ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସଦାଶିବ ପ୍ରଧାନ, ଅଭିନ୍ନ ରାଉତରାୟ, ନାଟ୍ୟ ନିର୍ଦ୍ଧେଶକ ସୁବୋଧ ପଟ୍ଟନାୟକ, ନାଟ୍ୟ ଚେତନାର ନିର୍ଦ୍ଧେଶକ ନାଟ୍ୟକାର ଶୀତେଶ ତି୍ରପାଠୀ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେ ।

ଓଡ଼ିଶା ସଂସ୍କୃତି କ୍ଷେତ୍ରରେ ସବୁଠାରୁ ଉକ୍ରୃଷ୍ଟ କଳା ଅଭ୍ୟାସ ଥିବାରୁ ଉତ୍କଳକୁ ଶିକ୍ଷା ଲାଗି ଆସିବା ଖୁବ୍ ସଫଳ ହେବ ବୋଲି ସମସ୍ତେ ମତ ଦେଇଥିଲେ । ଏହାପରେ ଶ୍ରୀଯୁକ୍ତ ମନ୍ମଥ ଶତପଥୀ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ଲୋକନାଟକ ପରମ୍ପରା ବାବଦରେ ଶିକ୍ଷାଦାନ ଦ୍ୱାରା ତାଲିମ୍ ଆରମ୍ଭ କରିଥିଲେ । ଏଠାରେ ପ୍ରକାଶ କରାଯାଇପାରେ କି, ଶ୍ରୀ ସତ୍ୟବ୍ରତ ରାଉତ ଭାରତ ଏବଂ ଭାରତ ବାହାରେ ଜଣେ ନାଟ୍ୟ ନିର୍ଦ୍ଧେଶକ ହୋଇ ବହୁ ଅନୁଷ୍ଠାନରୁ ନିମନ୍ତ୍ରଣ ପାଇଥିଲେ ବି ଓଡ଼ିଶାର କଳାର ପରିଚୟ ବଢାଇବାକୁ ଏବଂ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ଲୋକକଳା, ମୁଖ ନିର୍ମାତା, ଓଡ଼ିଶୀ ଗୀତ, ଛଉ, ଗୋଟିପୁଅ ନୃତ୍ୟ, ଦାସକାଠିଆ, ପାଲା ଭଳି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଅନ୍ୟ ରାଜ୍ୟରେ ବାଂଟିବା ପାଇଁ ଏବଂ ଅନ୍ୟ ରାଜ୍ୟର ସଂସ୍କୃତି କଳା ଓ ପରମ୍ପରାକୁ ଓଡ଼ିଶାରେ ପରିପ୍ରକାଶ କରିବା ପାଇଁ ଇଚ୍ଛାକରି ନିଜେ ନିଜସ୍ୱ ସମ୍ବଳରେ ପାହାଳଠାରେ ସ୍ପେସ୍ ଏକାଡେମୀ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *