ଶୋକ ଓଡ଼ିଶା ସମାଚାର : ରୁଚି ପ୍ରତିଷ୍ଠାତା ଡ଼କ୍ଟର ଶରତ ସାହୁଙ୍କ ପରଲୋକ

କଟକ,୦୨/୧୧/୨୦୨୫ (ଓଡ଼ିଶା ସମାଚାର)- ରୁଚିର ପ୍ରତିଷ୍ଠାତା ତଥା ଓଡିଶାର ବିଶିଷ୍ଟ ଶିଳ୍ପପତି ଡ଼କ୍ଟର ଶରତ ଚନ୍ଦ୍ର ସାହୁଙ୍କର ଆଜି ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ଚାରି ଘଟିକା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ପତ୍ନୀ, ପୁତ୍ର ଓ କନ୍ୟା ସେଠାରେ ଉପସ୍ଥିତ ଥିଲେ । ସ୍ବର୍ଗତ ସାହୁ ୧୯୫୦ ମସିହାରେ କଟକ ରାଣୀହାଟ ସ୍ଥିତ ତେଲି ସାହିରେ ଜନ୍ମ ଗ୍ରହଣ କରିଥିଲେ ।

ରାଣୀହାଟ ହାଇସ୍କୁଲରୁ ପ୍ରାଥମିକ ଶିକ୍ଷା ପରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ସେ ଜଣେ କବାଡି ଖେଳାଳି ଥିଲେ ଓ ୧୯୬୯ ରୁ ୧୯୭୨ ପର୍ୟ୍ୟନ୍ତ ଓଡିଶା କବାଡି ଆସୋସିଏସନର କ୍ୟାପଟେନ ଭାବେ ଦାୟିତ୍ୱ ତୁଲାଇ ଓଡିଶା ପାଇଁ ସୁନାମ ଆଣିଥିଲେ । ଚାକିରୀ ପଛରେ ନ ଗୋଡ଼ାଇ ୧୯୭୫ ମସିହାରେ ଓମ ଅଏଲ ଆଣ୍ଡ ଫ୍ଲୋର ମିଲ ଆରମ୍ଭ କରି ରୁଚି ନାମରେ ମସଲା ଜଗତରେ ପ୍ରବେଶ କରି ଭାରତ ସମେତ ଏସିଆ ମହାଦେଶ ରେ ପ୍ରସିଦ୍ଧି ଲାଭ କରିଛନ୍ତି ।

ଓଡିଶାରେ ପ୍ରଥମ କରି ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପ୍ରଥା ଆରମ୍ଭ କରିଥିଲେ । ତାଙ୍କ ମୃତ୍ୟୁରେ ଓଡିଶା ଶିଳ୍ପ ଉଦ୍ୟୋଗୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତା କାଲି ତାଙ୍କ ମୃତ ଶରୀର ପହଁଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷ କୃତ୍ୟ ସମାପନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *