କୁଆଁରମୁଣ୍ଡାକୁ ହରାଇ ନିତା ଫୁଟବଲ ଏକାଡ଼େମୀ ଫାଇନାଲରେ
ଭୁବନେଶ୍ୱର,୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ସିଟି କ୍ଲବ, ନୟାପଲ୍ଲୀ ଭୁବନେଶ୍ୱର ଆନୁକୂଲ୍ୟରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ପଡ଼ିଆରେ ଚାଲିଥିବା ତୃତୀୟ ନନ୍ଦକିଶୋର ପଟ୍ଟନାୟକ ସ୍ମାରକୀ ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ବୁଧବାର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ରେ କୁଆଁରମୁଣ୍ଡା ଏଫସି ସୁନ୍ଦରଗଡ଼କୁ ୧-୦ ଗୋଲ୍ ରେ ପରାସ୍ତ କରି ନିତା ଫୁଟବଲ ଏକାଡ଼େମୀ ଫାଇନାଲରେ ପ୍ରବେଶ କରିଛି ।

ନିତା ଫୁଟବଲ ଏକାଡ଼େମୀର ଖେଳାଳି ଇପ୍ସିତା ରାଉତ ଏକମାତ୍ର ଗୋଲ୍ ଦେଇଥିଲେ । ନିତା ଫୁଟବଲ ଏକାଡ଼େମୀର ଜର୍ସି ନଂ-୨୦ ଅମ୍ବାଲିକା ଚାନୁଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚନା କରାଯାଇଥିଲା । ଶେଖାବତ ଅଲ୍ଲୀ ଖାନ, ମିର୍ଜା ସିରାଜଉଦ୍ଧିନ ବେଗ, ସୁଶାନ୍ତ କୁମାର ମିଶ୍ର ଓ ସୁଜିତ କୁମାର ପାତ୍ର ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିବା । ଶିବଶଙ୍କର ପଣ୍ଡା ମ୍ୟାଚ୍ କମିଶନର ଥିଲେ ଏବଂ ସୁଦୀପ୍ତା ଦାସ ମ୍ୟାଚ୍ ସମୀକ୍ଷା କରିଥଲେ । ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ଉପସଭାପତି ଭାଗ୍ୟଧର ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଇଂ ସୁବ୍ରତ ଦାସ, (ବ୍ରାଣ୍ଡ ଆମ୍ବାସାଡ଼ର) ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ମହମ୍ମଦ ସହିଦ ଜବାର, ଡଃ ସୌର୍ଯ୍ୟରଞ୍ଜନ ପରିଜା, ଅଶୋକ କୁମାର ମହାନ୍ତି, ଗାୟତ୍ରୀ ମଲ୍ଲିକ, ରିତୁ ମିତ୍ର, ଦିଲ୍ଲୀପ ପଟ୍ଟନାୟକ, ଗିରିଜା ପ୍ରସନ୍ନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସିଟି କ୍ଲବର ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନୋଜ କୁମାର ପ୍ରଧାନ, ଶକ୍ତିପ୍ରସନ୍ନ ଦାସ, ତିଳୋତମା ଦଳେଇ ପ୍ରମୁଖ ସହଯୋଗ କରିଥିଲେ । ୩୧ ତାରିଖ ଅପରାହ୍ନ ୩.୩୦ ମିନିଟ୍ ସମୟରେ ଓଡ଼ିଶା ପୋଲିସ୍ କଟକ, ଏବଂ ନିତା ଫୁଟବଲ ଏକାଡ଼େମୀ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।
