ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଗ୍ରାମୀଣ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା

ଆରଆଇଡିଏଫ୍  ଉଚ୍ଚସ୍ତରୀୟ କମିଟିର ୨ୟ  ବୈଠକ ଅନୁଷ୍ଠିତ

ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଞ୍ଜୁର କରିବା ପାଇଁ ନାବାର୍ଡକୁ ପରାମର୍ଶ

ଭୁବନେଶ୍ୱର,୨୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି (ଆରଆଇଡିଏଫ୍) ପ୍ରକଳ୍ପ କାର୍ଯ୍ୟକାରିତା  ଅଗ୍ରଗତି ସମୀକ୍ଷା କରିଛନ୍ତି । ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଆରଆଇଡିଏଫ  ଉଚ୍ଚସ୍ତରୀୟ କମିଟିର ୨ୟ  ବୈଠକରେ ଉନ୍ନୟନ କମିଶନର ଅଧ୍ୟକ୍ଷତା କରି ଏହି ପାଣ୍ଠି ଉପଯୋଗରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସଂପର୍କରେ ବିଶଦ୍ ଆଲୋଚନା କରିଥିଲେ ।  ଏହି ପାଣ୍ଠି ଉପଯୋଗରେ ବହୁ ଭଲ ଭଲ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଥିବାରୁ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଅଧିକ ପ୍ରକଳ୍ପ ମଞ୍ଜୁର କରିବା ପାଇଁ ନାବାର୍ଡ କର୍ତ୍ତୃପକ୍ଷ ଙ୍କୁ ବୈଠକରେ ଅନୁରୋଧ କରାଯାଇଥିଲା ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, ପୂର୍ତ୍ତବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ, ଗ୍ରାମ୍ୟ ଉନ୍ନୟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ, ସିଜିଏମ୍ ନାବାର୍ଡ, ଶ୍ରୀ ସଂଜୟ କୁମାର ତାଲୁକଦାର ଙ୍କ ସମେତ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଅନୁଷ୍ଠିତ ବୈଠକରେ ନାବାର୍ଡ ଦ୍ୱାରା କରାଯାଇଥିବା କୃଷି ଓ ସଂପର୍କିତ , ସାମାଜିକ କ୍ଷେତ୍ର ଓ ଗ୍ରାମ୍ୟ  ସଂଯୋଗୀକରଣ ଆଦି କ୍ଷେତ୍ରରେ ଋଣ ମଞ୍ଜୁରୀ ନିମନ୍ତେ ହୋଇଥିବା  ସଂଶୋଧିତ ସରଳୀକୃତ ମାର୍ଗଦର୍ଶିକା  ବିଷୟରେ ଆଲୋଚନା କରାଯାଇଥିଲା । ଉନ୍ନୟନ କମିଶନର ବିଭିନ୍ନ ବର୍ଷରେ ପର୍ଯ୍ୟାୟକ୍ରମେ ମଞ୍ଜୁରି ପ୍ରାପ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସମୀକ୍ଷା କରିଥିଲେ ।

ଆରଆଇଡିଏଫ୍  ଅଧୀନରେ ନାବାର୍ଡ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକର ସ୍ଥିତି ସମୀକ୍ଷା କରାଯିବା ସହ ନୂତନ ପ୍ରକଳ୍ପମାନ କାର୍ଯ୍ୟକାରୀ ପାଇଁ ଅର୍ଥ ମଂଜୁରୀ ସଂପର୍କିତ ଆଲୋଚନା କରାଯାଇଥିଲା । ବୈଠକରେ ମାଇକ୍ରୋ ଜଳ ସେଚନ ପାଣ୍ଠି(ଏମଆଇଏଫ୍), ମତ୍ସ୍ୟ ଓ ଜଳଚାଷ ଭିତ୍ତିଭୂମି ଉନ୍ନୟନ ପାଣ୍ଠି( ଏଫଆଇଡିଏଫ୍) ଅଧୀନରେ ପ୍ରସ୍ତାବିତ ନୂତନ ପ୍ରକଳ୍ପଗୁଡ଼ିକ ନିମନ୍ତେ ଅର୍ଥ ମଂଜୁରୀ ଓ କାର୍ଯ୍ୟକାରିତା ନେଇ ଆଲୋଚନା କରାଯାଇଛି । ସୂଚନା ଯୋଗ୍ୟ ଯେ ଜଳସଂପଦ ବିଭାଗ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ , ପଂଚାୟତିରାଜ ଓ ପାନୀୟଜଳ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଆଦି ବିଭାଗକୁ ଆରଆଇଡିଏଫ୍  ଅଧୀନରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ମଧ୍ୟରେ ଆରଆଇଡିଏଫ୍ ପାଣ୍ଠିରେ ଜଳସଂପଦ ବିଭାଗ ଜରିଆରେ ବୁରୁଜଙ୍ଗ ଓ ବୁରୋମୁଣ୍ଡା ପମ୍ପ ହାଉସ ନିର୍ମାଣ କାର୍ଯ୍ୟ ଚାଲିଛି, ଯଦ୍ୱାରା କଳାହାଣ୍ଡି, ବଲାଙ୍ଗିର,ବରଗଡ, ଗଜପତି ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୬,୩୧୦ହେକ୍ଟର ସେଚାଞ୍ଚଳକୁ ଜଳସେଚନ ସୁବିଧା ମିଳିବ। ସେହିପରି କଟକ ଜିଲ୍ଲା ତିଗିରିଆ ବ୍ଲକ ରାହାମା ଠାରେ ମହାନଦୀ ଦକ୍ଷିଣ ତଟରେ୨ଟି ଅଳ୍ପ ଉଚ୍ଚତା ବିଶିଷ୍ଟ ବୁରୁଜ ନିର୍ମାଣ କରାଯାଇଛି ଯାହାକି ବନ୍ୟା ଦାଉରୁ ସୁରକ୍ଷା କରିବ । ଓଏଲଆଇସି ପକ୍ଷରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ଗୋପାଳପୁର ଠାରେ ଏବଂ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବଟସୋନା ଠାରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, ସେଚାଂଚଳ ଉନ୍ନୟନ କାର୍ଯ୍ୟକ୍ରମରେ (ସିଏଡି) ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା କମାଣ୍ଡ ଏବଂ ବରଗଡ ଜିଲ୍ଲା ବରପାଲି ବ୍ଲକର ବରଗୁଡା ଗାଁରେ କ୍ଷେତ୍ର ପ୍ରଣାଳୀ ନିର୍ମାଣ ଆଦି ଉଲ୍କେଖନୀୟ  ରହିଛି ।ସେହିପରି ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିଫ୍ଟ ପ୍ରକଳ୍ପ ନିର୍ମାଣାଧିନ ଅଛି,ଯଦ୍ୱାରା ୯୭୦୨ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବା ସଂଗେ ସଂଗେ ଅଂଚଳର ଦୀର୍ଘ ଦିନର ଜଳର ଆବଶ୍ୟକତାକୁ ପୂରଣ କରିପାରିବ ।

ପୂର୍ତ୍ତବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଝିଙ୍କିରିଆ ଠାରୁ ଅଂଳା ପର୍ଯ୍ୟନ୍ତ ୧୬.୮୦୦କି.ମିରାସ୍ତା ନିର୍ମାଣ ଏବଂ ଭୁଆସୁଣୀ ଠାରୁ ଗୋଳାମୁଣ୍ଢାକଟା ପର୍ଯ୍ୟନ୍ତ ୧୨.୯୮୦କି.ମିର ଅନ୍ୟ ଏକ ରାସ୍ତା ନିର୍ମାଣ ଉଲ୍ଲେଖନୀୟ ରହିଛି ।ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ସଡକ ଓ ସେତୁ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ରେ୫.୪୦କି.ମି ରାସ୍ତା ନିର୍ମାଣ ସ୍ଥାନୀୟ ଅଂଚଳର ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବ୍ୟବସ୍ଥା ସହ ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁରକୁ ପ୍ରାୟ୧୦କି.ମି ଦୂରତା କମ୍ ହୋଇପାରିଛି ଏବଂ ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସବୁଦିନିଆ ସଡ଼କ ସଂଯୋଗୀ କରଣ ସମ୍ଭବ କରିପାରିଛି। ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଜରିଆରେ ବରଗଡ ଜିଲ୍ଲାର ଭେଡେନ୍ ଓ ବରପାଲି ବ୍ଲକ, ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକରେ  ମେଗା ପାନୀୟ ଜଳ ସେଚନ ପ୍ରକଳ୍ପ ସଂପୃକ୍ତ ଅଂଚଳର ଜନସାଧାରଣଙ୍କ ପାଇଁ ବିଶେଷ ଉପଯୋଗୀ ହୋଇପାରିଛି ।  ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ ରାୟଗଡା ଜିଲ୍ଲାର ନଳପଣ୍ଡା ଗାଁରେ ଏବଂ କଦମା ଠାରେ ସୋଲାର ମାଇକ୍ରୋ ଉଠାଜଳସେଚନ ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ କରାଯାଇଛି, ଯଦ୍ୱାରା ସ୍ଥାନୀୟ କୃଷକ ବହୁ ଉପକୃତ ହେବେ।

ଉନ୍ନୟନ କମିଶନର କହିଛନ୍ତି ଯେ ଆରଆଇଡିଏଫ୍ ପାଣ୍ଠିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉନ୍ନତ ମାନର ରାସ୍ତା, ସେତୁ, ପାନୀୟଜଳ, ଜଳସେଚନ ପ୍ରକଳ୍ପ ଆଦି କାର୍ଯ୍ୟ କରାଯାଉଛି । ଉନ୍ନୟନ କମିଶନର ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସ୍ଥିତି , ଅଗ୍ରଗତି ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେବା ସହିତ ଜାରି ରହିଥିବା ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ଏବଂ  ନିର୍ଦ୍ଧାରିତ ସମୟସୀମା ଭିତରେ ବିଭିନ୍ନ ବିଭାଗର ପ୍ରତିଭରଣ( ରିଇମ୍ବର୍ସମେଣ୍ଟ) ଦାବିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ବିଭାଗ ମାନଙ୍କୁ ଆରଆଇଡିଏଫ୍ ଅଧୀନରେ ଗ୍ରାମୀଣ ଭିତ୍ତିଭୂମି  ସୃଷ୍ଟି ପାଇଁ ଅନୁମୋଦନ ଅନୂସାରେ ଅଧିକ ଅଳ୍ପ-ବ୍ୟୟ-ଅର୍ଥ ଆହରଣ କରିବାକୁ ଏବଂ ପ୍ରକଳ୍ପ କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ ।

-0-

ପଠାଣି ରାଉତ  ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *