କେନ୍ଦ୍ରାପଡ଼ା,୧୮/୧୧/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନରେ ଡକାୟତି ଯୋଜନା କରୁଥିବା ୭ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ ଫେରାର ହୋଇଯାଇଛନ୍ତି । ଏନେଇ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ ଗତ ସନ୍ଧ୍ୟାରେ ତାଙ୍କ ଜଜାଙ୍ଗସ୍ଥିତ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଯେ ଡକାୟତି ଯୋଜନା କରୁଥିବା ବେଳେ ଏହି ଜିଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାଧିକାରୀ ୭ଜଣ ଡକାୟତଙ୍କୁ ଗିରଫ କରିଛନ୍ତି । ଗିରଫ ଡକାୟତମାନେ ହେଉଛନ୍ତି ସଞ୍ଜୟ କୁମାର ମଲ୍ଲିକ ଓରଫ ଡାମରା କାଳିଆ, କିରଣ ସେଠୀ ଓରଫ ସିପୁଆ, ମାନସ କୁମାର ନାୟକ, ରଞ୍ଜିତ ମଲ୍ଲ ଓରଫ ବାବୁ, ତ୍ରିଲୋଚନ ସାହୁ ଓରଫ ହାବୁଆ, ସୁବ୍ରତ ମଲ୍ଲିକ ଓରଫ ସାଗର ଓ ବିଶ୍ୱପ୍ରକାଶ ସିଂହ ଓରଫ ବୁବୁ ।
ଏହି ଗ୍ୟାଙ୍ଗରେ ସାମିଲ ଥିବା ମେଙ୍କ ମଲ୍ଲିକ ଓ ବଂଟି ମଲ୍ଲିକ ଘଟଣା ସ୍ଥଳରୁ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଡମରା କାଳିଆ ନାମରେ ୫ଟି ମାମଲା ରହିଥିବା ବେଳେ କିରଣ ସେଠୀ ନାମରେ ୧୧ରୁ ଅଧିକ ମାମଲା ରହିଛି । ସେହିପରି ଅନ୍ୟ ଅପରାଧୀମାନଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଛି । ସେମାନଙ୍କ ଠାରୁ୧୯୨ ଗ୍ରାମ ଓଜନର ସୁନାଗହଣା ଜବତ କରାଯାଇଛି । ଯାହାର ବଜାର ମୂଲ୍ୟ ୨୫ ଲକ୍ଷରୁ ଊଦ୍ଧ୍ୱର୍ ହେବ । ସେହିପରି ଡକାୟତମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି ସହ ଦୁଇଟି ଲୁହାର ଖଣ୍ଡା, ୩ଟି ବାଇକ, ୭ଟି ମୋବାଇଲ ଫୋନ, ଦୁଇ ପ୍ୟାକେଟ୍ ଲଙ୍କା ଗୁଣ୍ଡ, ଏକ ଲୁହା ରଡ୍, ଗୋଟିଏ ଛୁରୀ ଜବତ କରାଯାଇଛି ।
ଡ଼କାୟତି ବେଳେ ସେମାନେ ଲୋକଙ୍କ ଆଖିକୁ ଲଙ୍କା ଗୁଣ୍ଡ ପକାଉଥିଲେ । ଏସପି କହିଛନ୍ତି ଗତ କାଲି ରାତି ସାଢେ ୧୧ଟାରେ ଏହି ଡକାୟତମାନେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ମୂଳବସନ୍ତ ଏନସି ହାଇସ୍କୁଲ ପଡିଆରେ ବସି ଡକାୟତି ପାଇଁ ଯୋଜନା କରୁଥିଲେ । ଏ ସଂପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର ଅନ୍ୟ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସଙ୍କ ସହ ସେଠାରେ ଚଢାଉ କରିଥିଲେ । ଚଢାଉ ବେଳେ ୭ଜଣ ଡକାୟତ ଧରାପଡିଥିବା ବେଳେ ୨ ଜଣ ଅନ୍ଧାରର ସୁଯୋଗ ନେଇ ଫେରାର ହୋଇ ଯାଇଥିଲେ । ପୂର୍ବରୁ ସେମାନେ ଏକାଧିକ ଡକାୟତି ଘଟଣାରେ ସଂପୃକ୍ତ ରହି ଲୋକଙ୍କ ଠାରୁ ସୁନାଗହଣା ଲୁଟ୍ କରିଥିଲେ । ଯେଉଁ ଲୋକମାନେ ଡକାୟତଙ୍କ ଶିକାର ହୋଇଛନ୍ତି ସେମାନେ ଏସପିଙ୍କ କାର୍ଯ୍ୟାଳୟକୁ ଆସି ନିଜ ନିଜର ସୁନାଗହଣା ଉପଯୁକ୍ତ ପ୍ରମାଣ ଦେଇ ନେଇ ପାରିବେ ବୋଲି ଏସପି କହିଛନ୍ତି ।
