ଜିଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

             ଯୋଗ ଭାରତୀୟ ପ୍ରାଚୀନ ସଂସ୍କୃତିର ସମ୍ଭାର । ଶାନ୍ତି, ସମୃଦ୍ଧି ଓ ସୁସ୍ଥ ପାଇଁ ପ୍ରକୃତ ମାଧ୍ୟମ: ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ।
ଯାଜପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)- ଯୋଗ ଭାରତର ପ୍ରାଚୀନ ସଭ୍ୟତା, ପରମ୍ପରା ଓ ସଂସ୍କୃତିର ସମ୍ଭାର । ଏହା ଶାନ୍ତି, ସମୃଦ୍ଧି, ସୁସ୍ଥ, ଚିନ୍ତା ଓ ଚେତନାର ଉନ୍ନତି ଆଣିବାରେ ଏକ ପ୍ରକୃତ ମାଧ୍ୟମ । ୨୦୧୪ ମସିହା ସେପ୍ଟେମ୍ୱର ୨୭ ତାରିଖରେ ତତ୍କାଳୀନ ଏବଂ ବର୍ତମାନର ପ୍ରଧାନ ମନ୍ତ୍ରୀ ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ଡିସେମ୍ୱର ୧୧ ତାରିଖ ୨୦୧୪ ମସିହାରେ ମିଳିତ ଜାତିସଂଘ ପ୍ରସ୍ତାବକୁ ଅନୁମୋଦନ କରି ଜୁନ୍ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ପାରିତ କରିଥିଲେ । ତଦନୁଯାୟୀ ସମଗ୍ର ବିଶ୍ୱରେ ଆଜ ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଇ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଏକତ୍ରିତ କରାଇ ଯୋଗର ଆବଶ୍ୟକତା ତଥା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶରେ ଯୋଗକୁ ଆପଣେଇବାକୁ ଆଜି ପ୍ରତୁ୍ୟଷରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଦିବସରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟିକା, ଯାଜପୁର ଶ୍ରୀମତୀ ସୁଜାତା ସାହୁ, ଅରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଯାଜପୁର ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ପରିଡା ଯୋଗଦେଇ ଯୋଗାଭ୍ୟାସ ଦ୍ୱାରା ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ସର୍ବଙ୍ଗୀନ ଉନ୍ନତିସାଧିତ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଜିଲା କ୍ରୀଡା ଅଧିକାରୀ ଶ୍ରୀ ପଂକୀର ମୋହନ ଟୁଡୁ ମଂଚ ପରିଚାଳନା କରିଥିଲେ ।
ଦିବସ ପାଳନ ଅବସରରେ ବ୍ରହ୍ମା କୁମାରୀ ଡଃ ସରୋଜ ଭାଇ ଏବଂ ବ୍ରହ୍ମା କୁମାରୀ ଗୀତାଂଜଳୀ ଭଉଣୀ ଶରୀରକୁ ସୁସ୍ଥ ରଖିବା ଏବଂ ଆତ୍ମା ଓ ପରମାତ୍ମାର ମିଳନ ସମ୍ୱନ୍ଧରେ ବିଭିନ୍ନ ପ୍ରକାରର ଯୋଗ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସହରର ବୁଦ୍ଧିଜିବୀ, ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, ଯାଜପୁର ଶାଖା ଆଶ୍ରମର ଅନ୍ତେବାସୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଗଣାମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ସମ୍ମାନିତ ଅତିଥି ବୃନ୍ଦ ଏବଂ ଜିଲାପାଳ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦିବସକୁ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *