ଭୁବନେଶ୍ୱର,୨୬/୧୨/୨୦୨୫(ଓଡ଼ିଶା ସମାଚାର)-ଚାନ୍ଦବାଲି ନାବାଳିକା ଧର୍ଷଣ ଓ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ବିଧାନ ଏବଂ ଉତ୍ତର ପ୍ରଦେଶ ଉନ୍ନାଓ ଧର୍ଷଣ ଅପରାଧୀ ତଥା ବିଜେପି ବିଧାୟକ କୁଲଦୀପ ସିଂହ ସେନଗାରର ଅନ୍ୟାୟ ଜମାନତ ରଦ୍ଦ କରି ଆଜୀବନ କାରାଦଣ୍ଡ ଦାବିରେ ଆଜି ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ, ଅଲ୍ ଇଣ୍ଡିଆ କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ସଭାନେତ୍ରୀ ତଥା ସର୍ବଭାରତୀୟ କାର୍ଯ୍ୟକାରିଣୀ ସଭ୍ୟା ସ୍ବୟଂପ୍ରଭା ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିକ୍ଷୋଭ ସଭା ରେ ସାଧାରଣ ସମ୍ପାଦିକା ଛବି ମହାନ୍ତି ବକ୍ତବ୍ୟ ରଖି କହିଥିଲେ ଯେ ଓଡ଼ିଶାରେ ଲଗାତର ଭାବରେ ମହିଳା, ଛାତ୍ରୀ ଓ ଶିଶୁକନ୍ୟା ମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅପରାଧିକ ଘଟଣା ଘଟି ଚାଲିଛି।
ଗୋପାଳପୁର, ସୌମ୍ୟାଶ୍ରୀ, ବଳଙ୍ଗା, ଜସମିନ ସେଠ ପରି ଜଘନ୍ୟ ଘଟଣାବଳୀ ରାଜ୍ୟର ଜନସାଧାରଣଙ୍କୁ ସ୍ତବ୍ଧ କରି ଦେଇଛି। ରାଜ୍ୟର ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ପର୍ଯ୍ୟଟନ ସ୍ଥଳୀ ଧଉଳି ନିକଟରେ ଜଣେ ଯୁବତୀଙ୍କ ଗଣ ଧର୍ଷଣ ଘଟଣା ମଧ୍ୟ ଘଟି ଯାଇଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଘଟଣା ପରେ ରାଜ୍ୟର ମହିଳା, ଛାତ୍ରୀ ଓ ଶିଶୁମାନେ ଯେ କେତେ ନିରାପତ୍ତାହୀନ ତାହା ସ୍ପଷ୍ଟ ବୁଝି ହେଉଛି।
ଅନେକ କ୍ଷେତ୍ରରେ ସରକାର, ପୋଲିସ ପ୍ରସାଶନ ଦୋଷୀଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୀଡ଼ିତାଙ୍କ ପରିବାରବର୍ଗକୁ ଓ ପ୍ରତିବାଦ କରୁଥିବା ଜନସାଧାରଣଙ୍କୁ ଧମକ ଚମକ ଦେଇ ନିରାଶ କରୁଥିବାର ଦେଖାଯାଉଛି। ଅନୁଗୁଳ ର ଜସମିନ ସେଠ ଘଟଣାର ପ୍ରତିବାଦରେ ଅନୁଗୁଳ ଏସ ପି ଅଫିସ ଆସିବା ପାଇଁ ବାହାରି ଥିବା ମହିଳାମାନଙ୍କ ବସକୁ ପ୍ରସାଶନ ଅନୁମତି ନ ଦେବା ଓ ପୀଡ଼ିତାଙ୍କ ମା ଓ ପରିବାର ସମେତ ହଜାର ହଜାର ମହିଳା ଚାଲି ଚାଲି ୧୦ କିଲୋମିଟର ଆସିବା ଏହାର ନଗ୍ନ ନମୁନା।
ସେହିପରି ଉତ୍ତର ପ୍ରଦେଶର ଉନ୍ନାଓ ଧର୍ଷଣ ମାମଲାର ଦୋଷୀ ତଥା ବିଜେପି ବିଧାୟକ ଓ ନେତା କୁଲଦୀପ ସିଂହ ସେନଗାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବେଳେ ତାଙ୍କୁ ଜମାନତ ଦେଇ ଜେଲରୁ ମୁକ୍ତ କରାଯାଇଛି। ମାତ୍ର ନ୍ୟାୟ ପାଇଁଁ ଲଢେଇ ଜାରି ରଖିଥିବା ଉନ୍ନାଓ ପୀଡ଼ିତାଙ୍କ ସମେତ ତାଙ୍କ ମା’ଙ୍କୁ ଜବରଦସ୍ତ ପୋଲିସ ଉଠାଇ ନେଇଛି। ଏହି ଘଟଣାର ମଧ୍ୟ ଶ୍ରୀମତୀ ମହାନ୍ତି ଦୃଢ଼ ପ୍ରତିବାଦ କରିଛନ୍ତି।
ଏ ସମସ୍ତ ଘଟଣା ପାଇଁ ଦାୟୀ ମଦ ମାଦକ ଦ୍ରବ୍ୟ, ଅଶ୍ଳୀଳତା, ହିଂସାତ୍ମକ କାର୍ଯ୍ୟକ୍ରମର ପ୍ରସାରଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ସହିତ ସମସ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ଓ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ସର୍ବଭାରତୀୟ ସଭାନେତ୍ରୀ କେୟା ଦେ, ଉପସଭାନେତ୍ରୀ ସୁଧା କାମାଥ, ଶୈଲା କେ ଜନ, ଅପର୍ଣ୍ଣା ବି ଆର, ଚିତ୍ର ଲେଖା ଦାସ , ଓଡ଼ିଶା ରାଜ୍ୟ ସମ୍ପାଦିକା ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
